ଆଖିରେ ପାନ ଚୁନ ପଡି ଯନ୍ତ୍ରଣା ହେଉଥିଲା, କଟକ ସାହାରା ନର୍ସିଂହୋମରେ ଅପରେସନ କରାଇଥିଲେ ମହିଳା: ଆଖିଡୋଳା କାଢି ନେଇଥିବା ଅଭିଯୋଗ

Published By : Prameya-News7 Bureau | January 03, 2019 IST

କଟକ ୩/୧ : ବିଜୁ କୃଷକ କଲ୍ୟାଣ ଯୋଜନାରେ ଆଖି ଅପରେସନ କରାଇ ହରଡଘଣାରେ ପଡିଛନ୍ତି ଆଠଗଡ ଅଞ୍ଚଳର ସୁଲୋଚନା ରାଉତ । ଆଖିରେ ପାନ ଚୁନ ପଡିଯାଇ ଯନ୍ତ୍ରଣା ହେବାରୁ ବିଭିନ୍ନ ଡାକ୍ତରଙ୍କ ସହ ପରାମର୍ଶ କରି ଶେଷରେ କଟକର କାଠଗୋଲା ସାହିରେ ଥିବା ସାହାରା ନର୍ସିଂହୋମରେ ଭର୍ତ୍ତି ହୋଇଥିଲେ ସୁଲୋଚନା । କିନ୍ତୁ ଅପରେସନ ପରେ ସାହାରାର ଡାକ୍ତର ତାଙ୍କର ଆଖିଡୋଳା କାଢି ନେଇଥିବା ସେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ସମ୍ପୃକ୍ତ ନର୍ସିଂହୋମ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ସିଡିଏମଓ ଏହାର ବିଧିବଦ୍ଧ ତଦନ୍ତ କରାଇବାକୁ ଯୁଗ୍ମ କମିଟି ଗଠନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଇଏ ହେଉଛନ୍ତି ଆଠଗଡ ଧାଇପୁର ଅଞ୍ଚଳର ସୁଲୋଚନା ରାଉତ । ନଭେମ୍ବର ୨୨ ତାରିଖରେ ସୁଲୋଚନାଙ୍କ ଡାହାଣ ଆଖିରେ ପାନ ଚୁନ ପଡିଯାଇଥିବାରୁ ଆଖି ବିନ୍ଧାବିନ୍ଧି କରିଥିଲା । ପରେ ରୋଟାରୀ, ଡାକ୍ତର ଚଣ୍ଡି ଦାସ, ଏଲ୍‌ଭି ଆଇ ହସ୍ପିଟାଲ ପରି ବିଭିନ୍ନ ଯାଗାରେ ସେ ନିଜର ଚିକିତ୍ସା କରେଇଥିଲେ । କିନ୍ତୁ ଯନ୍ତ୍ରଣା କମି ନଥିବାରୁ ସମସ୍ତେ ତାଙ୍କୁ କଟକ କାଠଗୋଲା ସାହିରେ ଥିବା ସାହାରା ନର୍ସିଂହୋମକୁ ଯିବାକୁ ପରାମର୍ଶ ଦେଇଥିଲେ । ବିଜୁ କୃଷକ କଲ୍ୟାଣ ଯୋଜନାରେ ମାଗଣାରେ ଅସ୍ତ୍ରୋପଚାର କରେଇବା ପାଇଁ ବାଧ୍ୟ ହୋଇ ସୁଲୋଚନା ସାହାରାରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଡିସେମ୍ବର ୧୨ ତାରିଖରେ ତାଙ୍କର ଡୋଳା କାଢି ନିଆଯାଇଥିବା ସ୍ଥାନୀୟ ମଙ୍ଗଳାବାଗ ଥାନାରେ ସେ ଅଭିଯୋଗ କରିଛନ୍ତି ।

{"id":70160}

ସେପଟେ ସୁଲୋଚନାଙ୍କ ଆରୋପ ଡାହା ମିଛ ବୋଲି ସାହାରା ନର୍ସିଂହୋମ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଅସ୍ତ୍ରୋପଚାର ପୂର୍ବରୁ ସୁଲୋଚନାଙ୍କ ପୁଅ ଓ ସମ୍ପର୍କୀୟମାନେ ଲିଖିତ ଆକାରରେ ଲେଖି ଦେଇଥିବା ସମ୍ପୃକ୍ତ ନର୍ସିଂହୋମ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି । ସୁଲୋଚନାଙ୍କ ଆଖିର ଅବସ୍ଥା ଦେଖି ଠିକ୍ ସମୟରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିବା ନର୍ସିଂହୋମ ପକ୍ଷରୁ କୁହାଯାଇଛି । ସେପଟେ ଅଭିଯୋଗ ଆଧାରରେ ଏକ ଯୁଗ୍ମ କମିଟି ଗଠନ କରି ଏହି ଘଟଣାର ସବିଶେଷ ତଦନ୍ତ ହେବ ବୋଲି ସିଡିଏମଓ ପ୍ରତିଶ୍ରୁତି ଦେଇଛନ୍ତି ।

ବିଜୁ କୃଷକ କଲ୍ୟାଣ ଯୋଜନା ଅନୁସାରେ ପୀଡିତାଙ୍କ ମାଗଣା ହେବାକୁ ଥିବା ଅସ୍ତ୍ରୋପଚାର ପାଇଁ ସୁଲୋଚନାଙ୍କୁ ବି ଅର୍ଥ ଦେବାକୁ ପଡିଛି ବୋଲି ଅଭିଯୋଗ ହୋଇଛି । ଅପରେସନ ନାଁରେ ତାଙ୍କର ଆଖି ଡୋଳା କାଢି ନିଆଯାଇଥିବାରୁ ସୁଲୋଚନା ଏବେ ପୂର୍ବ ଭଳି ଦେଖି ପାରୁନଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.