ମହିଳାଙ୍କୁ ଶାଶୁଘର ଲୋକ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର, ଗିରଫ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ

Published By : Prameya-News7 Bureau | December 04, 2021 IST

ପାଟଣାଗଡ ୪।୧୨: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ କନ୍ଧେନଝୁଲା ଗ୍ରାମରେ ଅଭାବନୀୟ ଘଟଣା । ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ହତ୍ୟା କରାଯାଇଥିବା ଅଭିଯୋଗ ଆଣି ବାପଘର ଲୋକେ ସ୍ଵାମୀ, ଶାଶୂଙ୍କ ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କନ୍ଧେନଝୁଲା ଗ୍ରାମର ଗୋପ ରାଏଙ୍କ ପୁଅ ଅର୍ଜୁନ ରାଏ ବେଲପଡାର ସ୍ଵର୍ଗତ କାଳିଆ ବାରିକଙ୍କ ଝିଅ ଚନ୍ଦ୍ରକାଣି ରାଏଙ୍କୁ ରୀତିନୀତି ଅନୁସାରେ ୯ ବର୍ଷ ତଳେ ବିବାହ କରିଥିଲେ । ୩ଟି ସନ୍ତାନଙ୍କୁ ନେଇ ଅର୍ଜୁନ ରାଏ ଓ ଚନ୍ଦ୍ରକାଣିଙ୍କ ପରିବାର । ମଝିରେ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇ ମାଡପିଟ ହୋଇଥିଲା । ଉଭୟ କାଳିଆ ଓ ଗୋପ ରାଏଙ୍କ ପରିବାର ମିଶି ସମାଧାନ କରିଥିଲେ । ଅର୍ଜୁନ ରାଏଙ୍କ କହିବା ଅନୁସାରେ, ଶନିବାର ରାତିରେ ସେ ଏବଂ ତାଙ୍କ ବାପା ଘରେ ନଥିବା ସମୟରେ ଚନ୍ଦ୍ରକାଣି ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । ଉଭୟ ବାପ ଓ ପୁଅ ମଧ୍ୟ ରାତ୍ରିରେ ଘରକୁ ଫେରି ଦେଖିଥିଲେ ଚନ୍ଦ୍ରକାଣି ପଙ୍ଖାରେ ଝୁଲୁଥିଲେ । ଏହାପରେ ଚନ୍ଦ୍ରକାଣିଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ଖପ୍ରାଖୋଲ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା ।

ଅନ୍ୟପଟେ ଚନ୍ଦ୍ରକାଣିଙ୍କ ଭାଇ କେଶବ ବାରିକ ଖପ୍ରାଖୋଲ ଥାନାରେ ଶ୍ବଶୁର ଗୋପ ରାଏ ଓ ସ୍ଵାମୀ ଅର୍ଜୁନ ରାଏ, ଶାଶୁ ଶ୍ରୀମତି ରାଏ ଓ ପୁତୁରା ପ୍ରେମାନନ୍ଦ ରାଏଙ୍କ ବିରୋଧରେ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ । ସ୍ଵାମୀ ଓ ଶାଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଶ୍ବଶୁର ଓ ପୁତୁରାକୁ ଛାଡି ଦେଇଛି । ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କଲା ପରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମୃତଦେହକୁ ଥାନା ଛକରେ ରଖି ରାସ୍ତା ଅବରୋଧ କରିଥିଲେ । ପରେ ଥାନା ଅଧିକାରୀ ପହଞ୍ଚି ଗିରଫ କରିବା ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଓହରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.