ମୃତ୍ୟୁ ମୁହଁରୁ ବଞ୍ଚିଆସିଲେ ମହିଳା : ଆକ୍ରମଣ କରିଥିଲା କୁମ୍ଭୀର

Published By : Prameya-News7 Bureau | October 07, 2019 IST

କେନ୍ଦ୍ରାପଡ଼ା ୭/୧୦: କୁମ୍ଭୀର ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ମହିଳା । କେନ୍ଦ୍ରାପଡା ରାଜକନିକା ଖୁଣ୍ଟା ଗାଁରେ ଜଣେ ମହିଳା ଜୋରକୁ ବାସନ ମାଜିବା ପାଇଁ ଯାଇଥିବା ବେଳେ ତାଙ୍କୁ କୁମ୍ଭୀର ଆକ୍ରମଣ କରିଥିଲା । ହେଲେ ସଂଘର୍ଷ କରି ମୁକୁଳି ଆସିଥିଲେ ମହିଳା । ଗତକାଲି ବି ସମାନ ଘଟଣା ଘଟିଥିଲା ନିକିରାଇ ଇନ୍ଦୁପୁରରେ । ବିରୂପା ନଦୀ ପାର ହେଉଥିବା ବେଳେ ଜଣେ ଯୁବକଙ୍କୁ କୁମ୍ଭୀର ଟାଣିନେବାକୁ ଚେଷ୍ଟା କରିଥିଲା । ସେବି କୁମ୍ଭୀରକୁ ମାତ୍‌ ଦେଇ ନିଜ ଜୀବନ ବଞ୍ଚାଇ ପାରିଥିଲେ ।

ମୃତ୍ୟୁ ମୁହଁରୁ ବଞ୍ଚିଆସିଲେ ମହିଳା । କୁମ୍ଭୀର ଆକ୍ରମଣରୁ ସଂଘର୍ଷକରି ନିଜ ଜୀବନ ବଞ୍ଚାଇଲେ । ଘଟଣାଟି ହେଉଛି କେନ୍ଦ୍ରାପଡା ରାଜକନିକା ବ୍ଲକ ଖୁଣ୍ଟା ଗାଁର । ସଜନୀ ମଳିକ ନାମକ ମହିଳା ଖାଇସାରି ଘର ନିକଟସ୍ଥ ଜୋରକୁ ବାସନ ଧୋଇବାକୁ ଯାଇଥିଲେ । ଏତିକି ବେଳେ ପାଣି ଭିତରେ ଥିବା ଏକ ୪ ଫୁଟ ଲମ୍ବର କୁମ୍ଭୀର ଅଚାନକ ତାଙ୍କ ଗୋଡକୁ ଟାଣି ଧରିଥିଲା । ତେବେ ସଜନୀ ଜୋରରେ ପାଟି କରିବା ସହ ପାଖରେ ଥିବା ଏକ ବାଡକୁ ଟାଣି ଧରିଥିଲେ । ଅନ୍ୟ ଗୋଡ଼ରେ କୁମ୍ଭୀରକୁ ଗୋଇଠା ମାରିଚାଲିଥିଲେ ।କୁମ୍ଭୀରଟି ତାଙ୍କୁ ଛାଡିଦେଇଥିଲା । ତେବେ ଏଥିରେ ଆହତ ସଜନୀଙ୍କୁ ରାଜକନିକା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।  ତାଙ୍କ ବାମ ଗୋଡରେ ଗୁରୁତର ଆଘାତ ଲାଗିଛି ।  

କାଲି ସମାନ ଘଟଣା ଦେଖିବାକୁ ମିଳିଥିଲା ସେହି କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଇନ୍ଦୁପୁରରେ । ହବିଳି ଗାଁର ସର୍ବେଶ୍ବର ଜେନା ଗାଈ ଚରାଇ ନଦୀ ପାର୍ ହେଉଥିବା ବେଳେ ତାଙ୍କୁ କୁମ୍ଭୀର ଆକ୍ରମଣ କରିଥିଲା । ଜୀବନ ବଞ୍ଚାଇବାକୁ ଯାଇ ସର୍ବେଶ୍ବର ଗାଈ ଲାଞ୍ଜକୁ ଧରି କୁମ୍ଭୀର ମୁହଁକୁ ଗୋଇଠା ମାରିଥିଲେ ।ଫଳରେ କୁମ୍ଭୀର ସର୍ବେଶ୍ବରଙ୍କୁ ଛାଡ଼ି ଦେଇଥିଲା। ସର୍ବେଶ୍ବରଙ୍କ ଦୁଇ ଗୋଡ଼ରେ ଗଭୀର କ୍ଷତ ହେବା ସହ ପାଦରୁ କୁମ୍ଭୀର ମାଂସ ଟାଣିନେଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଇନ୍ଦୁପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ବିରୂପା ନଦୀର ଏହି ନିର୍ଦ୍ଦିଷ୍ଟ ସ୍ଥାନରେ ବାରମ୍ବାର କୁମ୍ଭୀର ଆକ୍ରମଣ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.