ଜଘନ୍ୟ ଅପରାଧ : ନିଶା ଇଞ୍ଜେକସନ୍ ଦେଇ ମହିଳାଙ୍କୁ ଅପହରଣ ପରେ ୧୦ ଦିନ ଯାଏଁ ଦୁଷ୍କର୍ମ, ହାଇ ଡୋଜ୍ ଡ୍ରଗ୍ ଯୋଗୁଁ ଦୃଷ୍ଟି ଶକ୍ତି ହରାଇଲେ ପୀଡିତା

Published By : Prameya-News7 Bureau | July 06, 2021 IST

ଜୟପୁର ୦୬/୦୭ : ଡେରାଡୁନ୍‌ରେ ଜଣେ ମହିଳାଙ୍କୁ ନିଶା ଦେଇ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଜ୍ବର ହୋଇଥିବାରୁ ପ୍ରାଥମିକ ଚିକିତ୍ସା ଏବଂ ଔଷଧ ପାଇଁ ମେଡିସିନ୍‌ ଷ୍ଟୋରକୁ ଯାଇଥିବା ଜଣେ ମହିଳାଙ୍କୁ ନିଶା ଇଞ୍ଜେକସନ୍ ଦେଇ ଅପହରଣ କରିବା ସହିତ ୧୦ ଦିନ ଏକ ଅଜ୍ଞାତ ସ୍ଥାନରେ ରଖି ଦୁଷ୍କର୍ମ କରାଯାଇଥିବା ସୂଚନା ମିଳିଛି । ଡେରାଡୁନ୍‌ରେ ଚକିତ କଲା ଭଳି ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଅଭିଯୁକ୍ତ ଜଣକ ପୀଡିତା ମହିଳାଙ୍କୁ ଅଜ୍ଞାତ ସ୍ଥାନରେ ରଖି ହାଇ ଡୋଜ୍ ଇଞ୍ଜେକସନ୍ ଦେଇ ବାରମ୍ବାର ଦୁଷ୍କର୍ମ କରୁଥି​‌ଲା । ପରିସ୍ଥିତି ଏପରି ହେଲା ଯେ, ହାଇ ଡୋଜ୍ ଇଞ୍ଜେକସନ୍ ବାରମ୍ବାର ଦେବା ଫଳରେ ମହିଳା ଜଣକ ଦୃଷ୍ଟି ଶକ୍ତି ହରାଇଥିଲେ । ପୋଲିସ କହିବା ମୁତାବକ, ଅଭିଯୁକ୍ତ ବଦ୍ରିଦାସ ବୈଷ୍ଣବକୁ ଡେରାଡୁନରୁ ଗିରଫ କରାଯାଇ ରାଜସ୍ଥାନ ଅଣାଯାଇଛି ।

ପୀଡିତାଙ୍କ ମା’ ଙ୍କ କହିବା ଅନୁଯାୟୀ, ଘଟଣାଟି ଜୁନ ୧୮ ତାରିଖରେ ଘଟିଥିଲା । ବଜାରରୁ ପରିବା କିଣିବା ପରେ ଜ୍ବର ହୋଇଥିବାରୁ ଝିଅ ପରୀକ୍ଷା କରାଇବାକୁ ସ୍ଥାନୀୟ ଏକ ମେଡିସିନ ଷ୍ଟୋରକୁ ଯାଇଥିଲେ । ସେଠାରେ ଅଭିଯୁକ୍ତ ଔଷଧ ଦୋକାନୀ ତାଙ୍କୁ ଇଞ୍ଜେକସନ ଦେଇଥିଲା । ମହିଳା ଜଣକ ଅଚେତ ହୋଇଯିବା ପରେ ଅଭିଯୁକ୍ତ ତାର କାରରେ ତାଙ୍କୁ ଡେରାଡୁନ ନେଇଯାଇଥିଲା । ସେଠାରେ ଏକ ଅଜ୍ଞାତ ସ୍ଥାନରେ ରଖି ୧୦ ଦିନ ଯାଏଁ ଦୁଷ୍କର୍ମ କରିଥିଲା । ସେଠାରେ ମହିଳାଙ୍କୁ ସେ ହାଇ ଡୋଜ୍ ଇଞ୍ଜେକସନ୍‌ ମଧ୍ୟ ଦେଉଥିଲା । ଯାହା ଫଳରେ ପୀଡିତା ମହିଳା ଦୃଷ୍ଟି ଶକ୍ତି ହରାଇଥିଲେ ।

ପୀଡିତାଙ୍କ ମା’ ଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ଟିମ ଗଠନ କରି ଡେରାଡୁନ ଯାଇଥିଲା । ସେଠାରୁ ଅଭିଯୁକ୍ତକୁ ଧରିବା ସହିତ ପୀଡିତାଙ୍କୁ ଉଦ୍ଧାର କରିଥିଲା ପୋଲିସ । ଏହାପରେ ଅଭିଯୁକ୍ତକୁ ଗତ ସୋମବାର ଦିନ ପାଲି ଥାନାକୁ ଅଣାଯାଇଥିଲା । ଗୁରୁତର ମହିଳାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ । ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.