କାମୁକ ଶ୍ବଶୁର ଓ ଦିଅର : ଭୟଭୀତ କରି ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗ, ଜଣେ ଗଲା ଜେଲ୍, ଜଣେ ଗଲା ବାଳସୁଧାର ଗୃହ

Published By : Prameya-News7 Bureau | September 21, 2020 IST

ଦିଗପହଣ୍ଡି ୨୧।୯: ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଅଭିଯୁକ୍ତ ଶ୍ବଶୁର ପଞ୍ଚାନନ ଗୌଡଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଅନ୍ୟତମ ଅଭିଯୁକ୍ତ ନାବାଳକ ଦିଅରକୁ ବ୍ରହ୍ମପୁର ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହାଜର କରାଯିବା ପରେ ବ୍ରହ୍ମପୁର ସ୍ଥିତ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ପଞ୍ଚାନନ ଏବଂ ତାଙ୍କ ପୁଅ ରାଜମିସ୍ତ୍ରୀ କାମ କରୁଥିବା ମିଛ କହି ଗାଁ ନିକଟର ଜଣେ ଯୁବତୀଙ୍କ ସହ ୨୦୧୭ ମସିହା ମାର୍ଚ୍ଚ ୭ ତାରିଖରେ ବିବାହ କରିଥିଲେ । ତାଙ୍କ ପୁଅ ମାନସିକ ଭିନ୍ନକ୍ଷମ ଥିବା ଜଣାପଡିଛି । ବିବାହ ସମୟରେ ଶ୍ଵଶୁର ଘର ଲୋକଙ୍କ ଦାବି ମୁତାବକ ସମସ୍ତ ଯୌତୁକ ସାମଗ୍ରୀ, ଘରକରଣା ସମେତ ନଗଦ ୧ ଲକ୍ଷ ଟଙ୍କା ଦିଆଯାଇଥିଲା । ପରେ ଅଧିକ ଯୌତୁକ ପାଇଁ ତାଙ୍କୁ ଶ୍ବଶୁର, ଶାଶୁ, ନଣନ୍ଦ ନିର୍ଯାତନା ଦେଉଥିଲେ । ସ୍ଵାମୀଙ୍କୁ ଛେଳି ଚରାଇବାକୁ ବଣକୁ ପଠାଇ ଦେବା ପରେ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ନାବାଳକ ଦିଅର ତାଙ୍କୁ ଛୁରୀ ଦେଖାଇ ଭୟଭୀତ କରିବା ସହ ବାରମ୍ବାର ଦୁଷ୍କର୍ମ କରିଥିବା ଏତଲାରେ ଉଲ୍ଲେଖ ରହିଛି ।

ଏପରିକି ଶ୍ବଶୁର ମଧ୍ୟ ତାଙ୍କୁ ଦିନବେଳା ଘରେ କେହି ନଥିବାର ସୁଯୋଗ ନେଇ ବାରମ୍ବାର ଦୁଷ୍କର୍ମ କରିଥିବା ପୀଡ଼ିତା ବୋହୂ ତାଙ୍କ ଏତଲାରେ ଉଲ୍ଲେଖ କରିବା ସହ ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ନିକଟରେ ବୟାନ ଦେଇଛନ୍ତି । ଶାଶୁ ଓ ନଣନ୍ଦଙ୍କୁ ସେ ସମସ୍ତ ବିଷୟ ଜଣାଇ ଥିଲେ ମଧ୍ୟ ଏହାର ପ୍ରତିକାର କରାନଯାଇ ଗର୍ଭବତୀ ଅବସ୍ଥାରେ ତାଙ୍କୁ ଅତ୍ୟାଚାର କରାଯାଉଥିଲା । ତାଙ୍କ ଦେହ ଖରାପ ହେବାରୁ ଡାକ୍ତରୀ ଚିକିତ୍ସା ତ ଦୂରର କଥା ସେମାନେ ତାଙ୍କୁ ମିଳିତ ଭାବେ ବାପଘରୁ ଅଧିକା ୨ ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ କହି ଜୋର ଜବରଦସ୍ତ ବାପ ଘରକୁ ପଠାଇ ଦେଇଥିଲେ । ସେଠାରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେବା ପରେ ମଧ୍ୟ ଶ୍ବଶୁର ଘର ଲୋକେ କେହି ଦେଖିବାକୁ ମଧ୍ୟ ଗଲେ ନାହିଁ ।

ପରବର୍ତ୍ତୀ ସମୟରେ ଶ୍ବଶୁର ତାଙ୍କୁ ଜୀବନରୁ ମାରିଦେବାକୁ ଯୋଜନା ଚଳାଇଥିବା ଏତଲାରେ ଉଲ୍ଲେଖ ରହିଛି । ପୀଡ଼ିତା ଓ ଅଭିଯୁକ୍ତ ଦ୍ବୟଙ୍କ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.