ମଦ ପିଇବାକୁ ଆକଟ କରିବାରୁ ମା’କୁ ଜିଅନ୍ତା ଜାଳିଦେଲା ନୃଶଂସ ପୁଅ
5/01/2019 at 9:25 AM

ମାଲକାନଗିରି ୫|୧: ମା’କୁ ଜିଅନ୍ତା ଜାଳି ଦେଲା ମଦ୍ୟପ ପୁଅ । ମାଲକାନଗିରି ଜିଲ୍ଲା ମୋଟୁ ଏମପିଭି-୫୫ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଭିଯୁକ୍ତ ତାପସ ମଣ୍ଡଳ ଏଭଳି କାଣ୍ଡ ଭିଆଇଛି ।
ସୂଚନା ଅନୁସାରେ ଗତକାଲି ରାତିରେ ମଦ ପିଇ ତାପସ ଘରକୁ ଆସିବା ପରେ ମା’ ଗୀତା ମଣ୍ଡଳ ତାକୁ ଗାଳିଗୁଲଜ କରିଥିଲେ । ଏଥିରେ ତାପସ ରାଗିଯାଇ ମା’ଙ୍କ ମୁଣ୍ଡକୁ ଏକ ପଥରରେ ପିଟି ଦେଇଥିଲା । ମା’ ତଳେ ପଡି ଛଟପଟ ହେଉଥିଲେ । କିନ୍ତୁ ଏତିକିରେ ତାଙ୍କ ରାଗ କମିନଥିଲା । ଘର ପଛପଟୁ ପାଳକୁଟା ଆଣି ମା’ ଦେହରେ ପକାଇ ନିଆଁ ଲଗାଇ ଦେଇଥିଲା । ମା’ ଜୀଅନ୍ତା ଜଳୁଥିଲେ ମଧ୍ୟ ପୁଅ ତାପସକୁ ଦୟା ଆସିନଥିଲା। ମା’ର ଚିତ୍କାର ଶୁଣି ଏବଂ ନିଆଁ ଜଳିଥିବା ଖବର ସାହିବାସିନ୍ଦା ପାଇବା ପରେ ଘଟଣାସ୍ଥଳକୁ ଦୌଡି ଆସିଥିଲେ କିନ୍ତୁ ସେତେବେଳକୁ ମା’ ଗୀତାର ମୃତ୍ୟୁ ହୋଇଯାଇଥିଲା। ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଘରର ବାରଣ୍ଡାରେ ପଡି ରହିଥିଲା ମୃତଦେହ । ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ପୁଅ ତାପସ ଫେରାର ହୋଇଯାଇଛି।