କାନ୍ଥରୁ ଲିଭିନି ଶୁଭ ବିବାହ ପାଇଁ ଲେଖାଯାଇଥିବା ନାଁ, ହେଲେ ସବୁଦିନ ପାଇଁ ଲିଭିଗଲା ପ୍ରିୟତମା : ବାହାରପଟୁ କବାଟ ବନ୍ଦ କରି ଶ୍ବଶୁର ଘର ଲୋକ ଲଗାଇଦେଇଥିଲେ ନିଆଁ
24/06/2019 at 4:31 PM

ଯାଜପୁର ୨୪|୬: କାନ୍ଥରୁ ଲିଭିନି ନାଁ । ହେଲେ ସବୁଦିନ ପାଇଁ ଲିଭିଗଲା ପ୍ରିୟତମା ର ନାଁ । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଯାଜପୁର ମଙ୍ଗଳପୁର ଥାନା ଅଧିନସ୍ଥ ପୁବସାହି ଗ୍ରାମରେ । ସମସ୍ତଙ୍କୁ ଛାଡି ସବୁଦିନ ପାଇଁ ଚାଲିଗଲେ ଆରିପାରିକୁ ପ୍ରିୟତମା । ମା କୁ ହରାଇ ଦେଢ ବର୍ଷ ର କୁନିଝିଅ ର ଆଖିରୁ ସୁଖୁନି ଲୁହ । କୋମଳ ଶିଶୁର ବିକଳ ମୁହଁ ରୁ ମା ମା ଡାକକୁ ଶୁଣି ଅଜା , ଆଇ , ମାମୁଁ , ମାଇଁଙ୍କ ଧର୍ଯ୍ୟ ରହୁନାହିଁ । କାରଣ ସବୁଦିନ ପାଇଁ ମା ତାର ଝିଅ ଠାରୁ ଦୂରେଇଯାଇଛି । ଆପଣ ଭାବୁଥିବେ ଏଭଳି କହିବାର କାରଣ କଣ । କଣ ରହିଛି ଏହା ପଛର ଘଟଣା ।

ଗତ ୧୫ ତାରିଖ ରାତିରେ ଘଟିଯାଇଥିଲା ଏଭଳି କିଛି ଅଘଟଣ । ଯାହାଥିଲା ଏକ ହୃଦୟ ବିଦାରକ ଘଟଣା । ରାତି ପ୍ରାୟ ୧୨:୪୦ ମିନିଟ୍ ।ଯାଜପୁର ମଙ୍ଗଳପୁର ଥାନା ଅଧିନସ୍ଥ ପୁବସାହି ଗ୍ରାମର ଅକ୍ଷୟ ପରମାଣିକଙ୍କ ଘରେ ଘଟିଥିଲା ଭାୟାବହ ଅଗ୍ନିକାଣ୍ଡ । କିଛି କ୍ଷଣକରେ ଜଲିଗଲା ଲାକ୍ଷାଧିକ ଟଙ୍କାର ଆସବାବ ପତ୍ର ସହ ୩ ଗୋରୁ ଏବଂ ଜଣେ ମହିଳାଙ୍କ ଶରୀର । ମହିଳା ଜଣଙ୍କ ଥିଲେ ଅକ୍ଷୟ ପରିମାଣୀଙ୍କ ସ୍ତ୍ରୀ ପ୍ରିୟତମା ।

ଅଗ୍ନିକାଣ୍ଡ ଖବର ପାଇଁ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ଓ ଜଳିଯାଇଥିବା ଝିଅର ବାପ ଘରଲୋକେ । ତାପରେ ଆରମ୍ଭ କରିଥିଲେ ଖୋଜା ଖୋଜି । ହେଲେ ସେଠାରେ ଘଟିଥିଲା ଅନ୍ୟକିଛି । ଘରର ସଦସ୍ୟ ସମସ୍ତେ ପଦାରେ ଥିବାବେଳେ ଝିଅ ପ୍ରିୟତମା କଥା ପଚାରିଥିଲେ ବାପଘର ଲୋକେ । ଏହାପରେ କାଳ ବିଳମ୍ବ ନକରି ନିଆଁ ଲାଗିଥିବା ଘର ଭିତରକୁ ପଶିଥିଲେ କିଛି ଗ୍ରାମବାସୀ ଏବଂ ଝିଅର ବାପଘର ଲୋକେ ।

ବହୁ ଖୋଜା ଖୋଜି କରିବା ପରେ ଶେଷରେ ନଜର ପଡିଥିଲା ପଦାପଟରୁ ବନ୍ଦ ଥିବା ଗୃହ ଉପରେ । ପଦା ପଟରୁ ଝିଞ୍ଜିର ଦିଆ ଯାଇଥିବା ଘରକୁ ଖୋଲିବାକୁ ଚେଷ୍ଟା କରିଥିଲେ ଝିଅର ବାପ ଘର ଲୋକେ ଏବଂ ଗ୍ରାମବାସୀ । ନ ଖୋଲିବାରୁ ଅଗ୍ନିଶମ ବାହିନୀ ସାହାଯ୍ୟରେ ଭାଙ୍ଗିଥିଲେ ଘରର କବାଟିକୁ । ସେଠାରେ ଯାହା ଦେଖିଲେ ତାହା ଥିଲା ହୃଦୟ ବିଦାରକ ଚିତ୍ର । ସେ ଚିତ୍ର ଥିଲା ଝିଅ ପ୍ରିୟତମାର ଅର୍ଦ୍ଧଦଗ୍ଧ ମୃତଦେହ ।

ନିଆଁ ଆୟତ ହେବାପରେ ଅର୍ଦ୍ଧଦଗ୍ଧ ଶରୀରକୁ ପଠାଯାଇଥିଲା ପୋଷ୍ଟମର୍ଟମ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ । ଏ ସମ୍ପର୍କରେ ପ୍ରିୟତମାର ବାପ ଘର ପକ୍ଷରୁ ମଙ୍ଗଲପୁର ଥାନାରେ ଦିଆଯାଇଥିଲା ଏତଲା । ଏହାକୁ ଆଧାର କରି ମଙ୍ଗଳପୁର ପୋଲିସ ଆରମ୍ଭ କରିଥିଲା ତଦନ୍ତ । ପ୍ରାଥମିକ ତଦନ୍ତ ପରେ ସ୍ଵାମୀ ଓ ଦିଅରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଏପଟରେ ବାପ ଘର ଲୋକଙ୍କ ଅଭିଯୋଗ ତାଙ୍କର ଝିଅକୁ ଶାଶୁଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ । ଆଉ ଏବେ ପୁଣି ପେଟ୍ରୋଲ ଢାଳି ମାରିଦେବା ପରେ ନିଜର ଘରକୁ ପୋଡି ଦେଇ ନାଟକ କରୁଛନ୍ତି । ଝିଅ ପ୍ରିୟତମାର କଥାକୁ ଭାବି ଭାବି ନିଜର ବାପା ,ମା ,ଭାଇଙ୍କ ଆଖିରୁ ଲୁହ ସୁଖୁନି । ଗାଁ ଲୋକେ ଝୁରୁଛନ୍ତି ସେଇ ପ୍ରିୟତମାକୁ । କଣ ଥିଲା ଝିଅ ପ୍ରିୟତମାର ଦୋଷ ? କାହିଁକି ଏପରି ନୃସଂଶ ଭାବରେ ମାରିଦିଆଗଲା । ତେବେ ଏହାକୁ ମିଥ୍ୟା ବୋଲି କହିଛନ୍ତି ମୃତକର ସ୍ଵାମୀ । କିଏ କହୁଛି ସତ ? ଘଟଣାକୁ ଦେଖିଥିବା ଦେଖଣା ହାରି , ପ୍ରିୟତ୍ତମାକୁ ଉଦ୍ଧାର କରିଥିବା ନିଜର ଭାଇ ଓ ଗ୍ରାମବାସୀ ନା ନିଜ ସ୍ଵାମୀ ।

ତେବେ ପୋଷ୍ଟମର୍ଟମ ରିପୋର୍ଟ ଆଉ ପ୍ରାଥମିକ ତଦନ୍ତରୁ ମୃତକର ସ୍ଵାମୀ , ଦିଅରକୁ ଗିରଫ କରାଯାଇଛି ସତ । ହେଲେ ଲିଭିଯାଇଥିବା ପ୍ରିୟତମାର ନାଁ ଆଉ ଲାଗିଥିବା କଳଙ୍କର ଦାଗକୁ କେବେ ମିଳୁଛି ପ୍ରକୃତ ନ୍ୟାୟ । କେବେ ମିଳୁଛି ପ୍ରକୃତ ଦୋଷୀକୁ ଦଣ୍ଡ କେବଳ ତାକୁ ଏବେ ଅପେକ୍ଷା ।