Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ମୁଁ ରକ୍ତ ଜୁଡୁବୁଡୁ ଷ୍ଟ୍ରେଚରରେ ପଡିଛି, ଦୟାକରି ମୋତେ ରକ୍ଷା କରନ୍ତୁ’ : ପ୍ରସୂତିଙ୍କ ଭିଡିଓ ସୃଷ୍ଟି କଲା ହଇଚଇ

10/05/2020 at 2:58 PM

ଆଗ୍ରା ୧୦/୦୫ : ଆଗ୍ରା ସରୋଜିନୀ ନାଇଡୁ ମେଡିକାଲ କଲେଜରୁ ପୁଣିଥରେ ଏକ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି | ଜରୁରୀକାଳୀନ ବିଭାଗରେ ପ୍ରସବ ପାଇଁ ପହଞ୍ଚିଥିବା ଗର୍ଭବତୀ ମହିଳାଙ୍କ ଅପରେସନ ଜରିଆରେ ପ୍ରସବ କରାଯାଇଥିଲା | ତେବେ ପ୍ରସବ ପରେ ଡାକ୍ତର ଓ ନର୍ସଙ୍କ ଦାୟିତ୍ବହୀନତାକୁ ନେଇ ଅଭିଯୋଗ ହୋଇଛି | ଶନିବାର ଦିନ ପ୍ରସୂତିଙ୍କ ଭିଡିଓ ଭାଇରାଲ ହୋଇଥିଲା | ଭିଡିଓ ଭାଇରାଲ ହେବାପରେ ସ୍ୱାସ୍ଥ୍ୟ ବିଭାଗରେ ହଇଚଇ ସୃଷ୍ଟି ହୋଇଥିଲା |

ଭିଡିଓ ଜାରି କରି ମହିଳା କହିଛନ୍ତି ଯେ, ପ୍ରସବ ପୀଡା ହେବା ଯୋଗୁଁ ଶୁକ୍ରବାର ଦିନ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ଭର୍ତ୍ତି ହେବାରେ ୬ ଘଣ୍ଟା ପର୍ଯ୍ୟନ୍ତ କୌଣସି ଡାକ୍ତର ତାଙ୍କର ପରୀକ୍ଷା କରିବା ପାଇଁ ଆସିନଥିଲେ | ରାତି ୯ଟା ରେ ଅପରେସନ କରି ତାଙ୍କର ପ୍ରସବ କରାଯାଇଥିଲା | ପ୍ରସବର ୨ ଘଣ୍ଟା ପର୍ଯ୍ୟନ୍ତ ମହିଳା ରକ୍ତ ଜୁଡୁବୁଡୁ ଷ୍ଟ୍ରେଚର ଉପରେ ପଡି ରହିଥିଲେ | ରାତି ସାରା ଯନ୍ତ୍ରଣାରେ ଛଟପଟ ହେଉଥିଲେ ସୁଦ୍ଧା ତାଙ୍କୁ କୌଣସି ଔଷଧ ଦିଆଯାଇନଥିଲା | ମହିଳା ଜନ୍ମ ଦେଇଥିବା ଶିଶୁକୁ ମଧ୍ୟ ଦେଖିବାକୁ ଦିଆଯାଇନଥିଲା | ନବଜାତ ଶିଶୁକୁ ଦେଖିବା ପାଇଁ ସେ ଆତୁର ହୋଇପଡିଥିଲେ |

ମହିଳା ଜାରି କରିଥିବା ଭିଡିଓରେ ସେ କହିଛନ୍ତି ଯେ ସେ କରୋନା ସଂକ୍ରମିତ ନୁହନ୍ତି କିନ୍ତୁ ଏହିଭଳି ଅବ୍ୟବସ୍ଥାରେ ସେ କରୋନା ଭାଇରସରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି | ତାଙ୍କୁ ରକ୍ଷା କରିବାକୁ ସେ ଭିଡିଓ ଜରିଆରେ ଗୁହାରି କରିଥିଲେ | ଭିଡିଓ ଜରିଆରେ ମାମଲା ସାମ୍ନାକୁ ଆସିବା ପରେ ଜିଲ୍ଲା ଅଧିକାରୀ ପ୍ରଭୁ ଏନ ସିଂହ ସିଡ଼ିଓଙ୍କୁ ମାମଲାର ଯାଞ୍ଚ ପାଇଁ ନିର୍ଦେଶ ଦେଇଛନ୍ତି |

ମାମଲାରେ ସିଡ଼ିଓ କହିଛନ୍ତି ଯେ, ମହିଳା କୋଭିଡି-୧୯ ସନ୍ଦିଗ୍ଧ ଏବଂ ତାଙ୍କୁ ତୁରନ୍ତ ଆଇସୋଲେସନ ୱାର୍ଡକୁ ସିଫ୍ଟ କରିଦିଆଯାଇଛି | ଚିକିତ୍ସକଙ୍କୁ ନିର୍ଦେଶ ଦେବାପରେ ତାଙ୍କର ଉପଚାର ମଧ୍ୟ କରାଯାଇଛି | 

   Related Posts