ସରପଞ୍ଚ କଲେ ଦୁଷ୍କର୍ମ! ‘ଆଉ କାହାକୁ ଘର ଦେଇଥିଲେ ୨୦ହଜାର ଟଙ୍କା ମିଳିଥାନ୍ତା, ତମେ ଟଙ୍କା ଦେଇପାରିବନି ତା’ ବଦଳରେ ଟିକେ ଖୁସି ଦେଇଦିଅ’

Published By : Prameya-News7 Bureau | November 13, 2018 IST

ଯାଜପୁର ୧୩|୧୧: ଯାଜପୁର ଜିଲ୍ଲା ଦଶରଥପୁର ସରପଞ୍ଚଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ଡାକି ପଞ୍ଚାୟତ ଅଫିସରେ ଦୁଷ୍କର୍ମ କରିଥିବା ମଙ୍ଗଳପୁର ଥାନାରେ ଅଭିଯୋଗ କରିଛନ୍ତି ଗାଁର ଜଣେ ମହିଳା । ପୋଲିସ ମାମଲାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ସରପଞ୍ଚ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପିସି ବଦଳରେ ଖୁସି ମାଗିଲେ । ଘର ଦେବା ଆଳରେ ଇଜ୍ଜତ ଲୁଟିଲେ । ଯାଜପୁର ଜିଲ୍ଲା ଦଶରଥପୁର ଗାଁର ସରପଞ୍ଚ ଇନ୍ଦ୍ରଜିତ ଦାସଙ୍କ ବିରୋଧରେ ଏମିତି ସଂଗୀନ ଅଭିଯୋଗ ଆଣିଛନ୍ତି ସେଇ ଗାଁର ଜଣେ ମହିଳା । ତାଙ୍କର କହିବା ଅନୁସାରେ ୮ଦିନ ତଳେ କୁଆଡ଼େ ଖୋଦ୍‌ ସରପଞ୍ଚ ତାଙ୍କ ଘରକୁ ଯାଇ ତୁମ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଗନାରେ ଘର ଆସିଛି ବୋଲି କହିଥିଲେ । ଆଉ ଆବଶ୍ୟକୀୟ କାଗଜପତ୍ର ଆଣି ପଞ୍ଚାୟତ ଅଫିସକୁ ଆସି ଦେଖା କରିବାକୁ କହିଥିଲେ । ତେବେ ଗତ କାଲି ପୀଡ଼ିତା ପଞ୍ଚାୟତ ଅଫିସକୁ ଯାଇଥିବା ବେଳେ ତାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ ସରପଞ୍ଚ । ଆଉ କାହାକୁ ଘର ଦେଇଥିଲେ ୨୦ହଜାର ଟଙ୍କା ମିଳିଥାନ୍ତା । ତମେ  ଟଙ୍କା ଦେଇପାରିବନି  ତା’ ବଦଳରେ ଟିକେ ଖୁସି ଦେଇଦିଅ । ସରକାରୀ ଯୋଜନାରେ କିଛି ପାଇବାକୁ ହେଲେ ହିତାଧିକାରୀଙ୍କୁ ପିସି ଦେବାକୁ ପଡ଼େ, ଏହାର ଉଦାହରଣ ତ ଅନେକ ଥର ଦେଖିବାକୁ ମିଳିଛି । ହେଲେ ପିସି ବଦଳରେ ଖୁସି ମାଗିବା କଥା ପ୍ରଥମ ଥର ଦେଖିବାକୁ ମିଳୁଛି । ତେବେ ଦୁଷ୍କର୍ମର ଶିକାର ହେବା ପରେ ମହିଳା ଜଣକ ସେଇ ଗାଁ ଜଣେ ସମିତି ସଭ୍ୟଙ୍କୁ ଡାକି ସବୁ କଥା କହିବା ପରେ ଥାନାରେ ଅଭିଯୋଗ କରିଥିଲେ । ପୀଡ଼ିତାଙ୍କ ଲିଖିତ ଅଭିଯୋଗ ପରେ ମଙ୍ଗଳପୁର ଥାନା ପୋଲିସ ଏବେ ୨୬୫/୧୮ରେ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ୍‌ କରୁଛି । ହେଲେ ଏ ସମ୍ପର୍କରେ ଆମେ ଅଭିଯୁକ୍ତ ସରପଞ୍ଚଙ୍କ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରିଥିଲୁ । ତାଙ୍କର କହିବା କଥା ଅଭିଯୋଗରେ କୌଣସି ସତ୍ୟତା ନାହିଁ । ସେ ସବୁ ପ୍ରକାର ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । କିଏ ସତ କହୁଛନ୍ତି । ଅଭିଯୁକ୍ତ ସରପଞ୍ଚ ନା’ ପୀଡ଼ିତା ?  ପୋଲିସର ତଦନ୍ତରେ ତାହା ସ୍ପଷ୍ଟ ହେବ । ହେଲେ ଏଭଳି ଏକ ସ୍ପର୍ଶକାତର ଘଟଣାରେ ପୋଲିସର ତଦନ୍ତର ନିରପେକ୍ଷତା ଅନେକ ଗୁରୁତ୍ବ ରଖୁଛି । କାରଣ କୌଣସି ଚାପର ବଶବର୍ତ୍ତୀ ନହୋଇ ପୋଲିସ ଜଣେ ମହିଳାଙ୍କୁ ଉପଯୁକ୍ତ ନ୍ୟାୟ ପାଇବା ଦିଗରେ କାର୍ଯ୍ୟ କରିବବୋଲି ଆଶା କରିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.