ହାଡଭଙ୍ଗା ଶୀତରେ ରାତି ସାରା ଗଙ୍ଗା ନଦୀରେ ଥଣ୍ଡା ପାଣିରେ ଭାସୁଥିଲେ ମହିଳା: ସକାଳୁ ଜୀବିତ ଉଦ୍ଧାର କଲେ ମାଛ ଧରାଳି

Published By : Prameya-News7 Bureau | December 22, 2020 IST

ନୂଆଦିଲ୍ଲୀ ୨୨/୧୨ : କଥାରେ ଅଛି ରଖେ ହରି ତ ମାରେ କିଏ। ବିହାରରୁ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି।ଉତ୍ତର ପ୍ରଦେଶ ଓ ବିହାର ଗତ କିଛି ଦିନ ହେଲା ପ୍ରବଳ ଶୀତ ପଡିଛି। ବିଶେଷକରି ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିଛି। ଲୋକେ ଘରେ ନିଆଁ ପୁଇଁ ନିଜକୁ ଉଷୁମ ରଖିବାକୁ ଚେଷ୍ଟା କରୁଛନ୍ତି। ଥଣ୍ଡା ପ୍ରକୋପରୁ ରକ୍ଷା ପାଇବାକୁ ଲୋକେ ଘରୁ ବାହାରୁ ନାହାନ୍ତି। ଅତି ଜରୁରୀ କାମ ଥିଲେ ହିଁ ବାହାରୁଛନ୍ତି। ଇତି ମଧ୍ୟରେ ବିହାର ପାଟନାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ବୈଶାଳୀ ଜିଲ୍ଲାର ଜଣେ ମହିଳା ରାତି ସାରା ଗଙ୍ଗା ନଦୀର ଥଣ୍ଡା ପାଣି ସ୍ରୋତରେ ଭାସୁଥିଲେ। ସକାଳେ ଲୋକଙ୍କ ନଜର ମହିଳାଙ୍କ ଉପରେ ପଡିଲା। କିନ୍ତୁ ଲୋକେ ତାଙ୍କୁ ମୃତ ବୋଲି ଭାବିନେଲେ। ମାଛ ଧରାଳିମାନେ ମହିଳାଙ୍କୁ ନଦୀରୁ ଉଦ୍ଧାର କଲେ। ମହିଳା ଜଣକ ଜୀବିତ ଥିଲେ।

ଘଟଣା ବୈଶାଳୀ ଜିଲ୍ଲାର। ଅନିତା ଦେବୀ ନାମକ ଜଣେ ମହିଳା ସୋମବାର ରାତିରେ ଏକ ଅଟୋରେ ଗଙ୍ଗା ନଦୀ ଉପରେ ତିଆରି ହୋଇଥିବା କାଠ ପୋଲ ଦେଇ ଯାଉଥିଲେ। ତାଙ୍କ ସ୍ୱାସ୍ଥ୍ୟ ହାଥ ବିଗିଡି ଯିବାରୁ ସେ ଅଟୋରୁ ଓହ୍ଲାଇ ପୋଲ ଉପରେ ବସିପଡ଼ିଲେ। ଏତିକିବେଳେ ହଠାତ ତାଙ୍କ ଗୋଡ ଖସିଗଲା ଓ ସେ ଗଙ୍ଗା ନଦୀରେ ପଡିଗଲେ।

ମହିଳା ଜଣକ ରାତି ସାରା ଗଙ୍ଗା ନଦୀରେ ଥଣ୍ଡା ପାଣିରେ ଭାସୁଥିଲେ। ସେ ରାତିରେ ପାଖାପାଖି ୧୦ କିଲୋମିଟର ଦୂର ଯାଏଁ ଭାସି ଯାଇଥିଲେ। ମଙ୍ଗଳବାର ସକାଳୁ କିଛି ମାଛ ଧରାଳିଙ୍କ ନଜର ମହିଳାଙ୍କ ଉପରେ ପଡିଥିଲା। ସେମାନେ ତୁରନ୍ତ ମହିଳାଙ୍କୁ ଉଦ୍ଧାର କରିଥିଲେ। ସେତେବେଳେ ପାଖରେ ଲୋକ ମଧ୍ୟ ଜମା ହୋଇଯାଇଥିଲେ। ଅନେକ ଲୋକ ତାଙ୍କୁ ମୃତ ଭାବୁଥିଲେ। କିନ୍ତୁ ମହିଳା ଜୀବିତ ଥିଲେ। ସେମାନେ ମହିଳାଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲରେ ତାଙ୍କୁ ରୁମ ହିଟର ଓ ଶୀତବସ୍ତ୍ର ପିନ୍ଧାଇ ରଖାଗଲା। ଚିକିତ୍ସା ପରେ ମହିଳା ସୁସ୍ଥ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.