ଘରୋଇ କଳହର କରୁଣ ପରିଣତି, ୫ ଝିଅଙ୍କୁ ଧରି କୂଅରେ ଡେଇଁପଡିଲା ମା’…

Published By : Prameya-News7 Bureau | December 05, 2021 IST

ଜୟପୁର ୦୫/୧୨ : ଘରୋଇ କଳହ ଯୋଗୁଁ ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଯାହାକୁ ଶୁଣିଲେ ଯେ କେହି ତାଜୁବ ହୋଇଯିବେ । ପାରିବାରିକ କଳହ​‌ରେ ଅତିଷ୍ଠ ହୋଇ ଜଣେ ମହିଳା ତାଙ୍କର ୫ ଜଣ ଝିଅଙ୍କୁ ଧରି କୂଅରେ ଡେଇଁପଡିବା ଭଳି ଅଭାବନୀୟ ଘଟଣା ଘଟିଛି । ରାଜସ୍ଥାନର କୋଟା ଜିଲ୍ଲାର ଏକ ଗାଁରେ ଏଭଳି ଘଟଣା ସମସ୍ତଙ୍କୁ ମର୍ମାହତ କରିଛି ।

ମିଳିଥିବା ସୂଚନା ଅନୁସାରେ, କୋଟାର କାଲିୟାଖେଡୀରେ ଏଭଳି ମର୍ମନ୍ତୁଦ ଘଟଣା ଘଟିଛି । ଶିବଲାଲ ନାମକ ଜଣେ ବ୍ୟକ୍ତିଙ୍କ ସହ ପତ୍ନୀ ବାଦାମୀ ଦେବୀଙ୍କ ପ୍ରତିଦିନ କୌଣସି ନା କୌଣସି କାରଣକୁ ନେଇ ଝଗଡା ହେଉଥିଲା । ଏଥିରେ ବିବ୍ରତ ହୋଇ ନିଜ ଜୀବନ ଶେଷ କରିଦେବାକୁ ନିଷ୍ପତ୍ତି ନେଇଥିଲେ ବାଦାମୀ ଦେବୀ । ତାଙ୍କ ସ୍ବାମୀ ଶିବପାଲ କହିବା ମୁତାବକ, ଘଟଣା ଦିନ ଅପରାହ୍ନ ୧୨ଟା ସମୟରେ ସେ କୌଣସି କାମରେ ବାହାରକୁ ଯାଇଥିଲେ । ସନ୍ଧ୍ୟା ସୁଦ୍ଧା ମଧ୍ୟ ଘରକୁ ଫେରିନଥିଲେ । ସେହିଦିନ ରାତିରେ ହିଁ ତାଙ୍କ ପତ୍ନୀ ବାଦାମୀ ଦେବୀ ୫ ଝିଅଙ୍କୁ ଧରି କୂଅ​‌କୁ ଡେଇଁ ଆତ୍ମହତ୍ୟା କରିଦେଇଥିଲେ ।

ରାତିରେ ଶିବପାଲ ଘରକୁ ଫେରି ଦେଖନ୍ତି ତ କେହି ନଥିଲେ । ପରେ ସନ୍ଦେହ ହେବାରୁ ଘର ପଛପଟେ ଥିବା କୂଅରେ ଦେଖିଥିଲେ । କୂଅ ଭିତରେ ୬ ଜଣଙ୍କ ମୃତ ଦେହ ଭାସୁଥିଲା । ପରେ ସେ ତୁରନ୍ତ ପୋଲିସକୁ ଫୋନ କରି ଡକାଇଥିଲେ । ପୋଲିସର ଏକ ଟିମ ସେଠାରେ ପହଞ୍ଚି ଶବଗୁଡିକୁ କୂଅରୁ ବାହାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି । ଶନିବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଘରୋଇ କଳହରୁ ହିଁ ଏଭଳି ଘଟଣା ଘଟିଥିବା ପୋଲିସ କହୁଥିବା ବେଳେ ସ୍ବାମୀ ଶିବପାଲକୁ ଅଟକ ରଖିଛି ପୋଲିସ । ସେପଟେ ଏଭଳି ଅଭାବନୀୟ ଘଟଣା ପରେ ସ୍ତବ୍ଧ ହୋଇଯାଇଛି ପୁରା ଗାଁ । ପୋଲିସ ଘଟଣାର ଅଧିନ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.