ଏହି ମହିଳାଙ୍କ ଭାଗ୍ୟ ବଦଳାଇଦେଲା ୯୨୫ଟଙ୍କାରେ କିଣିଥିବା ମୁଦି : ବିକ୍ରି ହେଲା ୬.୮ କୋଟିରେ

Published By : Prameya-News7 Bureau | February 11, 2019 IST

ଲଣ୍ଡନ ୧୧|୨: କାହାର ଭାଗ୍ୟ କେତେବେଳେ ଯେ ବଦଳିଯିବ କିଛି ଭରସା ନାହିଁ । ବ୍ରିଟେନ୍‌ରେ ରହୁଥିବା ଡେବ୍ରା ଗୋଡାଇ ନାମକ ଜଣେ ୫୫ବର୍ଷୀୟ ମହିଳାଙ୍କ ସହ ମଧ୍ୟ ଏମିତି କିଛି ଘଟଣା ଘଟିଛି । ସେହି ମହିଳା ଜଣଙ୍କର କୌଣସି ଲଟେରି ଉଠାଣ ମଧ୍ୟ ହୋଇନାହିଁ । ମାତ୍ର ତାଙ୍କ ଭାଗ୍ୟ ତାଙ୍କର ଏଭଳି ସାଥ୍ ଦେଇଛି ଯେ ସେ ଏକାଥରେ କୋଟିପତି ହୋଇଯାଇଛନ୍ତି । ସେହି ମହିଳାଙ୍କ ପାଖରେ ଗୋଟିଏ ପୁରୁଣା ମୁଦିଟିଏ ଥିଲା । ମାତ୍ର ତାଙ୍କୁ ଜଣାନଥିଲା ଯେ ସେହି ମୁଦି ଦିନେ ତାଙ୍କୁ କୋଟିପତି କରିଦେବ ।

ମହିଳା ଜଣକ ସେହି ମୁଦିଟିକୁ ୩୩ବର୍ଷ ପୂର୍ବରୁ କିଣିଥିଲେ । ସେ ମୁଦିଟିକୁ ଏକ ସେଲ୍ ରୁ ୧୦ ପାଉଣ୍ଡ୍ (୯୨୫ଟଙ୍କା) ରେ କିଣିଥିଲେ । ମାତ୍ର ବର୍ତ୍ତମାନ ତାଙ୍କୁ ଜଣାପଡିଲା ଯେ ସେହି ମୁଦିଟି ଅସଲି ହୀରାରେ ନିର୍ମିତ ହୋଇଛି । ଯାହାର ମୂଲ୍ୟ ୭,୪୦,୦୦୦ ପାଉଣ୍ଡ (ପାଖାପାଖି ୬.୮ କୋଟି ଟଙ୍କା) ରୁ ଅଧିକ ।

ଡେବ୍ରା କହିଛନ୍ତି ଯେ ୩୩ବର୍ଷ ପୂର୍ବରୁ ସେହି ମୁଦିଟିକୁ ସେ କିଣିଥିଲେ । ସେବେଠାରୁ ସେ ମୁଦିଟିକୁ ବ୍ୟବହାର କରୁଛନ୍ତି । ଯେତେପର୍ଯ୍ୟନ୍ତ ମହିଳା ଜଣଙ୍କ ଗହଣା ଦୋକାନୀ ପାଖକୁ ଯାଇନଥିଲେ ସେତେପର୍ଯ୍ୟନ୍ତ ସେ ଜାଣିନଥିଲେ ଯେ ସେହି ମୁଦିଟିର ପ୍ରକୃତ ମୂଲ୍ୟ କେତେ ବୋଲି ।

ଦିନେ ଡେବ୍ରା ଭାବିଲେ ସେହି ମୁଦିଟିରେ ଲାଗିଥିବା ରତ୍ନ ନକଲି ବୋଲି । ସେ ଗହଣା ଦୋକାନୀ ପାଖକୁ ଗଲେ ସେହି ମୁଦିଟିକୁ ବିକିବା ପାଇଁ । ଗହଣା ଦୋକାନୀକୁ ସେ କହିଥିଲେ ଯେ ତାଙ୍କୁ ଲାଗୁଛି ମୁଦିଟି ନକଲି ତେଣୁ ସେ ତାକୁ ବିକିବାକୁ ଚାହୁଁଛନ୍ତି । ମାତ୍ର ଗହଣା ଦୋକାନୀ ତାଙ୍କୁ ଯାହା କହିଥିଲେ ତାହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଗହଣା ଦୋକାନୀ ତାଙ୍କୁ କହିଥିଲେ ଯେ ସେହି ମୁଦିଟି ନକଲି ନୁହେଁ ବରଂ ତାହା ଅସଲି ହୀରାର ମୁଦି । ମୁଦିଟି ୨୬.୨୭ କ୍ୟାରେଟ୍ ହୀରାରେ ତିଆରି ହୋଇଛି ।

ଡେବ୍ରା ଗତ କିଛି ବର୍ଷ ଧରି ସେହି ମୁଦିଟିକୁ ବ୍ୟବହାର କରିନଥିଲେ । ସେ ସେହି ମୁଦିଟିକୁ ଏକ ଗହଣା ବାକ୍ସ ମଧ୍ୟରେ ରଖିଦେଇଥିଲେ । ଡେବ୍ରାଙ୍କ ମାଆ କୌଣସି ଠକେଇର ଶୀକାର ହୋଇଥିଲେ । ଫଳରେ ସେମାନେ ବହୁତ ଗରିବ ହୋଇଯାଇଥିଲେ । ଫଳରେ ଡେବ୍ରା ମୁଦିଟିକୁ ବିକିବା ଉଦ୍ଦେଶ୍ୟରେ ବାହାର କରି ଗହଣା ଦୋକାନୀ ନିକଟକୁ ନେଇଥିଲେ ।

୯୨୫ ଟଙ୍କାରେ କିଣିଥିବା ମୁଦିଟି ଡେବ୍ରାଙ୍କୁ କୋଟିପତି କରିଦେଇଛି । ସେ କିଣିଥିବା ମୁଦି ବିକ୍ରି ହୋଇଛି ୬.୮ କୋଟି ଟଙ୍କାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.