ପ୍ରେମିକା କହିଲା ‘ତାକୁ ବାଲକୋନିରୁ ଧକ୍କା ଦେଇଦିଅ’, ଆଉ ସ୍ତ୍ରୀକୁ ବାଲକୋନିରୁ ଠେଲିଦେଲା ସ୍ବାମୀ
14/11/2018 at 4:01 PM

ଗୁରୁଗ୍ରାମ ୧୪|୧୧: ହରିୟାଣା ଗୁରୁଗ୍ରାମରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକା କଥାରେ ପଡି ସ୍ତ୍ରୀକୁ ହତ୍ୟା କରିଛନ୍ତି । ସେ ତାଙ୍କ ସ୍ତ୍ରୀଙ୍କୁ ଆଠ ମହଲା କୋଠାର ବାଲକୋନିରୁ ଧକ୍କା ଦେଇଛନ୍ତି । ତଳେ ପଡିବା ପରେ ଗୁରୁତର ହୋଇଥିବା ମହିଳାଙ୍କ ମୃତ୍ୟୁ ହୋଇଛି । ପୋଲିସ ଏହି ଘଟଣାରେ ମୃତ ମହିଳାଙ୍କ ସ୍ବାମୀଙ୍କ ସହ ତାଙ୍କ ପ୍ରେମିକାକୁ ମଧ୍ୟ ଗିରଫ କରିଛି ।
ସୂଚନା ଅନୁସାରେ ବିକ୍ରମ ସିଂହ ଚୌହାନ ଏବଂ ତାଙ୍କ ସ୍ତ୍ରୀ ଦୀପିକା ଚୌହାନ ଗୁରୁଗ୍ରାମର ଏକ ଫ୍ଲାଟରେ ରହୁଥିଲେ । ସେହି ଫ୍ଲାଟରେ ରହୁଥିବା ଆଉଜଣେ ମହିଳାଙ୍କ ସହ ତାଙ୍କର ପ୍ରେମ ସଂପର୍କ ରହିଥିଲା । ୨୦୧୭ମସିହା ନଭେମ୍ବର ମାସରେ ସୋସାଇଟିର ଏକ ପାର୍କରେ ଉଭୟଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇଥିଲା । ତାପରେ ଉଭୟଙ୍କ ମଧ୍ୟରେ ଯୋଗାଯୋଗ ରହିଥିଲା । ସେମାନେ ଫୋନ୍ ରେ କଥା ହେବା ସହ ସୋସିଆଲ ମିଡିଆରେ ଚାଟିଂ ମଧ୍ୟ କରୁଥିଲେ । ଚାଟିଂରୁ ଜଣାପଡିଛି ଯେ ଅଭିଯୁକ୍ତ ବିକ୍ରମଙ୍କୁ ମହିଳା ଜଣକ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ପ୍ରବର୍ତ୍ତାଉଥିଲେ । ପୋଲିସର ସୂଚନା ଅନୁସାରେ କରବାଚୌଥ ଦିନ ବିକ୍ରମଙ୍କ ଅବୈଧ ସଂପର୍କକୁ ନେଇ ବିକ୍ରମ ଏବଂ ଦୀପିକାଙ୍କ ମଧ୍ୟରେ ଝଗଡା ହୋଇଥିଲା । ସେହିଦିନ ରାତିରେ ଅଭିଯୁକ୍ତ ମହିଳା ବିକ୍ରମଙ୍କ ସହ ଚାଟିଂ କରିଥିଲେ । ବିକ୍ରମ ତାଙ୍କୁ ଦୀପିକାଙ୍କ ସହ ହୋଇଥିବା ଝଗଡା ବିଷୟରେ କହିଥିଲେ । ପରେ ଚାଟିଂରେ ମହିଳା ଜଣକ କହିଥିଲେ ଯେ ତାଙ୍କ ଦୀପିକାଙ୍କୁ ବାଲକୋନିରୁ ଧକ୍କା ଦେବାପାଇଁ । ତାପରେ ବିକ୍ରମ ତାଙ୍କ ସ୍ତ୍ରୀଙ୍କୁ ଆଠ ମହଲା ଉପରୁ ବାଲକୋନିରୁ ଧକ୍କା ଦେଇଥିଲେ । ଫଳରେ ସେ ଗୁରୁତର ହୋଇଯାଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାରେ ପୋଲିସ ବିକ୍ରମଙ୍କୁ ତାଙ୍କ ସ୍ତ୍ରୀଙ୍କୁ ଧକ୍କା ଦେଇ ମାରିବା ଅଭିଯୋଗରେ ଗିରଫ କରିଥିଲା । ପରେ ତାଙ୍କ ପ୍ରେମିକାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।