ମହିଳା ଅର୍ଡର କରିଥିଲେ ଖାଇବା : ତରକାରୀରୁ ବାହାରିଲା ୪୦ଟି ମଲା ଅସରପା, ଦେଖନ୍ତୁ ଭିଡିଓ
12/03/2019 at 2:57 PM
ବେଜିଙ୍ଗ ୧୨/୩ : ଖାଦ୍ୟ ପଦାର୍ଥରେ ଅଜବ ଅଜବ ଜିନିଷ ବାହାରିଥିବା କଥା ଆପଣ ପୂର୍ବରୁ ମଧ୍ୟ ଶୁଣିଥିବେ | ବେଳେ ହୋଟେଲରେ ଖାଉଥିବାବେଳେ ଭୋଜନରେ କୀଟ କିମ୍ୱା ଅନ୍ୟ କୌଣସି ଜିନିଷ ବାହାରିଥିବା ବା ଭାତରେ ଦାନ୍ତ ବାହାରିଥିବା ଘଟଣା ପୁରୁଣା | ଏମିତି ଏକ ଘଟଣା ଚୀନରେ ଘଟିଛି ଯାହାକୁ ଆପଣ ବିଶ୍ୱାସ କରିପାରିବେ ନାହିଁ | ଚୀନରେ ରେସ୍ତୋରାଁରୁ ଜଣେ ମହିଳା ରାତ୍ରି ଭୋଜନ ପାଇଁ ତରକାରୀ ଅନଲାଇନ ଅର୍ଡର କରିଥିଲେ | ନିର୍ଧାରିତ ସମୟ ମଧ୍ୟରେ ମହିଳାଙ୍କ ଅର୍ଡର ତାଙ୍କ ଘରେ ପହଂଚି ଯାଇଥିଲା | ଏହାପରେ ମହିଳା ଖାଇବା ବାଢ଼ିଥିଲେ | ଖାଇବା ଦେଖି ମହିଳା ଆଶ୍ଚର୍ଯ୍ୟ ହୋଇଯାଇଥିଲେ |

ଖାଇବା ପରଷିବା ମାତ୍ରେ ତରକାରୀରେ ଅସରପା ପଡିଥିବା ଦେଖିବାକୁ ପାଇଥିଲେ | ସେ ପୁଣି ଗୋଟିଏ କି ୨ଟି ନୁହେଁ ପୁରା ୪୦ଟି ମଲା ଅସରପା | ମହିଳା ଏବଂ ତାଙ୍କ ବନ୍ଧୁ ଗୋଟି ଗୋଟି କରି ସବୁ ଅସରପା ବାହାର କରି ଗୋଟିଏ ଟିସୁ ପେପରରେ ରଖିଥିଲେ | ତାପରେ ଜାଣିବାକୁ ପାଇଥିଲେ ଯେ, ଗୋଟିଏ ପ୍ଲେଟ ଡକ ଡିଶରେ ୪୦ଟି ଅସରପା ଥିଲା |
ଏହାପରେ ମହିଳା ରେସ୍ତୋରାଁ ମାଲିକଙ୍କ ନାଁରେ ଅଭିଯୋଗ କରିଥିଲେ | ପୋଲିସ ଘଟଣାର ତଦନ୍ତ କରୁଛି | ତଦନ୍ତ ପାଇଁ ରେସ୍ତୋରାଁ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ | ତେବେ ମହିଳା ଅର୍ଡର କରିଥିବା ଖାଦ୍ୟ ସେତେବେଳେ ରୋଷେଇ କରାଯାଇଥିଲା ନା ପୂର୍ବରୁ ଥିବା ଖାଦ୍ୟକୁ ଗରମ କରି ଦିଆଯାଇଥିଲା ସେନେଇ ଯାଞ୍ଚ କରାଯାଉଛି |
ମହିଳାଙ୍କ ବନ୍ଧୁ ଏହାର ଭିଡିଓ ମଧ୍ୟ ରେକଡିଂ କରିଛନ୍ତି | ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଭିଡିଓ ଭାଇରାଲ ହେବାପରେ ରେସ୍ତୋରାଁ ମାଲିକ ମହିଳାଙ୍କୁ ଭୁଲ ମାଗିବା ଉଚିତ ବୋଲି ଲୋକେ କହୁଛନ୍ତି |
ଏହିସବୁ ଘଟଣା ପାଇଁ ଧୀରେ ଧୀରେ ଅନଲାଇନ ଫୁଡ ଡେ଼ଲିଭରୀ ପ୍ରତି ଲୋକଙ୍କ ବିଶ୍ୱାସ କମି କମି ଯାଉଛି | କିଛି ଦିନ ପୂର୍ବରୁ ଦିଲ୍ଲୀରେ ମଧ୍ୟ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଥିଲା | ଜଣେ ବ୍ୟକ୍ତି ଜୋମାଟୋ ଖାଇବା ଅର୍ଡର କରିଥିଲେ | ତାଙ୍କ ଖାଇବାରେ ଏକ ଅସରପା ବାହାରିଥିଲା |