ମହିଳାଙ୍କୁ ଦୁଇ ବର୍ଷ ଯାଏଁ ଆଶ୍ରମରେ ବନ୍ଦୀ କରି ଦୁଷ୍କର୍ମ କରୁଥିଲା ବାବା : ପୋଲିସ ଏବେ ଖୋଜୁଛି ଭଣ୍ଡକୁ

Published By : Prameya-News7 Bureau | November 02, 2018 IST

ନୂଆଦିଲ୍ଲୀ ୨/୧୧ : ପୁଣି ଜଣେ ବାବାଙ୍କ ନାଁରେ ଆସିଲା ଦୁଷ୍କର୍ମ ଅଭିଯୋଗ | ବାବାଙ୍କ ନାଁରେ ମହିଳା ଥାନାରେ ଏତଲା ଦେଇଛନ୍ତି ଜଣେ ମହିଳା | ମହିଳା ଜଣକ ଗୋରଖପୁରର ଏକ ଆଶ୍ରମରୁ ଖସିଆସି ଦିଲ୍ଲୀ ମହିଳା କମିସନଙ୍କ ନିକଟରେ  ଗୁହାରୀ କରିଛନ୍ତି | ମହିଳାଙ୍କ ଅଭିଯୋଗ ଆଧାରରେ ସଂପୃକ୍ତ ଆଶ୍ରମର ଅମିତ ବାବା ମଜାର ଵାଲାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜ୍ଜୁ ହୋଇଛି | ଏହି ବାବା ଗୋରଖପୁରର ପରମେଶ୍ୱର, ଭଣ୍ଡାରରେ ପାଖାପାଖି ହଜାରେ ଆଶ୍ରମ ଚଳାଉଛନ୍ତି | ମହିଳା ଅଭିଯୋଗ କରିଛନ୍ତି ଯେ, ବାବା ତାଙ୍କୁ ଦୁଇ ବର୍ଷ କାଳ ଆଶ୍ରମରେ ବନ୍ଦୀ କରି ରଖିଥିଲେ ଏବଂ ତାଙ୍କ ସହ ଦୁଷ୍କର୍ମ କରୁଥିଲେ | ତେବେ ଆଶ୍ରମରେ କାମ କରୁଥିବା ଜଣେ ସେବକଙ୍କ ସହାୟତାରେ ମହିଳା ଜଣକ ସେଠାରୁ ଖସି ଆସିଛନ୍ତି | ମହିଳାଙ୍କ ଅଭିଯୋଗ ଆଧାରରେ ବାବା ନାଁରେ ମାମଲା ରୁଜ୍ଜୁ କରିବା ପାଇଁ ମହିଳା କମିସନ ଦିଲ୍ଲୀ ପୋଲିସକୁ ନିର୍ଦେଶ ଦେଇଥିଲେ | ଦିଲ୍ଲୀ ପୋଲିସ ଆଇପିସିର ଧାରା ୩୭୬, ୩୨୩, ୩୪୨, ୩୨୮, ୫୦୬ ଏବଂ ୧୨୦ ରେ ମାମଲା ରୁଜ୍ଜୁ କରିଛି। ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ମଧ୍ୟ କମିସନ ପୋଲିସକୁ ପୋଲିସକୁ ନିର୍ଦେଶ ଦେଇଛନ୍ତି | ସୂଚନାଯୋଗ୍ୟ ଯେ, ଦୁଇବର୍ଷ ତଳେ ମହିଳା ଜଣକ କାମ ଖୋଜିବା ପାଇଁ ନିଜ ପରିବାର ସଦସ୍ୟଙ୍କ ସହ ଗୋରଖପୁର ଯାଇଥିଲେ | ସେଠାକାର ଏକ କାରଖାନାରେ ତାଙ୍କୁ କାମ ମଧ୍ୟ ମିଳିଥିଲା | ସେ ଯଥା ସମୟରେ କାରଖାନାରେ ପହଂଚି ତାଙ୍କ କାମ ତୁଲାଉଥିଲେ | ୟା ଭିତରେ ମହିଳାଙ୍କ ସାମାନ୍ୟ ସ୍ୱାସ୍ଥ୍ୟ ଖରାପ ହୋଇଥିଲା | ଆଉ ଜଣେ ମହିଳା ତାଙ୍କର ଚିକିତ୍ସା କରେଇବା ବାହାନାରେ ତାଙ୍କୁ ଅମିତ ବାବା ଆଶ୍ରମକୁ ନେଇଯାଇଥିଲେ | ମହିଳାଙ୍କ ଉପରେ ବିଶ୍ୱାସ କରି ସେ ବାବାଙ୍କ ଆଶ୍ରମକୁ ଯାଇଥିଲେ | ସ୍ୱାସ୍ଥ୍ୟ ଭଲ କରିବା ପାଇଁ ବାବା ତାଙ୍କୁ କିଛି ଔଷଧ ଦେଇଥିଲେ | ଔଷଧ ଖାଇବାପରେ ସେ ଅସୁସ୍ଥ ଅନୁଭବ କରିଥିଲେ ମଧ୍ୟ  ଘରକୁ ଫେରିଯାଇଥିଲେ | ବାବା ପୀଡିତାଙ୍କୁ ନିଜର ଫୋନ ନମ୍ବର ଦେଇଥିଲେ | ପୀଡିତା ବାବାକୁ ଫୋନ କରିବାପରେ ବାବା ତାଙ୍କୁ ପୁଣି ଆଶ୍ରମକୁ ଆସିବା ପାଇଁ କହିଥିଲେ | ଅଭିଯୋଗ ଅନୁଯାୟୀ ପୁଣି ଆଶ୍ରମକୁ ଯିବାପରେ ବାବା ତାଙ୍କୁ ଆଶ୍ରମରେ କଏଦ କରି ରଖିଥିଲେ ଏବଂ ୨ ବର୍ଷ ଯାଏଁ ତାଙ୍କ ସହ ଦୁଷ୍କର୍ମ କରିଥିଲେ | ବାବାଙ୍କ ନିଜ ରାଜନୈତିକ ପ୍ରଭାବ ଥିବା ଦର୍ଶାଇ କାହାକୁ କିଛି କହିଲେ ଜୀବନରେ ମାରିଦେବି ବୋଲି ଧମକ ଦେଇଥିଲେ | ମହିଳା ବହୁଥର ଆଶ୍ରମରୁ ଖସି ଆସିବା ପାଇଁ ଚେଷ୍ଟା କରି ସବୁଥର ବିଫଳ ହୋଇଥିଲେ | ସବୁଥର ଆଶ୍ରମର ଶିଷ୍ୟମାନେ ତାଙ୍କୁ ଧାରିଦେଉଥିଲେ ଏବଂ ତାଙ୍କୁ ମାରପିଟ ମଧ୍ୟ କରୁଥିଲେ | ତେବେ ଆଉ ଜଣେ ଶିଷ୍ୟଙ୍କ ସହାୟତାରେ ରକ୍ତାକ୍ତ ଅବସ୍ଥାରେ ପୀଡିତା ବହୁ କଷ୍ଟରେ ସେଠାରୁ ଖସିଆସି କୌଣସିମତେ ଦିଲ୍ଲୀରେ ପହଂଚିଥିଲେ | ଡିସିଡବ୍ଲ୍ୟୁର ମୁଖ୍ୟ ସ୍ୱାତୀ ଜୟ ହିନ୍ଦ କହିଛନ୍ତି ଯେ, ମହିଳା କମିସନକୁ ଏମିତି ବହୁତ ମହିଳାଙ୍କ ଅଭିଯୋଗ ଆସେ ଯେଉଁମାନେ ଏଭଳି ଭଣ୍ଡ ବାବାଙ୍କ ଦୁଷ୍କର୍ମର ଶିକାର ହୋଇଥାନ୍ତି | ଏହି ବାବାମାନେ ମହିଳା ଏବଂ ଯୁବତୀମାନଙ୍କୁ ଆଶ୍ରମରେ ରଖି ଯୌନ ଶୋଷଣ କରିଥାନ୍ତି | ମହିଳାମାନେ କୌଣସି ଅନ୍ଧବିଶ୍ୱାସରେ ବିଶ୍ୱାସ ନକରି ବାସ୍ତବିକତା ଉପରେ ବିଶ୍ୱାସ କରିବା ଉଚିତ ବୋଲି ସେ କହିଛନ୍ତି | ମହିଳା କମିସନର ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅପିଲ କରିଛନ୍ତି ଯେ, ଏଭଳି ଆଶ୍ରମଗୁଡିକର ନିୟମିତ ଯାଞ୍ଚ ହେବା ଦରକାର |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.