ସାହସୀ ମା’ ! ଝିଅର ମୋବାଇଲ ଛଡେଇ ପଳାଇବାକୁ ଉଦ୍ୟମ କରୁଥିବା ଚୋରକୁ ଧରି ନିର୍ଦ୍ଧୁମ ଛେଚିଲେ
8/12/2020 at 3:42 PM

ସାଓ ପାଓଲୋ ୦୮/୧୨ : ମହିଳାମାନେ ଯେତେ ଦୁର୍ବଳ ହେଲେ ମଧ୍ୟ ନିଜ ପୁଅଝିଅଙ୍କ ସୁରକ୍ଷା ପାଇଁ ସାହସ ଜୁଟାଇଥାନ୍ତି। ପୁଅଝିଅ ତଥା ପରିବାର ଉପରେ କୌଣସି ସଙ୍କଟ ଆସିଲେ ମହିଳା ସାହସର ସହ ସବୁ ପରିସ୍ଥିତିର ମୁକାବିଲା କରିଥାନ୍ତି। ଏହିଭଳି ଜଣେ ସାହସୀ ମହିଳାଙ୍କ ଭିଡିଓ ସାମ୍ନାକୁ ଆସିଛି। ମହିଳା ନିଜ ଝିଅର ମୋବାଇଲ ଚୋରି ଉଦ୍ୟମକୁ ବିଫଳ କରିଛନ୍ତି। ଜଣେ ଯୁବକ ମହିଳାଙ୍କର ୧୫ ବର୍ଷୀୟ ଝିଅର ମୋବାଇଲ ଛଡେଇନେଇ ସାଇକେଲରେ ପଳାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ମହିଳା ଧରିଥିବା ଛତା ଯୁବକ ଉପରକୁ ଫୋପାଡ଼ି ଚୋରି ଉଦ୍ୟମ ବିଫଳ କରିଦେଇଥିଲେ। ଘଟଣା ବ୍ରାଜିଲର ଏକ ସହର ସାଓ ପାଓଲୋରେ ଘଟିଛି। ଘଟଣା ସିସିଟିଭିରେ କଏଦ ହୋଇଛି।

ଚୋର ମହିଳାଙ୍କ ଝିଅଠାରୁ ମୋବାଇଲ ଛଡେଇ ପଳେଇବାକୁ ଚେଷ୍ଟା କଲାବେଳେ ୫୦ ବର୍ଷୀୟ ମହିଳା ସାଇକଲ ପଛପଟେ ଦୌଡ଼ିଥିଲେ। ମହିଳା ଝିଅ ସହ ସପିଙ୍ଗ କରିବାକୁ ଯାଇଥିଲେ। ସପିଙ୍ଗ୍ କରିସାରିବା ପରେ ସେ ଟ୍ୟାକ୍ସି ପାଇଁ ଅପେକ୍ଷା କରିଥିଲେ। ଏତିକିଳେବେ ସାଇକେଲରେ ଜଣେ ଯୁବକ ଆସି ମହିଳାଙ୍କ ଝିଅ ହାତରୁ ମୋବାଇଲ ଛଡେଇ ନେଇ ପଳାଇବାକୁ ଉଦ୍ୟମ କରିଥିଲା।

ବର୍ଷା ହେଉଥିବାରୁ ମହିଳା ଏକ ଛତା ଧରିଥିଲେ। ମହିଳା ଧରିଥିବା ଛତା ଚୋର ଉପରକୁ ଫୋପାଡ଼ିଥିଲେ। ଛତା ମାରିବାରୁ ସାଇକଲ ଆରୋହୀ ଚୋର ନିୟନ୍ତ୍ରଣ ହରାଇ ରାସ୍ତାରେ ପଡିଯାଇଥିଲା। ଏହାପରେ ଉଭୟ ମା-ଝିଅ ଚୋରକୁ ନିର୍ଦ୍ଧୁମ ଛେଚିଥିଲେ।
ମହିଳା ଛତାରେ ଚୋରକୁ ନିର୍ଦ୍ଧୁମ ଛେଚିଥିଲେ। ପାଖରେ ଥିବା କିଛି ଲୋକ ମଧ୍ୟ ଦୌଡ଼ି ଆସିଥିଲେ ଏବଂ ଚୋରକୁ ମାଡ ମାରିଥିଲେ। ମହିଳା କହିଛନ୍ତି, ତାଙ୍କ ପ୍ରତିକ୍ରିୟା ସ୍ୱାଭାବିକ ଥିଲା। ସେ କେବଳ ନିଜ ଝିଅକୁ ସୁରକ୍ଷା ପ୍ରଦାନ କରିବାକୁ ଚାହୁଁଥିଲେ। ଝିଅର ଭୟଭୀତ ମୁହଁ ଦେଖି ତାଙ୍କୁ କ୍ରୋଧ ଆସିଥିଲା। ସେଥିପାଇଁ ସେ ଆଉ କିଛି ଚିନ୍ତା ନ କରି ଚୋରକୁ ଆକ୍ରମଣ କରିଥିଲେ ବୋଲି କହିଛନ୍ତି। ସବୁ ଅଚାନକ ହୋଇଥିଲା ବୋଲି ସେ କହିଛନ୍ତି।