ରଖେ ହରି ତ ମାରେ କିଏ: ପାହାଡ ଉପରେ ପ୍ରପୋଜ୍ କଲେ ପ୍ରେମିକ, ୬୫୦ ଫୁଟ୍ ଉଚ୍ଚ ପାହାଡରୁ ଖସିଗଲା ପ୍ରେମିକାଙ୍କ ଗୋଡ
2/01/2021 at 7:38 PM

କାରିନ୍ଥିୟା ୦୨/୦୧ : ପ୍ରେମରେ ପଡିଥିବା ଜଣେ ଯୁବକ ଯେତେବେଳେ ନିଜ ପ୍ରେମିକାକୁ ପ୍ରପୋଜ କରିବା କୌଣସି ସୁନ୍ଦର ସ୍ବପ୍ନ ସତ ହେବା ଠାରୁ କମ ନୁହେଁ। ଏହିଭଳି ସ୍ଥିତିରେ ଲୋକେ ଅତ୍ୟନ୍ତ ଖୁସି ହୋଇଯାଇଥାନ୍ତି, ଖୁସିରେ ଝୁମି ଉଠନ୍ତି। ଅଷ୍ଟ୍ରିଆରେ ଜଣେ ପ୍ରେମିକ ନିଜ ପ୍ରେମିକାକୁ ପ୍ରପୋଜ କରିବା ବହୁତ ମହଙ୍ଗା ପଡିଲା। ଯୁବକ ପ୍ରପୋଜ କରିବା ପରେ ଖୁସିରେ ଯୁବତୀ ଏମିତି ଝୁମି ଉଠିଲେ ଯେ ତାଙ୍କ ଗୋଡ ଖସିଗଲା ଓ ସେ ପାହାଡ ଉପରୁ ୬୫୦ ଫୁଟ ତଳକୁ ଖସିଗଲେ।
ଘଟଣା ଅଷ୍ଟ୍ରିଆର କାରିନ୍ଥିୟା ଅଞ୍ଚଳର। ଏହି ପ୍ରେମୀଯୁଗଳଙ୍କ ପାଇଁ ପ୍ରେମର ଏହି ସୁନ୍ଦର ମୁହୂର୍ତ୍ତ କ୍ଷଣକେ ଭୟଙ୍କର ସ୍ବପ୍ନ ପାଲଟିଗଲା। ଯୁବକ ଯେମିତି ଯୁବତୀଙ୍କୁ ପ୍ରପୋଜ କଲେ ଯୁବତୀ ମୁଣ୍ଡ ହଲାଇଥିଲେ। ସେତେବେଳେ ଉଭୟ ପାହାଡ ଉପରେ ଥିଲେ। ଠିକ୍ ଏତିକିବେଳେ ଯୁବତୀଙ୍କ ଗୋଡ ଖସିଗଲା। ଦ ସନ୍ ରିପୋର୍ଟ ଅନୁଯାୟୀ, ୨୭ ବର୍ଷୀୟ ଜଣେ ଯୁବକ କାରିନ୍ଥିୟାରେ ନିଜ ପ୍ରେମିକାଙ୍କୁ ପ୍ରପୋଜ କଲେ। ଯୁବତୀ ପ୍ରପୋଜାଲ ସ୍ୱୀକାର କଲେ ଏବଂ ହଠାତ ତାଙ୍କ ଗୋଡ ଖସିଯିବାରୁ ସେ ଫଲ୍କର୍ଟ ପାହାଡ ଉପରୁ ପଡିଗଲେ। ଘଟଣା ଡିସେମ୍ବର ୨୭ ତାରିଖର। ଏହି ପ୍ରେମୀଯୁଗଳ ଦିନେ ପୂର୍ବରୁ ଟ୍ରେକିଙ୍ଗ ପାଇଁ ପାହାଡକୁ ଯାଇଥିଲେ।

୬୫୦ ଫୁଟ୍ ତଳକୁ ପଡିବା ପରେ ମଧ୍ୟ ଯୁବତୀ ବଞ୍ଚିଗଲେ। ଯୁବତୀଙ୍କ ଭାଗ୍ୟ ବହୁତ ଭଲ ଥିଲା ଯେଉଁଥିପାଇଁ ସେ ଏତେ ଉପରୁ ପଡିବା ସତ୍ତ୍ୱେ ବଞ୍ଚିଗଲେ। ତୁଷାରପାତ ଯୋଗୁଁ ପାହାଡ ତଳେ ବରଫ ଜମା ହୋଇଥିଲା। ଯାହାଫଳରେ ଯୁବତୀ ବେଶୀ ଆହତ ହୋଇନଥିଲେ। ନିଜ ପ୍ରେମିକାକୁ ବଞ୍ଚାଇବାକୁ ଯୁବକ ମଧ୍ୟ ଡେଇଁ ପଡ଼ିଥିଲେ। କିନ୍ତୁ ୫୦ ଫୁଟ୍ ତଳକୁ ଯିବାପରେ ସେ ଗୋଟେ ଜାଗାରେ ଫସି ଯାଇଥିଲେ। ତେବେ ଯୁବକଙ୍କର ମଧ୍ୟ ଜୀବନ ବଞ୍ଚିଯାଇଥିଲା। ତେବେ ଯୁବକଙ୍କ ଗୋଡ ଭାଙ୍ଗି ଯାଇଛି।

ଡେଲି ମେଲ୍ ଖବର ଅନୁଯାୟୀ, ପାହାଡରୁ ପଡିବା ପରେ ଯୁବତୀ ଏକ ଝରଣା ପାଖରେ ବେହୋସ ହୋଇ ପଡ଼ିଥିଲେ। ଜଣେ ପର୍ଯ୍ୟଟକ ତାଙ୍କୁ ଦେଖି ସୁରକ୍ଷାକର୍ମୀଙ୍କୁ ସୂଚନା ଦେଇଥିଲେ। ଏହାପରେ ଉଭୟ ପ୍ରେମୀଯୁଗଳଙ୍କୁ ହେଲିକେପ୍ଟର ସାହାଯ୍ୟରେ ଉଦ୍ଧାର କରାଯାଇଥିଲା ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏତେ ଉଚ୍ଚରୁ ପଡିବା ସତ୍ତ୍ୱେ ଉଭୟଙ୍କ ଜୀବନ ବଞ୍ଚିଗଲା। ଭଗବାନ ଉଭୟଙ୍କୁ ସାହା ହେଲେ। ଜଣେ ସୁରକ୍ଷାକର୍ମୀ କହିଛନ୍ତି, ଉଭୟଙ୍କ ଭାଗ୍ୟ ବହୁତ ଭଲ। ପାହାଡରେ ବରଫ ଜମା ହୋଇଥିଲା ସେଥିପାଇଁ ଏମାନଙ୍କ ଜୀବନ ବଞ୍ଚିଗଲା। ନଚେତ ପରିଣାମ ଆଉ କିଛି ହୋଇଥାନ୍ତା।