ଟ୍ରେନରୁ ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

Published By : Prameya-News7 Bureau | December 08, 2018 IST

ସୁରଟ ୮/୧୨ : ଟ୍ରେନରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି | ଶୁକ୍ରବାର ରାତିରେ ମୁମ୍ବାଇ ଦାଦର ଷ୍ଟେସନରେ ଛିଡା ହୋଇଥିବା ଭୁଜ-ଦାଦର ଏକ୍ସପ୍ରେସରୁ ସୁରଟର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି | ମହିଳାର ମୁଣ୍ଡ ବେକଠାରୁ କଟା ଯାଇଥିଲା | ଟ୍ରେନର ଶେଷ ଗାର୍ଡ ମହିଳା କୋଚରୁ ମିଳିଥିଲା | ଟ୍ରେନ ଷ୍ଟେସନର ୬ ନମ୍ବର ପ୍ଲାଟଫର୍ମରେ ଛିଡା ହୋଇଥିଲା | ମହିଳାଙ୍କ ମୃତ ଶରୀରରୁ ରକ୍ତ ବୋହୁଥିଲା | ମୁମ୍ବାଇ ସେଣ୍ଟ୍ରାଲ ଜିଆରପିଙ୍କ ନଜର ହଠାତ ସେଠାରେ ପଡିଥିଲା | ଟ୍ରେନ କୋଚ ଭିତରୁ ରକ୍ତ ବୋହୁଥିବା ଦେଖି ଜିଆରପି ଷ୍ଟାଫ ତୁରନ୍ତ ଭିତରକୁ ଯାଇ ଦେଖିଲେ ସିଟ ନମ୍ବର ୧୧ ରୁ ୨୦ ଭିତରେ ଜଣେ ମହିଳା ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିଲେ | ମହିଳାଙ୍କ ଉପରେ ଏକ ଶାଢ଼ୀ ଘୋଡା ହୋଇଥିଲା | କିନ୍ତୁ ସେ ନଗ୍ନ ଅବସ୍ଥାରେ ଥିଲେ | ଏହା ଦେଖି ଜିଆରପି ଷ୍ଟାଫ ସଙ୍ଗେସଙ୍ଗେ ଡାକ୍ତରଙ୍କୁ ଖବର ଦେଇଥିଲେ | ଡାକ୍ତର ଆସି ମହିଳାଙ୍କୁ ମୃତ ଘୋଷଣା କରିଥିଲେ | ମହିଳାଙ୍କ ପାଖେ ଏକ ବ୍ୟାଗ ଥିଲା | ଯେଉଁଥିରୁ ମହିଳାଙ୍କ ପରିବାରଲୋକଙ୍କ ମୋବାଇଲ ନମ୍ବର ଥିଲା | ସେହି ନମ୍ବରରେ ଫୋନ କରି ଜିଆରପି ମହିଳାଙ୍କ ଘରଲୋକଙ୍କୁ ଘଟଣାସ୍ଥଳକୁ ଆସିବା ପାଇଁ କହିଥିଲେ |


ମୃତ ମହିଳା ହେଲେ ୪୦ ବର୍ଷ ବୟସ୍କା ଦରିୟା ଦେବୀ ଶଙ୍କର ଚୌଧରୀ | ସେ ସୁରଟରେ ରହୁଥିଲେ | ମୁମ୍ବାଇରେ ମୃତ ମହିଳାଙ୍କ ଭଉଣୀ ରହୁଥିଲେ | ଭଉଣୀ ଘରେ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମହିଳା ଜଣକ ମୁମ୍ବାଇ ଯାଉଥିଲେ | ତେବେ ଟ୍ରେନରେ ବସିବା ପରେ ଘରଲୋକଙ୍କ ସହ ମହିଳା କଥା ହୋଇଥିଲେ | ସେ କହିଥିଲେ ଯେ, ସେ ଟ୍ରେନରେ ଓହ୍ଲେଇ ନିଜେ ପଳେଇବେ | ତାଙ୍କୁ ନେବା ପାଇଁ ଷ୍ଟେସନ ଆସିବା ଦରକାର ପଡିବ ନାହିଁ ବୋଲି ସେ କହିଥିଲେ |

କିଛି ସମୟ ପରେ ମହିଳାଙ୍କ ସହ ତାଙ୍କ ଘରଲୋକଙ୍କ ସମ୍ପର୍କ ହୋଇପାରିନଥିଲା | ମୁମ୍ବାଇ ପହଂଚିବାର ଘଣ୍ଟେ କିମ୍ବା ଦେଢ଼ ଘଣ୍ଟା ପୂର୍ବରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି | ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି | ଏଥିସହ ମୁମ୍ବାଇ ଦାଦର ମଧ୍ୟରେ ଥିବା ସମସ୍ତ ଷ୍ଟେସନର ସିସିଟିଭି ଫୁଟେଜ ଯାଞ୍ଚ କରାଯିବ ବୋଲି ପୋଲିସ ସୂଚନା ଦେଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.