ମାମଲାରେ ଟ୍ଵିଷ୍ଟ୍: ପାଠ ପଢିବାକୁ ମୁସଲିମ ଯୁବକଙ୍କ ସହ ଘର ଛାଡିଥିଲେ ଯୁବତୀ, ଏବେ ଘରକୁ ଫେରିବାରେ ବାଧକ ନାହିଁ

Published By : Prameya-News7 Bureau | January 04, 2021 IST

ନୂଆଦିଲ୍ଲୀ ୦୪।୦୧: ଜଣେ ମହିଳା ସୋମବାର ଦିଲ୍ଲୀ ହାଇକୋର୍ଟରେ କହିଛନ୍ତି ଯେ, ଅସ୍ଵାଭାବିକ ପରିବେଶ ହେତୁ ସେ ନିଜ ଘରେ ପଢି ପାରୁନଥିବାରୁ ଜଣେ ମୁସଲିମ ଯୁବକଙ୍କ ସହ ଘରୁ ପଳାଇଥିଲେ। କିନ୍ତୁ ଏବେ ସେ ନିଜ ଘର ଲୋକଙ୍କ ସହ ରହିବାକୁ ପ୍ରସ୍ତୁତ। କୋର୍ଟ ଦେଖିଛନ୍ତି ଯେ, ଉଭୟ ଯୁବକ-ଯୁବତୀ ବିବାହ କରି ନାହାନ୍ତି କିନ୍ତୁ ନିକାନାମା ପ୍ରସ୍ତୁତ ହୋଇ ସାରିଛି। ଯୁବତୀଙ୍କ ପିତା-ମାତା ଝିଅର ଆଗକୁ ପଢିବାର ଇଚ୍ଛାକୁ ସମ୍ମାନ ଜଣାଇ ଘରେ ପଢିବା ପାଇଁ ଅନୁକୂଳ ପରିବେଶ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। 

ଏଥି ସହ ଅଭିଭାବକ କୋର୍ଟରେ କହିଛନ୍ତି, ଯାହା ଘଟି ଯାଇଛି ତାକୁ ନେଇ ଝିଅକୁ ତାଗିଦ୍ କରିବୁ ନାହିଁ କି ତା ଇଚ୍ଛା ବିରୋଧରେ ଅନ୍ୟ ପୁରୁଷକୁ ବିବାହ କରିବାକୁ ବାଧ୍ୟ କରିବୁ ନାହିଁ। ପ୍ରାରମ୍ଭରେ ଯେତେବେଳେ ବିଚାରପତି ବିପିନ ସଙ୍ଘି ଏବଂ ରଜନୀଶ ଭଟ୍ଟନାଗରଙ୍କ ପୀଠ ଯୁବତୀଙ୍କ ସହ ଭର୍ଚୁଆଲରେ ଆଲୋଚନା କଲେ ଯୁବତୀ ତାଙ୍କ ପରିବାରକୁ ଫେରିବାକୁ ଚାହୁଁନଥିବା କହିଥିଲେ ଏବଂ ପରେ ଏହି ବିଷୟର ବାପା-ମାଙ୍କ ସହ କଥା ହେବେ ବୋଲି କହିଥିଲେ।

ଏହା ଉପରେ ପୀଠ କହିଛନ୍ତି, ଯଦି ସେ ଘରକୁ ଯିବାକୁ ଚାହୁଁ ନାହାନ୍ତି ତେବେ ଆମେ ତାଙ୍କୁ ଯିବାକୁ ବାଧ୍ୟ କରି ପାରିବୁ ନାହିଁ। ଅଭିଭାବକଙ୍କ ଅନୁରୋଧକୁ ପ୍ରତ୍ୟାଖାନ କରି କୋର୍ଟ ଯୁବତୀଙ୍କୁ ଯୋଗାଇ ଦିଆଯାଇଥିବା ଘରେ ରହିବେ କି ନାହିଁ ପଚାରିଥିଲେ। ପୀଠ କହିଛନ୍ତି ଯଦି ଯୁବତୀ ବାହାରି ଯିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ନାରୀ ନିକେତନରେ କେମିତି ସୀମିତ କରିପାରିବୁ। ସେ ଜଣେ ସାବାଳିକା, ତାଙ୍କୁ ଆମେ ସେଠାରେ ରହିବାକୁ ବାଧ୍ୟ କରି ପାରିବୁ ନାହିଁ। ହେଲେ ଶୁଣାଣି ସମୟରେ କାନ୍ଦୁଥିବା ବାପା-ମାଙ୍କ ସହ କଥା ହେବା ପରେ ଯୁବତୀ ଘରକୁ ଫେରିବାକୁ ରାଜି ହୋଇଛନ୍ତି। ଏଥିସହ ଅଦାଲତ ଡିସେମ୍ବର ୨୬ରୁ ରାଜଧାନୀ ଦିଲ୍ଲୀରେ ନାରୀ ନିକେତନରେ ରହୁଥିବା ଝିଅକୁ ନେବା ପାଇଁ ବାପାଙ୍କୁ ଅନୁମତି ଦେଇଛନ୍ତି।

ଭିଡିଓ ଲିଙ୍କ୍‌ରେ ବାପା-ମାଙ୍କ ସହ ଆଲୋଚନା କରିବା ପରେ ମହିଳା ଘରକୁ ଯିବାକୁ ପ୍ରସ୍ତୁତ ହୋଇଥିବା ପୀଠ କହିଛନ୍ତି। ଏଥିସହ ଯୁବତୀଙ୍କୁ ସେଠାକାର କନଷ୍ଟେବଲଙ୍କ ନମ୍ବର ଦେବାକୁ ଅଦାଲତ କହିଛନ୍ତି। ଯଦ୍ଵାରା ଆବଶ୍ୟକସ୍ଥଳେ ମହିଳା କନଷ୍ଟେବଲ ଯୁବତୀଙ୍କୁ ସହାୟତା କରି ପାରିବେ।

କୋର୍ଟ ଉକ୍ତ ଯୁବତୀଙ୍କ ପିତା ଦ୍ଵାରା ଦାଖଲ ଆବେଦନ ଉପରେ ଶୁଣାଣି କରି ରାୟ ଦେଇଛନ୍ତି। ଆବେଦନରେ ପିତା ନିଜ  ଝିଅକୁ ଫେରିବାକୁ ଚାହୁଁଥିବା କହିଛନ୍ତି। ତାଙ୍କ ଝିଅ ୨୦୨୦ ଡିସେମ୍ବର ୭ରୁ ଗାଏବ ଥିଲେ। ପରିବାର ଦାବି କରିଥିଲେ ଯେ, ତାଙ୍କ ଝିଅକୁ ବଳପୂର୍ବକ ବାଂଲାଦେଶୀ ବ୍ୟକ୍ତି ଦ୍ଵାରା ଅପହରଣ କରାଯାଇଛି। ଶୁଣାଣି ଯୁବତୀଙ୍କ ମା କହିଛନ୍ତି ଯେ, ତାଙ୍କ ଝିଅଙ୍କ ବ୍ରେନ୍ ଓ୍ଵାସ କରାଯାଇଛି ଯେ ସେ ଭାରତୀୟ ନୁହେଁ ବାଂଲାଦେଶୀ ଅଟେ।

ଅଦାଲତ ନିଜର ଆଦେଶରେ କହିଛନ୍ତି ମହିଳା ଚଳିତ ବର୍ଷ ଗୁରୁ ଗୋବିନ୍ଦ ସିଂହ ଇନ୍ଦ୍ରପ୍ରସ୍ଥ ବିଶ୍ଵ ବିଦ୍ୟାଳୟରୁ ବି.ଟେକ୍‌ ପୂରଣ କରି ସାରିଛନ୍ତି ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ଚାହୁଁଛନ୍ତି। ଯୁବତୀ ନିଜ ପରିବାରରେ ନିୟମିତ କଳହ ଚାଲିଥିବାରୁ ଏବଂ ପଢିବା ପାଇଁ ଅନୁପଯୁକ୍ତ ପରିବେଶ କାରଣରୁ ଘରୁ ଚାଲି ଯାଇଥିଲେ।

ଯୁବତୀ ଏହା ମଧ୍ୟ କହିଛନ୍ତି, ସେ ଜଣେ ଯୁବକଙ୍କ ସହ ଚାଲି ଯାଇଥିଲେ। ସେ ଉକ୍ତ ପୁରୁଷଙ୍କ ସହ ଏକ ଆଡଭୋକେଟ୍‌ଙ୍କ ନିକଟକୁ ଯାଇଥିଲେ ଏବଂ ତାଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ। ଏହା ପରେ କାଜି ଡକାଇ ନିକାହ ଲାଗି ପ୍ରସ୍ତୁତି କରାଯାଇଥିଲା। କିନ୍ତୁ ଯୁବତୀ ଏହା କହି ନାହାନ୍ତି ଯେ, ସେ ମୁସଲିମ ଧର୍ମ ଗ୍ରହଣ କରିଛନ୍ତି କି ନାହିଁ। କୋର୍ଟ କହିଛନ୍ତି ଏହା ଦେଖିବା ବାକି ରହିଲା ଯେ, ଏହି ପରି ସ୍ଥିତିରେ ନିକାହ କରି ମୁସଲିମ ଯୁବକଙ୍କୁ ବିବାହ କରିବା କେତେ ଦୂର ଯୁକ୍ତିଯୁକ୍ତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.