ରତନ ଟାଟାଙ୍କୁ ବି ଛାଡ଼ିଲେନି ଠକ: ମହିଳା 420 ବ୍ୟବହାର କରୁଥିଲେ ଟାଟାଙ୍କ କାର ନମ୍ବର, ମୁମ୍ବାଇ ଅଫିସ୍‌କୁ ଚାଲାଣ ଆସିବା ପରେ ଫିଟିଲା ଗୁମର

Published By : Prameya-News7 Bureau | January 05, 2021 IST

ମୁମ୍ବାଇ ୦୫/୦୧: ଦେଶ​‌ରେ ଅନେକ କାର ନକଲି ନମ୍ବର ପ୍ଲେଟ ସହ ରାସ୍ତାରେ ଦୌଡ଼ୁଛି । କିନ୍ତୁ ରତନ ଟାଟାଙ୍କ ଗାଡ଼ି ନମ୍ବରକୁ ବ୍ୟବହାର କରି ମୁମ୍ବାଇର ଜଣେ ମହିଳା ପୋଲିସ ହାତରେ ଧରାପଡ଼ିଛନ୍ତି। ଭାରତରେ ଖୁବ ଲୋକପ୍ରିୟ ଉଦ୍ୟୋଗପତି ରତନ ଟାଟାଙ୍କୁ କିଏ ନଜାଣେ। ତାଙ୍କ କାର ନମ୍ବରକୁ ଗାଡ଼ିରେ ଲଗାଇ ମହିଳା ଜଣଙ୍କ ବୁଲିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି।

ରତନ ଟାଟାଙ୍କ କାର ନମ୍ବର MH01 DK 111 । ଜି ନ୍ୟୁଜ୍‌ରେ ପ୍ରକାଶିତ ଖବର ଅନୁସାରେ ମୁମ୍ବାଇର ଜଣେ ମହିଳା ନିଜ କାରରେ ସମାନ ନମ୍ବର ପ୍ଲେଟ୍‌ ଲଗାଇଥିଲେ। ମହିଳା ଦୀର୍ଘ ଦିନ ହେଲା ଏହି ନମ୍ବର ପ୍ଲେଟ୍‌ ସହ ବୁଲୁଥିବା ବେଳେ ଘଟଣାର ପର୍ଦ୍ଦାଫାସ ନାଟକୀୟ ଢ଼ଙ୍ଗରେ ହୋଇଛି। ମୁମ୍ବାଇ ଟ୍ରାଫିକ୍‌ ପୋଲିସ କାରଟିର ଚାଲାଣ କାଟିଥିଲା। କିନ୍ତୁ ଏହି ଚାଲାଣ ଗାଡ଼ି ନମ୍ବର ଆଧାରରେ ରତନ ଟାଟାଙ୍କ ମୁ୍ମ୍ବାଇସ୍ଥିତ କାର୍ଯ୍ୟାଳୟରେ ପହଞ୍ଚିଥିଲା।

ଇ-ଚାଲାଣ ପାଇବା ପରେ ଟାଟାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ତଦନ୍ତ କରାଯାଇଥିଲା। ପରେ ଜଣାପଡ଼ିଲା ଯେ, କାର ସେହିଦନ ଚାଲାଣ କଟିଥିବା ରାସ୍ତା ଦେଇ ଗତି କରିନାହିଁ। ଏଥିରୁ ଜାଲିଆତିର ଗନ୍ଧ ବାରି ପାରିବା ସହ ଟାଟାଙ୍କ କାର୍ଯ୍ୟାଳୟ ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା।

ପୋଲିସ ଛାନଭିନ୍‌ କରିବା ପରେ ଜାଣିବାକୁ ପାଇଥିଲା ରତନ ଟାଟାଙ୍କ କାର ନମ୍ବର ବ୍ୟବହାର ହୋଇଥିବା ଅନ୍ୟ ଏକ କାର ମୁମ୍ବାଇର ମାତୁଙ୍ଗା ଅଞ୍ଚଳରେ ଫାଇଭ୍‌ ଗାର୍ଡେନ ଅଞ୍ଚଳରେ ପଡ଼ିରହିଛି। ପୋଲିସ କାରଟିକୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି। ପରେ କିନ୍ତୁ ଜଣାପଡ଼ିଥିଲା ଯେ ସେଦିନ କାରଟିକୁ ଜଣେ ମହିଳା ଚଳାଉଥିଲେ।

ତେବେ ଏଭଳି ନମ୍ବର ବ୍ୟବହାର କରିବା ଦ୍ବାରା ଲୋକମାନଙ୍କୁ ପୋଲିସର ଭୟ ରହୁନି। କାରଣ ଭିଆଇପି ନମ୍ବର ସ୍ବତନ୍ତ୍ର ଭାବେ କରାଯାଇଥାଏ। ଏଥିପାଇଁ ୧୨ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ବୋଲି ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟରୁ ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.