ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ବଧୂହତ୍ୟା ଅଭିଯୋଗ ଆଣିଲେ ବାପଘରଲୋକ
12/01/2021 at 10:22 AM

ପଟ୍ଟାମୁଣ୍ଡାଇ ୧୨।୧: ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବଧୂହତ୍ୟା ଅଭିଯୋଗ । ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଚନ୍ଦନନଗର ପଞ୍ଚାୟତ ଅନ୍ତର୍ଗତ ଅଢ଼ାଯୋଡି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଚନ୍ଦନନଗର ପଞ୍ଚାୟତ ଅନ୍ତର୍ଗତ ଅଢ଼ାଯୋଡି ଗାଁର ବେଣୁଧର ସେଠୀଙ୍କ ବୋହୂ ୩୬ ବର୍ଷ ବୟସ୍କା ସୁଜାତା ସେଠୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି ପଟ୍ଟାମୁଣ୍ଡାଇ ପୋଲିସ । ସୋମବାର ସନ୍ଧ୍ୟାରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥିଲା । ରାତି ଅଧିକ ହେବା କାରଣରୁ ଶବ ବ୍ୟବଚ୍ଛେଦ ହୋଇପାରିନଥିଲା । ପୋଲିସ ୩ ଜଣ କର୍ମଚାରୀଙ୍କୁ ଘଟଣାସ୍ଥଳରେ ମୁତୟନ କରିଥିଲା । ମଙ୍ଗଳବାର ଶବ ବ୍ୟବଚ୍ଛେଦ କରାଯିବା ନେଇ ସୂଚନା ମିଳିଛି ।

ଅନ୍ୟପଟେ ସୁଜାତାଙ୍କ ବାପା ରାମନଗରର କୃତିବାସ ସେଠୀ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ତାଙ୍କ ଝିଅକୁ ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଜାରି ରଖିଛି ।