ଟିକା ନେବାର ୪୮ ଘଣ୍ଟା ପରେ ହଠାତ୍ ପ୍ରାଣ ହରାଇଲେ ମହିଳା ସ୍ୱାସ୍ଥ୍ୟକର୍ମୀ, ସରକାରଙ୍କୁ ଜବାବ ମାଗିଲେ ପିତା

Published By : Prameya-News7 Bureau | January 05, 2021 IST

ନୂଆଦିଲ୍ଲୀ, ୦୫/୦୧:ଫାଇଜର ଟିକା ଲଗାଇବାର ଦୁଇ ଦିନ ପରେ ସୋନିୟା ଏକେବେଡୋ ନାମକ ଜଣେ ମହିଳା ପ୍ରାଣ ହରାଇଛନ୍ତି । ୪୧ ବର୍ଷୀୟ ଏହି ମହିଳାଜଣଙ୍କ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରୁଥିଲେ । ଲାଟିନପୋଷ୍ଟ.କମ୍ ରିପୋର୍ଟ ଅନୁସାରେ, ଫାଇଜର ଭାକସିନ୍ ଲଗାଇବାର ୪୮ ଘଣ୍ଟା ପରେ ନୂଆବର୍ଷ ଦିନ  ସୋନିଆଙ୍କ ମୃତ୍ୟୁ ଘଟିଛି ।

କୁହାଯାଉଛି ଯେ, ପର୍ତ୍ତୁଗାଲର ପୋର୍ଟୋ ସହରରେ ରହୁଥିବା ସୋନିଆ ଭାକସିନ୍ ଲଗାଇଥିଲେ । କିନ୍ତୁ ତାଙ୍କଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳି ନଥିଲା । ଦୁଇ ସନ୍ତାନର ମାଆ ସୋନିଆ ପର୍ତ୍ତୁଗିଜ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓଙ୍କାଲୋଜୀରେ କାମ କରୁଥିଲେ ।

ସୋନିଆଙ୍କ ବାପା ଆବିଲୋଓ ଏକେବେଡୋ କହିଛନ୍ତି ଯେ, ସୋନିଆ ସମ୍ପୂର୍ଣ୍ଣ ଭଲ ଥିଲେ । ତାଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ନଥିଲା । କରୋନାର ଲକ୍ଷଣ ମଧ୍ୟ ତାଙ୍କଠାରେ ନଥିଲା । ଝିଅର ମୃତ୍ୟୁ କିପରି ହେଲା ସେ ସ୍ଥାନୀୟ ପ୍ରଶାସନଠୁ ଜବାବ ମାଗିଛନ୍ତି ।

ପର୍ତ୍ତୁଗାଲ ହସ୍ପିଟାଲର କହିବାନୁସାରେ, ଡିସେମ୍ବର ୩୦ ତାରିଖରେ ସୋନିଆଙ୍କୁ ଭାକସିନ୍ ଦିଆଯାଇଥିଲା । ଏହାପରେ ତାଙ୍କଠାରେ କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା । ସେ ଭାକସିନ୍ ଲଗାଉଥିବାର ଫଟୋ ଫେସବୁକରେ ପୋଷ୍ଟ କରିଥିଲେ । କିନ୍ତୁ ନୂଆବର୍ଷ ସକାଳ ୧୧ଟାରେ ହିଁ ସୋନିଆଙ୍କ ମୃତ୍ୟୁ ହୋଇଥିବା ପିତାଙ୍କୁ କୁହାଯାଇଥିଲା ।

ସୂଚନାଯୋଗ୍ୟ, ପର୍ତ୍ତୁଗାଲରେ ସୋନିଆଙ୍କ ସହ ୫୩୮ ସ୍ୱାସ୍ଥ୍ୟକର୍ମୀଙ୍କୁ ଫାଇଜର କରୋନା ଟିକା ଲଗାଯାଇଛି । ସୋନିଆଙ୍କ ମୃତ୍ୟୁକୁ ନେଇ ଦେଶର ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ଖବର ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.