ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର

Published By : Prameya-News7 Bureau | April 13, 2021 IST

ଜଳେଶ୍ବର ୧୩।୪: ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଥାନା ଚକହରି ଗ୍ରାମର ସୁବର୍ଣ୍ଣରେଖା ନଦୀ ପଠା ଝାଉଁ ବଣରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ କଲେ ଗ୍ରାମବାସୀ । ମୃତକ ଜଣଙ୍କ ହେଲେ ଶିଖରପୁର ପଞ୍ଚାୟତ ଚକହରି ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ଦାସଙ୍କ ସ୍ତ୍ରୀ କାବେରୀ ଦାସ ।

ସୂଚନାଯୋଗ୍ୟ ଯେ, ପୂର୍ଣ୍ଣ ଚନ୍ଦ୍ରଙ୍କର ଦୁଇ ପୁଅ ଜଣେ ଝିଅ ଥିବା ବେଳେ, ଅନ୍ୟ ଜଣେ ମହିଳାଙ୍କ ସହିତ ତାଙ୍କର ସମ୍ପର୍କ ରହିଥିଲା। ଏହାକୁ ନେଇ ପରିବାରରେ ବାରମ୍ବାର ଅସନ୍ତୋଷ ଦେଖିବାକୁ ମିଳୁଥିଲା । ମୃତକଙ୍କ ବାପଘର ଲୋକେ ବାରମ୍ବାର ଘଟଣା ବିଷୟରେ ସମାଧାନ କରିଆସୁଥିଲେ । ତେବେ ମଙ୍ଗଳବାର ସକାଳ ସମୟରେ ଗ୍ରାମବାସୀମାନେ ନଦୀପଠାରେ ଥିବା ଝାଉଁ ଜଙ୍ଗଲରୁ ଜଣେ ମହିଳାଙ୍କ ଅଧାପୋଡା ଶବ ପଡିଥିବା ଦେଖି ତାହା କାବେରୀ ଦାସଙ୍କର ବୋଲି ଜଣାପଡିଥିଲା। ବାପଘର ଲୋକେ ଝିଅକୁ ତାର ସ୍ବାମୀ ମାରିଦେଇଥିବା ଅଭିଯୋଗ କରିଛନ୍ତି । ଏହାପରେ ପୋଲିସ ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ତେବେ ତଦନ୍ତ ପରେ ଘଟଣାର ଗୁମର ଫିଟିବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.