କରୋନା ଆଳରେ ଚିକିତ୍ସା ଅବହେଳା: ବେଡ୍ ଦେଲେନି, ଡାକ୍ତରଖାନା କ୍ୟାମ୍ପସରେ ଶିଶୁକୁ ଜନ୍ମଦେଲେ ମହିଳା

Published By : Prameya-News7 Bureau | May 15, 2020 IST

ପାଟନା, ୧୫|୦୫ : ଗୋଟିଏ ପଟେ କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଦେଶରେ ଲକଡାଉନ୍ ଲାଗୁ କରାଯାଇଛି । ଏହା ମଧ୍ୟରେ ବିହାର ନାଳନ୍ଦା ବିହାରସରିଫ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏଠାରେ ସ୍ୱାସ୍ଥ୍ୟକର୍ମୀଙ୍କ ବେପାରୁଆ ଭାବ ଦେଖିବାକୁ ମିଳିଛି । ଏଠାରେ ଜଣେ ମହିଳା ହସ୍ପିଟାଲ ବାହାରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି । କରୋନା ସଂକ୍ରମଣ ଆଶଙ୍କାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇନଥିଲା ।

ସୂଚନାନୁସାରେ, ନୁରସରାୟରେ ରହୁଥିବା ଧାରୋ ଯାଦବଙ୍କ ପତ୍ନୀ ଗୌରୀଙ୍କ ପ୍ରବସ ବେଦନା ହୋଇଥିଲା । ତେଣୁ ତାଙ୍କ ଭଣଜା ବବଲୁ କୁମାର ଗୌରୀଙ୍କୁ ସ୍ଥାନୀୟ କମ୍ପାନୀରେ ଭର୍ତ୍ତି କରିଥିଲେ ।  ସେଠାରୁ ତାଙ୍କୁ ବିହାରସରିଫ ସଦର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସଦର ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀମାନେ ମହିଳାଙ୍କୁ ଅଣଦେଖା କରିଥିଲେ । ସେପରି ତାଙ୍କୁ ଛଟପଟ ହେବାକୁ ଛାଡିଦେଇଥିଲେ । 

ମହିଳା ଓ ତାଙ୍କ ପରିବାର ଲୋକେ ଅନେକ ଗୁହାରୀ କରିବା ସତ୍ତ୍ୱେ ସ୍ୱାସ୍ଥ୍ୟକର୍ମୀମାନେ ତାଙ୍କର ଚିକିତ୍ସା କରିନଥିଲେ । ତେବେ ଶେଷରେ ମହିଳାଜଣଙ୍କ ମେଡିକାଲ ପରିସରରେ ହିଁ ପ୍ରସବ କରିଥିଲେ । ପରେ ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳରେ ପହଁଚିବା ପରେ ମହିଳା ଓ ନବଜାତକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.