ଦୁଷ୍କର୍ମକୁ ବିରୋଧ କରିବା ମହିଳାଙ୍କୁ ପଡିଲା ଭାରି, ନିର୍ମମ ଭାବରେ ଗଳା କାଟିଦେଲା ଦୁଷ୍କର୍ମକୀରୀ
20/01/2021 at 3:23 PM

ଚଣ୍ଡୀଗଡ଼ ୨୦/0୧ : ଦୁଷ୍କର୍ମର ବିରୋଧ କରିବାରୁ ଦୁନ୍ନେକ ଗାଁରେ ଭଡା ଘରେ ରହୁଥିବା ବ୍ୟୁଟି ପାର୍ଲର ଚାଳିକା ଅମନଦୀପ କୌରଙ୍କୁ ତାଙ୍କ ପଡୋଶୀରେ ରହୁଥିବା ଏକ ପ୍ରବାସୀ ଯୁବକ ହତ୍ୟା କରିଛି। ମୃତକଙ୍କ ମା’ ଙ୍କ ଅଭିଯୋଗ କ୍ରମେ ମୋଗା ସିଟି ଥାନାର ପୋଲିସ, ଅଭିଯୁକ୍ତ କାରିର ବିରୋଧରେ ଏକ ମାମଲା ରୁଜ୍ଜୁ କରି ତାକୁ ଗିରଫ କରିଛି। ଘଟଣାର ସୂଚନା ପାଇ ସିଟି ଡି.ଏସ୍.ପି ରମଣଦୀପ ସିଂହ ଭୁଲ୍ଲର ଏବଂ ମୋଗା ସିଟି ଥାନାର ପୋଲିସ୍ ଇନସ୍ପେକ୍ଟର ଯସୱନ୍ତ ସିଂହ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ ପାଇଁ ସିଭିଲ୍ ହସପିଟାଲକୁ ପଠାଇଛି।
ମୃତକଙ୍କ ମା’ କୁଲଦୀପ କୌରଙ୍କ ଅଭିଯୋଗ କ୍ରମେ, ତାଙ୍କ ଝିଅ ଅମନଦୀପ କୌରଙ୍କର ବିବାହ ପାଖାପାଖି ୬ବର୍ଷ ପୂର୍ବରୁ ହୋଇଥିଲା। ତାଙ୍କର ଏକ ଚାରି ବର୍ଷର ଝିଅ ମଧ୍ୟ ଅଛି। ପାଖାପାଖି ୬ମାସ ପୂର୍ବରୁ ତାଙ୍କର ଛାଡପତ୍ର ହୋଇଯାଇଥିଲା ଯାହାଫଳରେ ସେ ତାଙ୍କ ମା’ ଙ୍କ ପାଖରେ ରହୁଥିଲେ। ସେ କହିଛନ୍ତି ଅଢେଇ ମାସ ପୂର୍ବରୁ ଅମନଦୀପ କୌର , ମୋଗାର ପଟ୍ଟି ଗଳିରେ ଏକ ପାର୍ଲର ଖୋଲିଥିଲେ ଏବଂ ସେହି କିଛିଦିନ ହେବ ସେ ଦୁନ୍ନେକ ଗାଁରେ ମୁଲ୍ଖରାଜଙ୍କ ଘରେ ଭଡା ନେଇ ରହୁଥିଲେ। ସେଠାରେ ଅନ୍ୟ ଲୋକ ମାନେ ମଧ୍ୟ ରହୁଥିଲେ।
ଗତ ରାତିରେ ସେ ତାଙ୍କ ଝିଅଙ୍କୁ ଦେଖା କରିବାକୁ ଆସିଥିଲେ। ପାଖାପାଖି ଭୋର ୪ଟା ସମୟରେ ସେ ବାଥରୁମ୍ ଯାଇ ଫେରି ଦେଖିଲାବେଳକୁ ତାଙ୍କ ଝିଅଙ୍କର ରୁମ୍ ଭିତର ପଟରୁ ବନ୍ଦ ଥିଲା ଏବଂ ଭିତରୁ ଚିତ୍କାର କରିବାର ଶବ୍ଦ ଶୁଭୁଥିଲା। ସେ ଭିତରକୁ ଚାହିଁ ଦେଖିଲେ, ଜଣେ ଯୁବକ ଅମନଦୀପଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିଲା ଏବଂ ଅମନଦୀପ ତାହାକୁ ବିରୋଧ କରିବାରୁ ପରେ ଯୁବକ ଜଣଙ୍କ ଏକ ଛୁରୀରେ ଅମନଦୀପଙ୍କ ଗଳାକାଟି ଫେରାର ହୋଇଯାଇଥିଲା। ସେ ଚିଲାଇବାରୁ ଲୋକମାନେ ସେଠାରେ ଜମା ହୋଇଯାଇଥିଲେ। ପରେ ତାଙ୍କୁ ଜଣାପଡିଥିଲା ଅଭିଯୁକ୍ତ ସଞ୍ଜୀତ ରାମ ଗୋବିନ୍ଦପୁର ବୈଶାଲୀ ହାଜିପୁରର ବୋଲି।
କୁଲଦୀପ କୌରଙ୍କ ଅଭିଯୋଗ କ୍ରମେ ପୋଲିସ ସଞ୍ଜୀତ ରାମଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜ୍ଜୁ କରି ଗିରଫ କରିଛି। ପୋଲିସର ସୂଚନା ଅନୁସାରେ ସଞ୍ଜୀତ ରାମକୁ ପଚରାଉଚରା ପରେ କୋର୍ଟ ଚାଲାଣ କରାଯିବ।