ଗୋଟିଏ କି ଦୁଇଟି ନୁହେଁ ଏକାସଙ୍ଗେ ୫ଟି ଶିଶୁଙ୍କୁ ଜନ୍ମ ଦେଲେ ମହିଳା, ମା’ ଛୁଆ ସମସ୍ତେ ସୁସ୍ଥ

Published By : Prameya-News7 Bureau | October 28, 2021 IST

ପାଟନା ୨୮/୧୦ : ବିହାରର ସିୱାନ ଅନ୍ତର୍ଗତ ସାଦର ହସ୍ପିଟାଲରେ ଏକ ଅଜବ ଘଟଣା ଘଟିଛି । ଜଣେ ମହିଳା ଏକାଥରେ ପାଞ୍ଚଟି ସନ୍ତାନ ଜନ୍ମ ଦେଇଛନ୍ତି । ଜନ୍ମ ନେଇଥିବା ଶିଶୁଙ୍କ ମଧ୍ୟରୁ ୩ ଜଣ ଝିଅ ଥିବା ବେଳେ ୨ ଜଣ ପୁତ୍ର ସନ୍ତାନ ରହିଛନ୍ତି । ମା’ ଏବଂ ୫ ସନ୍ତାନ ବର୍ତ୍ତମାନ ସୁସ୍ଥ ଥିଲେ ସୁଦ୍ଧା ଡାକ୍ତରଙ୍କ ତତ୍ତ୍ବାବଧାନରେ ରହିଛନ୍ତି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ତାଙ୍କ ଉପରେ ନଜର ରଖିଛନ୍ତି ।  

ସୂଚନାନୁସାରେ, ଗୁରୁବାର ଦିନ ଜଣେ ମହିଳା ସିୱାନର ସାଦର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଯାଞ୍ଚ ବେଳେ ଜଣାପଡିଥିଲା ଯେ ମହିଳାଙ୍କ ଗର୍ଭରେ ପାଞ୍ଚଟି ସନ୍ତାନ ଅଛନ୍ତି । ଡାକ୍ତରମାନେ ଖୁବ ସତର୍କତାର ସହ ଡେଲିଭରୀ କରିବାକୁ ନିଷ୍ପତ୍ତି ନେଇଥିଲେ । ସାଦର ହସ୍ପିଟାଲର ଡେପୁଟି ସୁପରିଟେଣ୍ଡେଣ୍ଟ ଡାକ୍ତର ରୀତା ସିଂହ କହିଛନ୍ତି ଯେ, ୫ଟି ଶିଶୁ ଜନ୍ମ ନେଇଥିବା ମହିଳା ହେଉଛନ୍ତି ଇସମାଇଲ ତାକିଆ ନିବାସୀ ମହମ୍ମଦ ଝୁନାଙ୍କ ପତ୍ନୀ ଫୁଲଜହାଁ ଖାତୁନ୍‌ । ଯାଞ୍ଚ ବେଳେ ଜଣାପଡିଥିଲା ଯେ, ଫୁଲଜହାଁଙ୍କ ପେଟରେ ୫ଟି ଶିଶୁ ରହିଛନ୍ତି । ତେଣୁ ଅପରେସନ କରି ପିଲାଙ୍କୁ ବାହାର କରିବା ପାଇଁ ମେଡିକାଲ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା ।

ଏହାପୂର୍ବରୁ ଜୁଲାଇ ମାସରେ, ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାରେ ୨୨ ବର୍ଷ ବୟସ୍କା ଜଣେ ମହିଳା ୪ଯି ସନ୍ତାନ ଜନ୍ମ ଦେଇଥିଲେ। ସେ ମହିଳା ଜଣକ ୟୁପର ଅଜନ୍ତା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ୩ଟି ଝିଅ ଏବଂ ଗୋଟିଏ ପୁଅ ଜନ୍ମ ହୋଇଥିଲା ଜନ୍ମ ହବା ପରେ ସମସ୍ତେ ସୁସ୍ଥ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.