ଦୁର୍ଗନ୍ଧ ହେବାରୁ ମାଟି ଖୋଳି ନିଖୋଜ ଥିବା ମହିଳାଙ୍କ ମୃତଦେହ ଉଦ୍ଧାର କଲା ପୋଲିସ ! ସ୍ତ୍ରୀକୁ ମାରି ସ୍ବାମୀ ପୋତି ଦେଇଥିବା ସନ୍ଦେହ !!
9/08/2019 at 4:55 PM

ଆନନ୍ଦପୁର ୯|୮: ଦୁର୍ଗନ୍ଧ ହେବାରୁ ବାଡିରୁ ମହିଳାଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ସ୍ତ୍ରୀକୁ ମାରି ସ୍ବାମୀ ପୋତିଦେଇଥିବା ସନ୍ଦେହ କରାଯାଉଛି । ସ୍ବାମୀ ଫେରାର ଥିବାବେଳେ ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ। କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଣା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଅଣା ଗାଁର ପ୍ରଶାନ୍ତ ମଲ୍ଲିକଙ୍କ ବଡ଼ପୁଅ ପ୍ରଦୀପ ଯାତ୍ରାପାର୍ଟିରେ କାମ କରନ୍ତି । ବିଶୃଙ୍ଖଳିତ ବ୍ୟବହାର ଓ ଆଚରଣ ଯୋଗୁଁ ବାପାଙ୍କ ସହ ତାଙ୍କର ପଡୁନଥିଲା । ପ୍ରାୟ ୯ ବର୍ଷ ତଳେ ବାଲେଶ୍ବର ଅଂଚଳର ସହ କଳାକାର ମଧୁସ୍ମିତାଙ୍କ ସହ ତାଙ୍କର ବିବାହ ହୋଇଥିଲା । ବିବାହ ପରେ ଘରଠାରୁ ଅଲଗା ଘର କରି ସେ ରହୁଥିଲେ। ତେବେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ କଳହ ଲାଗିରହିଥିଲା ଓ ପ୍ରଦୀପ ପତ୍ନୀଙ୍କୁ ମାରଧର କରୁଥିଲେ। ସ୍ବାମୀ, ସ୍ତ୍ରୀ ଓ ୭ ବର୍ଷର ପୁଅ ଅଲଗା ରହୁଥିବା ବେଳେ ପାଖାପାଖି ୩ ମାସ ହେବ ମଧୁସ୍ମିତାଙ୍କୁ ଘରେ ଦେଖିନଥିବା କହିଛନ୍ତି ପଡୋଶୀ । ଗାଏବ ଥିବା ମଧୁସ୍ମିତାଙ୍କ ସମ୍ପର୍କରେ ପଚାରିଲେ ସେ ଯାତ୍ରା ପାର୍ଟିରେ କାମ କରିବାକୁ ଯାଇଛି କହିଆସୁଥିଲା ପ୍ରଦୀପ।

କିଛି ଦିନ ହେବ ପ୍ରଦୀପଙ୍କ ଘର ନିକଟରେ ଦୁର୍ଗନ୍ଧ ବାହାରୁଥିବାରୁ ସନ୍ଦେହ କରି ସ୍ଥାନୀୟ ଲୋକେ ଗତକାଲି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନ ଚିହ୍ନଟ କରି ଯାଇଥିଲା । ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ସାଇଣ୍ଟିଫିକ୍ ଟିମର ସହାୟତା ନେଇ ଚିହ୍ନଟ ସ୍ଥାନକୁ ଖୋଳିବା ପରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ପୋଲିସ ଆସିବା ଜାଣି ଗତକାଲିଠାରୁ ଫେରାର ହୋଇଯାଇଛନ୍ତି ପ୍ରଦୀପ । ମୃତ ମହିଳା ପ୍ରଦୀପଙ୍କ ସ୍ତ୍ରୀ ମଧୁସ୍ମିତା ହୋଇଥିବା ନେଇ ସନ୍ଦେହ କରାଯାଉଛି । ତେବେ ବାଡିରୁ ଜବତ ମୃତଦେହର ପ୍ରକୃତ ପରିଚୟ ମିଳିପାରିନାହିଁ । ପୋଲିସ ମୃତଦେହ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।