Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅନ୍ଧବିଶ୍ୱାସର କରୁଣ ପରିଣତି ! ତାନ୍ତ୍ରିକ କଥାରେ ଗର୍ଭବତୀଙ୍କୁ ହତ୍ୟା ପରେ ପେଟ କାଟି ଶିଶୁକୁ ବାହାର କରିଥିଲା ନିଃସନ୍ତାନ ମହିଳା

1/05/2019 at 2:12 PM

ବଟାଲା ୧/୫ : ଅନ୍ଧ ବିଶ୍ୱାସର କରୁଣ ପରିଣତି | ପଞ୍ଜାବ ବଟାଲାରେ ଘଟିଛି ଏହିଭଳି ଏକ ଲୋମହର୍ଷଣକାରୀ ଘଟଣା | ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ନିଃସନ୍ତାନ ମହିଳା ତାନ୍ତ୍ରିକ କଥାରେ ପଡି ଜଣେ ଗର୍ଭବତୀ ମହିଳାଙ୍କୁ ହତ୍ୟା କରିଛନ୍ତି | କେବଳ ସେତିକି ନୁହେଁ, ଗର୍ଭବତୀ ମହିଳାଙ୍କୁ ହତ୍ୟା କରିବା ପରେ ମହିଳାଙ୍କ ପେଟ କାଟି ଶିଶୁକୁ ବାହାର କରିଥିଲେ ନିଃସନ୍ତାନ ମହିଳା | କିନ୍ତୁ ଶିଶୁଟି ମରିଯାଇଥିଲା | ଶିଶୁକୁ ଅଭିଯୁକ୍ତମାନେ ଘର ଅଗଣାରେ ଗାତ ଖୋଳି ପୋତିଦେଇଥିଲେ |


ଅମାନବିକତାର ପରିଚୟ ଦେଇଥିବା ଏହି ଘଟଣା ପଞ୍ଜାବ ବଟାଲା ଅନ୍ତର୍ଗତ କାଲା ନଙ୍ଗଲ ଗାଁରେ ଘଟିଛି | ପୋଲିସ ଅଧିକାରୀ କହିଛନ୍ତି ଯେ, କାଲା ନଙ୍ଗଲ ଗାଁରେ ରହୁଥିବା ବଲବିନ୍ଦର ସିଂହଙ୍କ ପତ୍ନୀ ଜସବୀର କୌର ୭ ମାସର ଗର୍ଭବତୀ ଥିଲେ | ଶନିବାର ଦିନ ସେ ନିଜ ଘରେ ଥିଲେ | ତାଙ୍କ ପଡୋଶୀରେ ରହୁଥିବା ଯୋଗୀନ୍ଦର କୌର ନାମକ ମହିଳା ତାଙ୍କୁ ନିଜ ଘରକୁ ଡାକି ନେଇଥିଲା | ଘରେ ଯୋଗୀନ୍ଦରର ସ୍ୱାମୀ, ଜଣେ ମହିଳା ତାନ୍ତ୍ରିକ ଓ ଘରର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ | ମହିଳା ତାନ୍ତ୍ରିକ କହିବାନୁଯାୟୀ, ଯୋଗୀନ୍ଦର ଏବଂ ତାଙ୍କ ଘରଲୋକ ଜସବୀର କୌରଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ | ଏହାପରେ ମୃତଦେହକୁ ଏକ ବଡ ବାକ୍ସରେ ପୂରେଇଦେଲେ | କିଛି ସମୟ ପରେ ମୃତଦେହକୁ ବାକ୍ସରୁ ବାହାର କରି ଏକ ସର୍ଜିକାଲ ବ୍ଲେଡରେ ମୃତଦେହର ପେଟ କାଟି ଶିଶୁକୁ ବାହାର କରିଥିଲେ | କିନ୍ତୁ ସେତେବେଳକୁ ଶିଶୁଟି ମରିଯାଇଥିଲା | ଅଭିଯୁକ୍ତମାନେ ଶିଶୁକୁ ନିଜ ଘର ଅଗଣାରେ ଗାତ ଖୋଳି ପୋତିଦେଇଥିଲେ |


ଜସବୀର କୌର ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଘରଲୋକେ ଚିନ୍ତିତ ହୋଇପଡିଲେ | ସେମାନେ ଜସବୀରଙ୍କୁ ଖୋଜାଖୋଜି କରିଥିଲେ | ଦୁଇ ଦିନ ପର୍ଯ୍ୟନ୍ତ ଜସବୀରଙ୍କ କୌଣସି ପତ୍ତା ମିଳିଲାନାହିଁ | ହଠାତ ଜସବୀରଙ୍କ ସ୍ୱାମୀକୁ ସନ୍ଦେହ ହୋଇଥିଲା | ସେ ଗାଁଲୋକଙ୍କୁ ଧରି ଯୋଗୀନ୍ଦର ଘରେ ପହଂଚିଥିଲେ | ଗାଁଲୋକଙ୍କୁ ଦେଖି ଯୋଗୀନ୍ଦର ଘରଲୋକ ଡରି ଗଲେ | ସେମାନେ ଯୋଗୀନ୍ଦର ଘରର ତଲାସୀ ଆରମ୍ଭ କରିଦେଲେ | ଅଚାନକ ସେମାନଙ୍କ ନଜର ଏକ ବାକ୍ସ ଉପରେ ପଡିଲା | ବାକ୍ସ ଖୋଲିକି ଦେଖିଲା ବେଳକୁ ସେଥିରେ ଜସବୀରଙ୍କ ମୃତଦେହ ଥିଲା | ତାଙ୍କ ପେଟ କଟାଯାଇଥିଲା | ଗାଁଲୋକେ ଏହା ଦେଖି ଚକିତ ହୋଇଯାଇଥିଲେ | ପଚରାଉଚୁରା କରିବାରୁ ଯୋଗୀନ୍ଦର ଓ ତା’ ଘରଲୋକ ସବୁ ଦୋଷ ସ୍ୱୀକାର କରିଥିଲେ | ମୁଖ୍ୟ ଅଭିଯୁକ୍ତ ଯୋଗୀନ୍ଦର କହିଥିଲା ଯେ, ୫ ବର୍ଷ ହେଲା ସେ ନିଃସନ୍ତାନ ଥିଲା | ଏକ ସନ୍ତାନ ଆଶାରେ ମହିଳା ତାନ୍ତ୍ରିକ କଥାରେ ପଡି ସେ ଏହିଭଳି ପାପ କରିଛି |


ଘଟଣାକୁ ନେଇ ଵଲବିନ୍ଦର ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ | ପୋଲିସ ଜସବୀରଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା | ମୃତ ନବଜାତ ଶିଶୁର ମୃତଦେହ ମଧ୍ୟ ଜବତ କରିଥିଲା ପୋଲିସ | ପୋଲିସ ହତ୍ୟା ମାମଲାରେ ଯୋଗୀନ୍ଦର ଓ ମହିଳା ତାନ୍ତ୍ରିକ ସମେତ ୭ଜଣଙ୍କୁ ଗିରଫ କରିଥିଲା | ହତ୍ୟାରେ ବ୍ୟବହୃତ ଅସ୍ତ୍ର ଏବଂ ରକ୍ତାକ୍ତ କପଡା ମଧ୍ୟ ପୋଲିସ ଜବତ କରିଥିଲା | ସମସ୍ତ ଅପରାଧୀଙ୍କୁ ଜେଲ ପଠାଇ ଦିଆଯାଇଛି |

   Related Posts