ୟୁଟ୍ୟୁବରୁ ଡେଲିଭେରି କରିବା ଭିଡିଓ ଦେଖି ଗର୍ଭବତୀ ଥିବା ଅବିବାହିତ ଯୁବତୀ କରାଉଥିଲେ ନିଜ ପ୍ରସବ, ତା ପରେ କଣ ହେଲା ଜାଣନ୍ତୁ

Published By : Prameya-News7 Bureau | March 11, 2019 IST

ଗୋରଖପୁର ୧୧|୩ : ୟୁପି ଗୋରଖପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ଭଡାଘରୁ ଉଭୟ କୁମାରୀ ମାଆ ଏବଂ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ଉଭୟଙ୍କର ମୃତ୍ୟୁର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ସୂଚନା ଅନୁସାରେ ଗୋରଖପୁର କେଣ୍ଟ ଅଞ୍ଚଳରେ ରହୁଥିବା ରବି ଉପାଧ୍ୟାୟ ତାଙ୍କ ଘରେ ବହରାଇଚର ଜଣେ ଯୁବତୀଙ୍କୁ ୪ଦିନ ପୂର୍ବରୁ ଭଡାରେ ରଖିଥିଲେ । ଯୁବତୀ ଜଣଙ୍କ ଗର୍ଭବତୀ ଥିଲେ ଏବଂ ସେ ରବିଙ୍କୁ କହିଥିଲେ ଯେ, କିଛି ଦିନ ପରେ ତାଙ୍କ ମାଆ ମଧ୍ୟ ଆସିବେ । ଗତ ରବିବାର ଦିନ ରବିଙ୍କ ଘରେ ରହୁଥିବା ଅନ୍ୟ ଜଣେ ଭଡାଟିଆ କହିଥିଲେ ଯେ, ସଂପୃକ୍ତ ଯୁବତୀ ରହୁଥିବା ଘରୁ ରକ୍ତ ବୋହି ବାହାର ପର୍ଯ୍ୟନ୍ତ ଆସିଛି । ଫଳରେ ଘର ମାଲିକ ରବି ଏ ସଂପର୍କରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଥିଲା । ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀ ଏବଂ ନବଜାତର ମୃତଦେହ ପଡିଥିବା ପୋଲିସ ଦେଖିଥିଲା ।

{"id":92514,"width":578,"height":434}

ଉଭୟଙ୍କ ମୃତଦେହ ନିକଟରେ ମୋବାଇଲ୍ ରେ ୟୁଟ୍ୟୁବ୍ ରେ ପିଲା ଜନ୍ମ କରାଇବାର ଭିଡିଓ ଚାଲିଥିଲା । ଯାହାକୁ ଦେଖି ପୋଲିସକୁ ସବୁ କଥା ଜଣାପଡିଥିଲା । ପୋଲିସ ସେହି ମୋବାଇଲ୍ ରୁ ତାଙ୍କ ଘର ଲୋକଙ୍କ ନମ୍ବର ସଂଗ୍ରହ କରି ଯୋଗାଯୋଗ କରିଥିଲା । ଫଳରେ ଜଣାପଡିଥିଲା ଯେ, ସଂପୃକ୍ତ ଯୁବତୀ ଜଣଙ୍କ ଅବିବାହିତ ଥିଲେ । ଯୁବତୀଙ୍କ ପରିବାରଲୋକ ଆସିବା ପରେ ପଚରାଉଚରା କରି ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ସେ ରହୁଥିବା ଘରକୁ ମଧ୍ୟ ପୋଲିସ ସିଲ୍ କରିଦେଇଛି ।

{"id":92515,"width":579,"height":435}

ପୋଲିସର ସୂଚନା ଅନୁସାରେ, ଯୁବତୀ ଜଣଙ୍କ ପ୍ରେମ ସଂପର୍କ କାରଣରୁ ଗର୍ଭବତୀ ହୋଇଥିଲେ । ଯୁବତୀ ଜଣଙ୍କ ଗର୍ଭପାତ କରାଇବାକୁ ଚାହୁଁନଥିଲେ । ମାତ୍ର ତାଙ୍କ ପରିବାରଲୋକ ଏଥିରେ ରାଜି ନଥିଲେ । ଲୋକଲଜ୍ଜ୍ୟା ଡରରେ ସେ ବହରାଇଚରୁ ଗୋରଖପୁର ପଳାଇଆସିଥିଲେ । ମାତ୍ର ଏଠାରେ କୌଣସି ଡାକ୍ତରଙ୍କୁ ନଦେଖାଇ ଅଲଗା ଅଲଗା ଭଡା ଘର ନେଇ ରହିବାକୁ ଲାଗିଲେ । ଘରେ ହିଁ ସେ ୟୁଟ୍ୟୁବ୍ ଦେଇ ପିଲା ପ୍ରସବ କରାଇବାକୁ ଚେଷ୍ଟା କରିଥିଲେ । ଅଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହେବା ସହ ନବଜାତ ଶିଶୁର ମଧ୍ୟ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ମୃତ୍ୟୁ ନେଇ ସ୍ପଷ୍ଟ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.