ସ୍ୱାମୀଙ୍କୁ ଅଟକାଇ ପାରିଲେନି ସ୍ତ୍ରୀ, ବସ୍ ପଛରେ ଗୋଡାଇ ହାରିଲେ ଜୀବନ...

Published By : Prameya-News7 Bureau | May 22, 2020 IST

ରାଞ୍ଚୀ, ୨୨|୦୫: ଝାଡଖଣ୍ଡର ହଜାରିବାଗରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ମହିଳା ନିଜ ସ୍ୱାମୀଙ୍କୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଜୀବନ ହାରିଛନ୍ତି ।

ସୂଚନାନୁସାରେ,ଝାଡଖଣ୍ଡର ହଜାରିବାଗର ସାରୁକୁଦର ଗ୍ରାମରୁ ଏକ ବସ କିଛି ଶ୍ରମିକଙ୍କୁ ଧରି ମୁମ୍ବାଇ ଯାତ୍ରା କରୁଥିଲା । ଏହି ବସର ଡ୍ରାଇଭର ଥିଲେ ବାସୁଦେବ ମହାନ୍ତ ନାମରେ ଜଣେ ବ୍ୟକ୍ତି । ସେ ମଧ୍ୟ କାମ ପାଇଁ ଶ୍ରମିକଙ୍କୁ ଧରି ମୁମ୍ବାଇ ଯାଉଥିଲେ । ତେବେ ତାଙ୍କ ପତ୍ନୀ କୁନ୍ତୀ ଦେବୀ ସ୍ୱାମୀଙ୍କୁ ମନା କରିଥିଲେ । ମୁମ୍ବାଇରେ କରୋନାର ଆତଙ୍କ ଚରମ ସୀମାରେ ଥିବାରୁ ସ୍ୱାମୀଙ୍କୁ ନଯିବା ପାଇଁ ବାରଣ କରିଥିଲେ । ତେବେ ସ୍ୱାମୀ ନିଜ ଜିଦରେ ଅଟଳ ରହି ବସରେ ଚଢିଥିଲେ । ବସ ଛାଡିଥିଲା । ତଥାପି ମଧ୍ୟ କୁନ୍ତୀ ଦେବୀ ନିଜ ସ୍ୱାମୀଙ୍କୁ ଅଟକାଇବାକୁ ଚେଷ୍ଟା କରି ବସ୍ ପଛରେ କିଛି ବାଟ ଯାଏଁ ଗୋଡାଇ ଥିଲେ । ତେବେ ବିଧିର ବିଧାନ ଥିଲା କିଛି ଅଲଗା । ବସ ପଛରେ କିଛି ବାଟ ଯିବା ପରେ କୁନ୍ତୀ ହଠାତ ଟଳି ପଡିଥିଲେ । ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା ।

ବାସୁଦେବ ମୁମ୍ବାଇରେ ବସ୍ ଡ୍ରାଇଭର ଭାବେ କାନମ କରନ୍ତି । ସେ ମୁମ୍ବାଇରୁ ୨୫ ଜଣ ଶ୍ରମିକଙ୍କୁ ଗ୍ରାମରେ ଛାଡି ପୁଣି ମୁମ୍ବାଇ ବାହାରିଥିଲେ । ଏହା ପୂର୍ବରୁ ସେ ତାଙ୍କ ପିତା ମାତା ଓ ପତ୍ନୀଙ୍କୁ ଭେଟିଥିଲେ । 

ସ୍ଥାନୀୟ ପୋଲିସ ଷ୍ଟେସନର ଆଇଆଇସିଙ୍କ କହିବାନୁସାରେ, କୁନ୍ତୀ ତାଙ୍କ ସ୍ୱାମୀଙ୍କୁ ଛାଡିବାକୁ ପ୍ରସ୍ତୁତ ନଥିଲେ । କାରଣ ମୁମ୍ବାଇରେ କରୋନାର ଆତଙ୍କ ଜାରି ରହିଛି । ତେବେ ଏହି ଅଘଟଣ ପରେ ମଧ୍ୟ ବାସୁଦେବ ଅଟକି ନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.