ସ୍ବାମୀଙ୍କ ମୃତ୍ୟୁ ପରେ ପର କରି ଦେଲେ ଶାଶୁଘର, ଭାଙ୍ଗି ଦେଲେ ଘର: ୧୦ ବର୍ଷର ଝିଅକୁ ଧରି ବଞ୍ଚିବାର ରାହା ଖୋଜୁଛନ୍ତି କାଦମ୍ବିନୀ

Published By : Prameya-News7 Bureau | August 25, 2020 IST

ନିଆଳି୨୫/୮: କୁନି ଝିଅଟିର କଥା ଶୁଣନ୍ତୁ। ଦରୋଟି ଭାଷାରେ ସେ ମାଗୁଛି ନ୍ୟାୟ, ମାଗୁଛି ଅଧିକାର। ନିଜ ପାଇଁ, ନିଜ ବିଧବା ମାଆ ପାଇଁ। କହୁଛି ବାପା ଚାଲିଯିବା ପରର ଦୁଃଖ ଏବଂ ଜେଜେ ମାଆ ଓ ବଡ଼ ବାପା ଆଦିଙ୍କ ନିର୍ଯାତନାର କଥା। ପୋଲିସ୍ ଶୁଣୁନି, ନ୍ୟାୟ ମିଳୁନି। ନାଁ ତାଙ୍କର ଆଦ୍ୟାଶା।

wp:html /wp:html

ଅଧା ବୟସରେ ସ୍ବାମୀଙ୍କୁ ଦଇବ ନେଇଗଲା। ଅସହାୟ ହୋଇଗଲେ ପତ୍ନୀ ଆଉ ଏକ ମାତ୍ର ଶିଶୁକନ୍ୟା। ସ୍ବାମୀଙ୍କ ମୃତ୍ୟୁ ଯନ୍ତ୍ରଣାଠାରୁ ବଳିଗଲା ଶାଶୁ ଆଉ ଦେଢ଼ଶୂରଙ୍କ ନିର୍ଯାତନା। ସ୍ବାମୀଙ୍କ ଶୁଦ୍ଧିକ୍ରିୟା ନ ସରୁଣୁ ଦାଉ ସାଜିଲେ ଶ୍ବଶୁର ଘର ଲୋକେ। ସ୍ବାମୀଙ୍କ ମୃତ୍ୟୁ ପରେ ଏତେ ବଡ଼ ଦୁନିଆଁରେ ସାଙ୍ଗରେ ୧୦ ବର୍ଷର ଝିଅକୁ ଧରି କେମିତି ବଞ୍ଚିବେ ? ନିଜ ଲୋକଙ୍କ ନିର୍ଯାତନା ଓ ପ୍ରତାରଣା ତାଙ୍କ ଜୀବନକୁ ଦୁର୍ବିସହ କରି ଦେଇଛନ୍ତି। କାଦମ୍ବିନୀ ଏବେ ବାରଦୁଆର ସୁଣ୍ଢିପିଣ୍ଡା ହେଉଛନ୍ତି। ମୁଣ୍ଡ ଟିକେ ଗୁଞ୍ଜିବା ଲାଗି ମାଆ-ଝିଅ ଚାରିଆଡେ ଘୂରି ବୁଲୁଛନ୍ତି। ଶ୍ବଶୁର ଘର ଲୋକଙ୍କ ଗଞ୍ଜଣା ସହି ନ ପାରି ନିଜ ଉଭଣୀ ଘରେ ଆଶ୍ରୟ ନେଇଛନ୍ତି କାଦମ୍ବିନୀ।

 ଲିଭର ଜଣ୍ଡିସ୍‌ରେ କଟକ ଜିଲ୍ଳା ନିଆଳି ହାଟ ସାହିର ପ୍ରତାପ ପରିଡାଙ୍କ ମୃତ୍ୟୁ ହୋଇଥିଲା।  ଗତ ଜୁନ୍ ମାସ୍ ୧୩ ତାରିଖରେ ପ୍ରତାପଙ୍କ ମୃତ୍ୟୁ ପରେ ସ୍ତ୍ରୀ କାଦମ୍ବିନୀ ଏବଂ ଝିଅ ଆଦ୍ୟାଶାଙ୍କ ଉପରେ ମାଡି ଆସିଲା ଦୁଃଖର କଳା ବାଦଲ। ସ୍ବାମୀଙ୍କ ମୃତ୍ୟୁ ପରେ ଅସଲ ରୂପ ଦେଖାଇଥିଲେ ଶ୍ବଶୁର ଘର ଲୋକେ। ମାଆ- ଝିଅଙ୍କୁ ଘରୁ ତଡି ଦେବା ସହ ତାଙ୍କ ସ୍ବାମୀ କରିଥିବା ପ୍ରିଣ୍ଟିଂ ପ୍ରେସ୍‌ର କାନ୍ଥ ଭାଙ୍ଗି ଲକ୍ଷାଧିକା ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି କାଦମ୍ବିନୀ। ଦୋକାନାରେ ଥିବା କମ୍ପ୍ୟୁଟର  ପ୍ରିଣ୍ଟର, ଜେରକ୍ସ ମେସିନ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ହାତେଇ ନେଇଥିଲେ ଶ୍ବଶୁର ଘର ଲୋକେ। ସ୍ବାମୀ ଚାଲିଯିବା ପରେ ଯାହା ତାଙ୍କର ସନ୍ତକ ଥିଲା, ତାକୁ ମଧ୍ୟ ସେମାନେ ଛାଡିଲେ ନାହିଁ, ଧମକ-ଚମକ ଦେଇ ସବୁ ଲୁଟିନେଲେ।

wp:html /wp:html

ଏ ଘଟଣା ପରେ  କାଦମ୍ବିନୀ ନିଆଳି ଥାନାରେ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ପୁଲିସ୍ ହାତ ଗଣତି କେତୋଟି ଶସ୍ତା ଚୋରି ଜନିଷ ଜବତ କରି ତାଙ୍କୁ ହସ୍ତାନ୍ତର କରିଥିଲେ। କାଦମ୍ବିନୀଙ୍କ କହିବା କଥା, ଦୋକାନରେ ଥିବା ଦାମୀ ଜିନିଷ ଗୁଡିକ ତାଙ୍କ ଶ୍ବଶୁର ଘର ଲୋକେ ଲୁଚାଇ ରଖିଛନ୍ତି। କାଦମ୍ବିନୀଙ୍କୁ ଘରୁ ତଡିଦେବା ଏବଂ ତାଙ୍କ ସ୍ବାମୀଙ୍କ ଦୋକାନରୁ ସବୁ ଜିନି​‌ଷ ଲୁଟି ନେବା ଘଟଣାରେ ପୁଲିସ୍ ନିରବଦ୍ରଷ୍ଟା ସାଜିଥିବା କାଦମ୍ବିନୀ ଅଭିଯୋଗ କରିଛନ୍ତି। କେବଳ ପୁଲିସ୍ ନୁହେଁ ମହିଳା କମିଶନଙ୍କ ଠାରୁ ଆରମ୍ଭ କରି ମାନବାଧିକାର କମିଶନ ସବୁଠି ନିଜ ଅଭିଯୋଗ ସହ ନ୍ୟାୟ ପାଇ ନିବେଦନ କରିଛନ୍ତି କାଦମ୍ବିନୀ କିନ୍ତୁ ଏବେ ଯାଏଁ ଫଳ ଶୂନ।

କାଦମ୍ବିନୀଙ୍କ ୧୦ ବର୍ଷର ଝିଅ ଆଦ୍ୟାଶା ପଞ୍ଚମ ଶ୍ରେଣୀରେ ପାଠ ପଢ଼ନ୍ତି। ଅର୍ଥ ଅଭାବରୁ ସ୍କୁଲରେ ତାଙ୍କର ଆଡମିଶନ ହୋଇପାରି ନାହିଁ। କୁନି ବୟସରେ ନିଜ ମାଆଙ୍କୁ ନ୍ୟାୟ ଦେବା ପାଇଁ ମୁହଁ ଖୋଲିଛନ୍ତି କୁନି ଝିଅ ଆଦ୍ୟାଶା। ସେ ଏକ ଭିଡିଓ ଜାରି କରିଛନ୍ତି। ବୟସ ଅଳ୍ପ, ପାଠ ପଢ଼ୁଆ ପିଲା। ଯେତିକି ଜାଣିଛନ୍ତି, ଯାହା ଶୁଣିଛନ୍ତି, ସେହି କଥାକୁ ଭିଡିଓରେ ସେ କହିଛନ୍ତି। ପାଟି ଖନି ମାରି ଯାଉଛି, ତା ଭିତରେ ସେ କହୁଛି, ଆମକୁ ସମସ୍ତେ ମିଶି ହଇରାଣ କରୁଛନ୍ତି। ମୋ ବାପାଙ୍କ ମୃତ୍ୟୁ ପରେ ସେମାନେ ଆମକୁ ଘରୁ ତଡି ଦେଇଛନ୍ତି।

 ଆଜିର ଶିକ୍ଷିତ ସମାଜରେ ଜଣେ ଅସହାୟ ମହିଳା ଏବଂ ନିଷ୍ପାପ କୁନି ଝିଅଟି ପ୍ରତି ଏଭଳି ନିର୍ଯାତନାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏପଟେ ମୃତ ପ୍ରତାପ ପରିଡାଙ୍କ ଭାଇଙ୍କ କଥା ଆଶ୍ଚର୍ଯ୍ୟ କରିଛି। ସେ କହିଛନ୍ତି, ସେମାନେ ଆପେ ଆପେ ଘର ଛାଡି ଚାଲିଛନ୍ତି। ଘର କଥାରେ କହିଛନ୍ତି, ଯେଉଁ ଘରେ ପ୍ରତାପ ରହୁଥିଲେ, ତାଙ୍କ ସ୍ତ୍ରୀ ଓ ଝିଅର ଭାଗ ନାହିଁ, ତାହା ତାଙ୍କ ବଡ଼ ଭାଇଙ୍କର।  ଏଭଳି କଥା ଶୁଣିବା ପରେ ମନକୁ ପ୍ରଶ୍ନ ଉଠୁଛି, ପୁଅର ମୃତ୍ୟୁ ପରେ ଘରର ବୋହୂ ଏବଂ ନାତୁଣୀଙ୍କ ଭଲ ମନ୍ଦ କଥା ବୁଝିବା ବଦଳରେ ସେମାନଙ୍କୁ ନିର୍ଯାତନା ଦେବା କେତେ ଯଥାର୍ଥ।  ଏପଟେ ଘଟଣା ସଂପର୍କରେ ପୁଲିସ୍ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଅଭିଯୋଗ ଭିତ୍ତିରେ ପଦକ୍ଷେପ ବୋଲି ଅଫ୍‌ କ୍ୟାମେରାରେ କହିଛନ୍ତି। ତେବେ ଅଭିଯୋଗକାରିଣୀଙ୍କ ଅଭିଯୋଗରୁ ଏହା ସ୍ପଷ୍ଟ ଯେ, ପୋଲିସ୍ ଏବଂ ବିଭିନ୍ନ ମହଲରୁ ତାଙ୍କୁ ନ୍ୟାୟ କିମ୍ବା ଅଧିକାର ମିଳି ନାହିଁ। ତେବେ  ପୋଲିସ୍ ଏବଂ ପ୍ରଶାସନ ମାଆ- ଝିଅଙ୍କୁ ସେମାନଙ୍କ ପ୍ରାପ୍ୟ ଦିଅନ୍ତୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.