ଜୀବନ ସହ ଖେଳ : ଡାକ୍ତର ଠିକ୍ ମେଡିସିନ ଲେଖିଲେ , ସେଲସମ୍ୟାନ ଦେଲେ ଭୁଲ ମେଡିସିନ, ଆଉ ତାପରେ…
11/09/2018 at 6:22 PM

ପୁରୀ ୯|୧୧: ଭୁଲ ମେଡିସିନ୍ ଯୋଗୁଁ ଗର୍ଭବତୀ ଅସୁସ୍ଥ । ପୁରୀ ମାର୍କେଟ୍ ଛକରେ ଥିବା ଲାଇଫ୍ ମେଡିକାଲ ଷ୍ଟୋରର ସେଲସ୍ମ୍ୟାନ୍ଙ୍କ ଏଭଳି ତ୍ରୁଟି ଯୋଗୁଁ ଜଣେ ଗର୍ଭବତୀଙ୍କ ଗର୍ଭନଷ୍ଟ ହେବା ଭଳି ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି । ରୋଗୀ ଜଣକ ଡାକ୍ତରଙ୍କ ଦ୍ବାରା ଲେଖାଯାଇଥିବା ପ୍ରେସକ୍ରିପ୍ସନ ଦେଖାଇବା ସତ୍ବେ ମେଡିସିନ୍ ଷ୍ଟୋରରେ ଥିବା ସେଲସ୍ ମ୍ୟାନ ଠିକ୍ ଭାବେ ପଢ଼ିନପାରି ଭୁଲ ମେଡିସିନ ଦେଇଥିଲେ ।
ଭୁଲ ମେଡିସିନ୍ ଖାଇବା ଫଳରେ ଅସୁସ୍ଥ ହୋଇପଡ଼ିଥିଲେ ଗର୍ଭବତୀ । ଦୋକାନୀ ଦେଇଥିବା ମେଡିସିନ୍ ଖାଇବାପରେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା । ଚିକିତ୍ସା ପାଇଁ ସଂପୃକ୍ତ ମହିଳାଙ୍କୁ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରିବା ପରେ ତାଙ୍କୁ ଭୁଲ୍ ମେଡିସିନ୍ ଦିଆଯାଇଥିବା କଥା ଜଣାପଡ଼ିଥିଲା ।
ପୂରା ଘଟଣା ଜଣାପଡ଼ିବା ପରେ ରୋଗୀଙ୍କ ସମ୍ପର୍କୀୟ ଲାଇଫ ମେଡିସିନ୍ ଷ୍ଟୋରକୁ ଯାଇ ଏ ସମ୍ପର୍କରେ ପଚାରିବାରୁ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ମେଡିସିନ୍ ଷ୍ଟୋର ମାଲିକଙ୍କ ଗିରଫ ଦାବିରେ ଅଡ଼ିବସିଥିଲେ ପୀଡ଼ିତାଙ୍କ ପରିବାର । ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମେଡିସିନ୍ ଷ୍ଟୋର ମାଲିକ କୃଷ୍ଣଚନ୍ଦ୍ର ସାହୁ ଏବଂ ତାଙ୍କ ପୁଅ ବିଷ୍ଣୁ ସାହୁଙ୍କୁ ଥାନାକୁ ଆଣିଥିଲା କୁମ୍ଭାରପଡ଼ା ଥାନା ପୋଲିସ । ତେବେ ଘଟଣା ସମ୍ପର୍କରେ ସଂପୃକ୍ତ ମେଡିସିନ୍ ଦୋକାନୀଙ୍କୁ ପଚାରିବାରୁ ସେ ଖାମଖିଆଲ ଢ଼ଙ୍ଗରେ ଉତ୍ତର ରଖିଥିଲେ ।
ଦୋକାନର ନାଁ ଲାଇଫ୍ ମେଡିସିନ୍ ଷ୍ଟୋର । ହେଲେ ଭୁଲ ମେଡିସିନ ଦେଇ ଏହି ଦୋକାନ ମାଲିକ କିଭଳି ଲୋକଙ୍କ ଲାଇଫ ସହ ଖେଳ ଖେଳୁଛନ୍ତି ତାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ଘଟଣାର ବିଦ୍ଧିବଧ ତଦନ୍ତ କରାଯାଇ ଔଷଧ ଦୋକାନମାନଙ୍କରେ କାମ କରୁଥିବା ସେଲସ୍ମ୍ୟାନ୍ଙ୍କ ଯୋଗ୍ୟତା କ’ଣ ସେମାନେ ଡାକ୍ତରଙ୍କ ପ୍ରେସକ୍ରିପ୍ସନ ଠିକ୍ରେ ପଢ଼ିପାରୁଛନ୍ତି କି ନାହିଁ, ବିଭିନ୍ନ ଔଷଧ ସମ୍ପର୍କରେ ସେମାନଙ୍କ ଜ୍ଞାନ ଅଛି କି ନାହିଁ ସେ ସବୁର ଯାଂଚ ହେବାର ଆବଶ୍ୟକତା ରହିଛି ।