ହୋଟେଲରେ ମହିଳା କନେଷ୍ଟବଳଙ୍କୁ ଦୁଷ୍କର୍ମ ସହ ଭିଡିଓ ରେକଡିଂ : ଜଣେ ଗିରଫ, ଆଉ ଜଣେ ଫେରାର

Published By : Prameya-News7 Bureau | April 27, 2019 IST

ମୋହାଲି ୨୭/୪ : ମୋହାଲିରେ ଜଣେ ମହିଳା କନେଷ୍ଟବଳଙ୍କ ସହ ଦୁଷ୍କର୍ମ ହୋଇଥିବା ଘଟଣା ସାମ୍ନାକୁ ଆସିଛି | ପୀଡିତା ମହିଳା ଜଣକ ମୋହାଲି ଜିଲ୍ଲାରେ ହିଁ କନେଷ୍ଟବଳ ଭାବେ ନିୟୋଜିତ ଥିଲେ | ମହିଳା ମଟୋର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ | ଦୁଷ୍କର୍ମ ମାମଲାରେ ପୋଲିସ ୨ ଅଭିଯୁକ୍ତ ବିରୋଧରେ ମାମଲା ରୁଜ୍ଜୁ କରିଛି | ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ପୋଲିସ ଗିରଫ କରିଥିବାବେଳେ ଆଉ ଜଣେ ଫେରାର ଅଛି | ଫେରାର ଅଭିଯୁକ୍ତକୁ ପୋଲିସ ଖୋଜୁଛି |


ମହିଳା କନେଷ୍ଟବଳ ପୋଲିସକୁ କହିଛନ୍ତି ଯେ, ମହମ୍ମଦ ରଫି ନାମକ ଯୁବକକୁ ମହିଳା ପୂର୍ବରୁ ଜାଣିଥିଲେ | ସେ ଯୁବକ ସହ କଥାବାର୍ତ୍ତା କରୁଥିଲେ | ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପନ ହୋଇଥିଲା | କିଛି ଦିନ ପୂର୍ବରୁ ମହମ୍ମଦ ସେକ୍ଟର-୭୧ ସ୍ଥିତ ଏକ ହୋଟେଲକୁ ମହିଳାଙ୍କୁ ଡାକିଥିଲା | ମହମ୍ମଦ ଡ଼ାକିଥିବା ହୋଟେଲକୁ ମହିଳା ଯାଇଥିଲେ | ହୋଟେଲରେ ମହମ୍ମଦର ଆଉ ଜଣେ ସାଙ୍ଗ ମଧ୍ୟ ଉପସ୍ଥିତ ଥିଲା |


ଉଭୟ ମହିଳାଙ୍କୁ କୋଲ୍ଡ ଡ୍ରିଙ୍କ ପିଇବାକୁ ଯାଚିଥିଲେ | ମହିଳା କୋଲ୍ଡ ଡ୍ରିଙ୍କ ପିଇଥିଲେ | ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ତାଙ୍କ କୋଲ୍ଡ ଡ୍ରିଙ୍କରେ କୌଣସି ନିଶା ଦ୍ରବ୍ୟ ମିଶାଇ ଦେଇଥିଲେ | ଯେଉଁଥିପାଇଁ କୋଲ୍ଡ ଡ୍ରିଙ୍କ ପିଇବାପରେ ମହିଳା ବେହୋସ ହୋଇଯାଇଥିଲେ | ଏହାପରେ ମହମ୍ମଦ ଓ ତାର ସାଙ୍ଗ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ ଏବଂ ଦୁଷ୍କର୍ମର ଭିଡିଓ ମଧ୍ୟ ରେକଡିଂ କରିଥିଲେ | ଭିଡିଓ ରେକଡିଂ କରି ମହମ୍ମଦ ମହିଳା କନେଷ୍ଟବଳଙ୍କୁ ବ୍ଲାକମେଲ କରିବାକୁ ଚେଷ୍ଟା କରିଥିଲା |


ମଟୋର ଥାନା ଅଧିକାରୀ ଜଗଦେବ ସିଂହ କହିଛନ୍ତି ଯେ, ମହିଳା କନେଷ୍ଟବଳଙ୍କ ଅଭିଯୋଗକ୍ରମେ ମହମ୍ମଦ ରଫି ଏବଂ ତା ସାଙ୍ଗ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି | ଅଭିଯୁକ୍ତ ମହମ୍ମଦ ରଫିକୁ ପୋଲିସ ଗିରଫ କରିଛି | ଆଉ ଜଣେ ଫେରାର ଅଛି | ପୋଲିସ ତାକୁ ବିଭିନ୍ନ ଜାଗାରେ ଖୋଜୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.