ନିନ୍ଦନୀୟ ! ଘରେ ପଶି ମହିଳାଙ୍କ ସହ ଗଣଦୁଷ୍କର୍ମ, ବିରୋଧ କରିବାରୁ ଶାଶୁ ଓ ସ୍ୱାମୀଙ୍କୁ ମାରପିଟ୍

Published By : Prameya-News7 Bureau | October 20, 2020 IST

ହିଣ୍ଡୋନ ୨୦/୧୦ : ସାରା ଦେଶରେ ନବରାତ୍ର ପାଳନ କରାଯାଉଛି। ନବରାତ୍ର ସମୟରେ ମହିଳାମାନଙ୍କୁ ସମ୍ମାନ ଦେବା ଉଚିତ। କିନ୍ତୁ ଦେଶରେ ମହିଳାମାନଙ୍କ ପ୍ରତି ନିର୍ଯ୍ୟାତନା ଥମିବାର ନାଁ ନେଉନାହିଁ। ରାଜସ୍ଥାନ ହିଣ୍ଡୋନରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ୩ଜଣ ଲୋକ ଜଣକ ଘରେ ପଶି ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ କରି ଫେରାର ହୋଇଥିବା ମାମଲା ସାମ୍ନାକୁ ଆସିଛି। ମହିଳାଙ୍କୁ ଗଣଦୁଷ୍କର୍ମ କଲାବେଳେ ତାଙ୍କ ସ୍ୱାମୀ ଓ ଶାଶୁ ତାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିବାରୁ ଦୁର୍ବୁତ୍ତମାନେ ତାଙ୍କୁ ମାଡ ମାରିଥିଲେ। ବର୍ଷେ ପୂର୍ବରୁ ମଧ୍ୟ ଅଭିଯୁକ୍ତମାନେ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲେ ବୋଲି ଜଣାପଡିଛି। ଏନେଇ କରୌଲି ମହିଳା ଥାନାରେ ମାମଲା ରୁଜ୍ଜୁ ହୋଇଥିଲା।

ସଦର ଥାନା କାର୍ଯ୍ୟବାହୀ ଥାନା ପ୍ରଭାରୀ ନଗେନ୍ଦ୍ର କୁମାର କହିଛନ୍ତି ଯେ ଘଟଣା ହିଣ୍ଡୋନ ସଦର ଥାନା ଅନ୍ତର୍ଗତ ଏକ ଗାଁରେ ଘଟିଛି। ୩୦ ବର୍ଷ ବୟସ୍କା ପୀଡିତାଙ୍କ ତରଫରୁ ରୁଜ୍ଜୁ ହୋଇଥିବା ମାମଲା ଅନୁସାରେ, ତିନି ଦିନ ପୂର୍ବରୁ ତିନି ଜଣ ତାଙ୍କ ଘରେ ପଶି ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଅଭିଯୁକ୍ତମାନେ ତାଙ୍କ ସହ ମାରପିଟ ମଧ୍ୟ କରିଥିଲେ। ମହିଳା ପାଟି କରିବାରୁ ତାଙ୍କ ସ୍ୱାମୀ ଓ ଶାଶୁ ଦୌଡ଼ି ଆସିଥିଲେ। ସେମାନେ ମହିଳାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିବାରୁ ଅଭିଯୁକ୍ତମାନେ ତାଙ୍କୁ ମାରପିଟ କରିଥିଲେ। ପୋଲିସ ମହିଳାଙ୍କ ମେଡିକାଲ ଯାଞ୍ଚ କରାଇଛି। ମାମଲାରେ ଦିଲୀପ, ବସନ୍ତ ଓ ଅନ୍ୟଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି।

ସୂଚନାଯୋଗ୍ୟ ଯେ ରାଜ୍ୟରେ ଅପରାଧ ବଢ଼ିବାରେ ଲାଗିଛି। ଅପରାଧୀ ଲଗାତାର ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଭଳି ଲଜ୍ଜାଜନକ କାଣ୍ଡ ଘଟାଇ ଚାଲିଛନ୍ତି। ନିକଟରେ ଜାଲୋର ଜିଲ୍ଲା ଭିନମାଲ ଅଞ୍ଚଳରେ ୬ଜଣ ଯୁବକ ଘରେ ଶୋଇଥିବା ଦୁଇ ନାବାଳିକା ଭଉଣୀଙ୍କୁ ଘରୁ ଟେକି ନେଇଥିଲେ। ଏକ ପାହାଡିଆ ଅଞ୍ଚଳକୁ ନେଇ ସେମାନଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ପରେ ଦୁଇ ନାବାଳିକାଙ୍କୁ ବେହୋସ ଅବସ୍ଥାରେ ସେଠାରେ ଛାଡି ଫେରାର ହୋଇଯାଇଥିଲେ। ରାଜ୍ୟରେ ଲଗାତାର ଅପରାଧ ବଢି ଚାଲିଛି। ଫଳରେ ରାଜନୀତି ମଧ୍ୟ ସରଗରମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.