ଚଳନ୍ତା କାର୍ରେ ମହିଳାଙ୍କୁ ଗଣଦୁଷ୍କର୍ମ, ୧୨ଘଣ୍ଟା ପର୍ଯ୍ୟନ୍ତ ରଖିଥିଲେ ବନ୍ଧକ
29/01/2020 at 3:06 PM

ଭୋପାଳ ୨୯।୧: ଭୋପାଳରେ ଚଳନ୍ତା କାର୍ ରେ ଦୁଇ ଜଣ ମିଶି ଜଣେ ମହିଳାଙ୍କୁ ଅପହରଣ ପରେ ଦୁଷ୍କର୍ମ କରିଛନ୍ତି । ପୀଡିତା ମହିଳାଙ୍କୁ ପ୍ରାୟ ୧୨ଘଣ୍ଟା ପରେ ଉଦ୍ଧାର କରାଯାଇଛି । ଅଭିଯୁକ୍ତମାନେ ହତ୍ୟା ଧମକ ଦେଇଥିବା ଯୋଗୁଁ ପୀଡିତା ଥାନାରେ ଅଭିଯୋଗ କରିନଥିଲେ । ୨୪ଘଣ୍ଟା ପରେ ପୀଡିତା ଥାନାରେ ଅଭିଯୋଗ କରିଥିଲେ ।
ଭୋପାଳର କରୋନ୍ଦ ଅଞ୍ଚଳରେ ରହୁଥିବା ପୀଡିତା କୋଲାର ଅଞ୍ଚଳର ଜେକେ ହସ୍ପିଟାଲ ଯାଉଥିଲେ । ସେହି ସମୟରେ ତାଙ୍କର ଜଣେ ସଂପର୍କୀୟଙ୍କ ଫୋନ୍ ଆସିଥିଲା । ସେହି ସଂପର୍କୀୟ ଜଣଙ୍କ ହସ୍ପିଟାଲରେ ତାଙ୍କୁ ସାହାଯ୍ୟ କରିବାକୁ କହିଥିଲେ । ଯୁବକ ଜଣଙ୍କ ଘଟଣାସ୍ଥଳରେ ପହଞ୍ଚି ଥିଲେ ଏବଂ ପୀଡିତାଙ୍କୁ ସାଙ୍ଗରେ ହସ୍ପିଟାଲ ନେଇଯିବା ପାଇଁ ନେଇଥିଲେ । ମାତ୍ର ପୀଡିତାଙ୍କୁ ହସ୍ପିଟାଲକୁ ନନେଇ ଅନ୍ୟ ଅନ୍ୟ ସ୍ଥାନକୁ ନେଇଯାଇଥିଲେ । ତାଙ୍କ ସହ ତାଙ୍କର ଜଣେ ସାଙ୍ଗ ଉପସ୍ଥିତ ଥିଲେ ।
ଉଭୟ ଚଳନ୍ତା କାର୍ ରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ୧୨ ଘଣ୍ଟା ପର୍ଯ୍ୟନ୍ତ ମହିଳାଙ୍କୁ ସେମାନେ ବନ୍ଧକ ରଖିଥିଲେ । ପରେ ଏକ ନିଛାଟିଆ ସ୍ଥାନରେ ଫିଙ୍ଗି ଦେଇ ଚାଲିଯାଇଥିଲେ । ପୀଡିତା ଜଣଙ୍କ ଗୁରୁତର ଅବସ୍ଥାରେ ଘରେ ପହଞ୍ଚିଥିଲେ । ମାତ୍ର ଅଭିଯୁକ୍ତଙ୍କ ଭୟରେ ସେ ମୁହଁ ଖୋଲିନଥିଲେ । ମାତ୍ର ଘଟଣାର ୨୪ଘଣ୍ଟା ପରେ ପୀଡିତା ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ ।
ପୀଡିତା ମହିଳା ଜଣଙ୍କ ତାଙ୍କର ଦୁଇ ଝିଅଙ୍କ ସହ କରୋନ୍ଦ ଅଞ୍ଚଳରେ ରହୁଥିଲେ । ତାଙ୍କ ସ୍ବାମୀ ତାଙ୍କୁ ଅନ୍ୟ ମହିଳା ପାଇଁ ଛାଡିଦେଇଥିବା ପୀଡିତା ମହିଳା ପୋଲିସ ନିକଟରେ ପ୍ରକାଶ କରିଥିଲେ । ୬ମାସ ପୂର୍ବରୁ ମହିଳାଙ୍କୁ ଅଭିଯୁକ୍ତ ଯୁବକର ଫୋନ୍ ଆସିଥିଲା । ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ଆରମ୍ଭ ହୋଇଥିଲା । ଯୁବକ ଜଣଙ୍କ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ । ମାମଲାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିନାହିଁ ପୋଲିସ । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।