ମଦ ପିଇବାକୁ ଟଙ୍କା ଦେଲେନି ସ୍ତ୍ରୀ, ଛାତ ଉପରୁ ଧକ୍କା ମାରି ଠେଲି ଦେଲା ମଦୁଆ ସ୍ବାମୀ

Published By : Prameya-News7 Bureau | April 02, 2020 IST

ବାନ୍ଦା ୨।୪: ଉତ୍ତରପ୍ରଦେଶର ବାନ୍ଦାଠାରେ ଏକ ଅଭାବନୀୟ ଘଟଣା ଘଟିଛି । ମଦ୍ୟପ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଛାତ ଉପରୁ ତଳକୁ ଫିଙ୍ଗି ଦେଇଥିଲେ ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣା ଘଟାଇବା ପରେ ମଦ୍ୟପ ସ୍ବାମୀ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ପୋଲିସ ଘଟଣାର ତଦନ୍ତ କରିଛି ।

ସୂଚନାଯୋଗ୍ୟ ଯେ, ସହରର କୋତୱାଲି କାଶୀରାମ କଲୋନୀ ଚୁନାଭଟ୍ଟି ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଜଣେ ୨୨ ବର୍ଷ ବୟସ୍କା ମହିଳାଙ୍କୁ ଛାତରୁ ଖସିପଡି ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ମହିଳାଙ୍କ ପରିବାର ଲୋକଙ୍କ ଅନୁଯାୟୀ ତାଙ୍କ ମଦ୍ୟପ ସ୍ବାମୀ ତାଙ୍କୁ ଛାତ ଉପରୁ ତଳକୁ ଫିଙ୍ଗି ହତ୍ୟା କରିଛନ୍ତି । ମୃତ ମହିଳା ତାଙ୍କ ବଡ ଭଉଣୀଙ୍କ ଦିଅରକୁ ବିବାହ କରିଥିଲେ । ମୃତକଙ୍କ ବଡ ଭଉଣୀଙ୍କ କହିବା ଅନୁସାରେ, ତାଙ୍କ ଦିଅର ମଦ୍ୟପାନ କରନ୍ତି । ଏହି ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ଲାଗୁଥିଲା ।

ଶନିବାର ଦିନ ତାଙ୍କ ଦିଅର ତାଙ୍କ ସ୍ତ୍ରୀଙ୍କୁ ମଦ ପାଇଁ ଟଙ୍କା ମାଗିଥିଲେ । ଯେତେବେଳେ ସେ ଟଙ୍କା ଦେବାକୁ ମନା କରିଥିଲେ, ସେତେବେଳେ ତାଙ୍କୁ ଛାତ ଉପରୁ ତଳକୁ ଫିଙ୍ଗି ଦେଇଥିଲେ । ମାତ୍ର ମଦ୍ୟପ ସ୍ବାମୀ କହିଥିଲେ ଯେ ତାଙ୍କ ସ୍ତ୍ରୀ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।

ଏହି ଘଟଣାରେ ବାନ୍ଦା ଏଏସପି ଲାଲ ଭାରତ କୁମାର ପାଲ କହିଛନ୍ତି ଯେ, ଜଣେ ମହିଳାଙ୍କର ଛାତରୁ ପଡି ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ପରିବାର ଲୋକଙ୍କ ବୟାନ ଆଧାରରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.