ବିବାହିତା ମହିଳାଙ୍କୁ ଅପହରଣ ଓ ଗଣଦୁଷ୍କର୍ମ: ନିଶା ଇଞ୍ଜେକ୍ସନ ଦେଇ ୯ ଦିନ ଯାଏଁ ଗଣଦୁଷ୍କର୍ମ କରୁଥିଲେ ୪ ସାଙ୍ଗ

Published By : Prameya-News7 Bureau | July 13, 2021 IST

ଗୁରୁଃଗ୍ରାମ ୧୩/୦୭ : ଗୁରୁଃଗ୍ରାମରେ ଜଣେ ବିବାହିତା ମହିଳାଙ୍କୁ ଅପହରଣ କରି ୯ ଦିନ ଯାଏଁ ଗୋଟିଏ କୋଠରୀରେ ବନ୍ଧକ କରି ରଖାଯାଇଥିଲା। ମହିଳାଙ୍କ ନିଶା ଇଞ୍ଜେକ୍ସନ ଦେଇ ବେହୋସ ଅବସ୍ଥାରେ ତାଙ୍କ ସହ ଗଣଦୁଷ୍କର୍ମ କରାଯାଉଥିଲା। ଅଭିଯୁକମାନେ ଦୁଷ୍କର୍ମର ଭିଡିଓ ମଧ୍ୟ କରିଥିଲେ ଓ ଏ ସମ୍ବନ୍ଧରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ବିରୋଧ କରିବାରୁ ମହିଳାଙ୍କୁ ମାଡ ମଧ୍ୟ ମାରିଥିଲେ। ପୀଡିତା ମହିଳାଙ୍କୁ ନିଶା ଅବସ୍ଥାରେ ଫରିଦାବାଦ ବଲ୍ଲଭଗଡରେ ଛାଡି ଫେରାର ହୋଇଯାଇଥିଲେ। ସେଠାରୁ ମହିଳା ନିଜ ଘରକୁ ଫୋନ କରିଥିଲେ। ତାଙ୍କ ଦିଅର ତାଙ୍କୁ ନେବାକୁ ଆସିଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିବ ପରେ ପରିବାର ଲୋକେ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପୋଲିସ ମହିଳାଙ୍କ ଅଭିଯୋଗ କ୍ରମେ ରବିବାର ଦିନ ସଦର ଥାନାରେ ବିଭିନ୍ନ ଧାରାରେ ମାମଲା ରୁଜ୍ଜୁ କରି ଯାଞ୍ଚ ଆରମ୍ଭ କରିଛି। ଏବେ ଯାଏଁ ଅଭିଯୁକ୍ତଙ୍କ ପତ୍ତା ମିଳିନାହିଁ।

ସୋହନାର ଏକ ଗାଁରେ ରହୁଥିବା ୨୨ ବର୍ଷୀୟ ମହିଳା ନିଜ ଅଭିଯୋଗରେ କହିଛନ୍ତି ଯେ ଜୁନ ୨୯ ତାରିଖରେ ଘର ନିକଟକୁ ସେ ପାଣି ଆଣିବାକୁ ଯାଇଥିଲେ। ସେଠାରେ ଜଣେ ପରିଚିତଙ୍କ ସହ ଦେଖା ହୋଇଥିଲା। ଚିଣ୍ଟୁ ନାମକ ସେହି ପରିଚିତ ଜୁନ ୩୦ରେ ତାଙ୍କୁ କୌଣସି ଏକ କାମରେ ଦେଖା କରିବାକୁ ଡାକିଥିଲା। ସକାଳ ୫ଟା ସମୟରେ ସେ ମନ୍ଦିର ପାଖକୁ ତାକୁ ଦେଖା କରିବାକୁ ଯାଇଥିଲେ। ମନ୍ଦିର ପାଖକୁ ଏକ ଧଳା କାର ଆସିଥିଲା। ଦୀପକ କାର ଚଲାଉଥିଲା ଓ ପଛପଟେ ସଞ୍ଜୁ ନାମକ ଆଉ ଜଣେ ଯୁବକ ବସିଥିଲା। ସମସ୍ତେ ମିଶି ମହିଳାକିଂ ଜୋର ଜବରଦସ୍ତ କାରରେ ବସାଇଥିଲେ ଓ ତାଙ୍କୁ ଫରିଦାବାଦ ନେଇଯାଇଥିଲେ। ମହିଳା ଅଭିଯୁକ୍ତଙ୍କୁ ପାଣି ମାଗିଥିଲେ। ପାଣିରେ ସେମାନେ କିଛି ନିଶା ମିଶାଇ ଦେଇଥିଲେ। ପାଣି ପିଇବା ପରେ ସେ ବେହୋସ ହୋଇଯାଇଥିଲେ। ହୋସ ଆସିଲାବେଳେ ସେ ଏକ କୋଠରୀରେ ଥିଲେ। କୋଠରୀରେ କିଛି ମଦ ବୋତଲ ଥିଲା।

ଜୁନ ୩୦ ରାତିରେ କୁଲଦୀପ ନାମକ ଆଉ ଏକ ଯୁବକ ସେହି କୋଠରୀକୁ ଆସିଥିଲା। ଏହାପରେ ୪ଜଣ ସାଙ୍ଗ ମିଶି ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ମହିଳାଙ୍କୁ ନିଶା ଇଞ୍ଜେକ୍ସନ ଦିଆଯାଉଥିଲା। ଇଞ୍ଜେକ୍ସନ ଦେବାପରେ ସେ ବେହୋସ ହୋଇଯାଉଥିଲେ। ଅଭିଯୁକ୍ତମାନେ ମହିଳାଙ୍କୁ ସବୁଦିନ ଇଞ୍ଜେକ୍ସନ ଓ ନିଶା ବଟିକା ଖୁଆଉଥିଲେ ଓ ତାପରେ ଗଣଦୁଷ୍କର୍ମ କରୁଥିଲେ। ୯ ଦିନ ଯାଏଁ ଏସବୁ ଚାଲିଥିଲା।

ମହିଳାଙ୍କ କହିବାନୁଯାୟୀ, ଅଭିଯୁକ୍ତମାନେ ବର୍ବରତାର ସବୁ ସୀମା ପାର କରିଦେଇଥିଲେ। ବିରୋଧ କଲେ ମହିଳାଙ୍କୁ ମଦ ମାରୁଥିଲେ। ଅଭିଯୁକ୍ତମାନେ ମୋବାଇଲରେ ମହିଳାଙ୍କ ଅଶ୍ଳୀଳ ଭିଡିଓ ମଧ୍ୟ ରେକଡିଂ କରିଥିଲେ। ଏ ସମ୍ବନ୍ଧରେ କାହାକୁ କହିଲେ ପୁରା ପରିବାରକୁ ଜୀବନ ମାରିଦେବାକୁ ତାଙ୍କୁ ଧମକ ମଧ୍ୟ ଦେଉଥିଲେ। ସ୍ୱାମୀ ଫୋନ କଲେ ମହିଳାଙ୍କୁ ପିସ୍ତଲ ଦେଖାଇ ସେ ଭଲ ଅଛନ୍ତି ବୋଲି କହିବାକୁ ଧମକ ଦେଉଥିଲେ।

୯ ଦିନ ଯାଏଁ ଅଭିଯୁକ୍ତମାନେ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଜୁଲାଇ ୮ ତାରିଖ ସକାଳେ ମହିଳାଙ୍କୁ ନିଶା ଅବସ୍ଥାରେ ବଲ୍ଲଭଗଡ ବସ ଷ୍ଟାଣ୍ଡରେ ଛାଡି ଫେରାର ହୋଇଯାଇଥିଲେ। ସେଠାରୁ ମହିଳା ନିଜ ପରିବାରଲୋକଙ୍କୁ ଫୋନ କରିଥିଲେ। ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିବା ପରେ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିଲେ। ଏସପି ସନ୍ଦୀପ ମଲିକ କହିଛନ୍ତି ଯେ ଅଭିଯୋଗ ଆଧାରରେ ଯାଞ୍ଚ ଆରମ୍ଭ ହୋଇଛି ଏବଂ ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.