ପୁଅ ସ୍ବପ୍ନରେ ଦେଖିଲା ବାପା ଏବଂ ସାନ ଭାଇକୁ ବଳି ଦେଇଦେଇଛି ମା: ଏଥିପାଇଁ ମା'କୁ ଟାଙ୍ଗିଆରେ ହାଣି ଘର ଚୁଲିରେ ଜାଳିଦେଲା ସତସତିକା

Published By : Prameya-News7 Bureau | January 05, 2019 IST

କୋରବା ୫/୧ : ଛତିଶଗଡ଼ର କୋରବା ଜିଲ୍ଲାର ରାମାକଛାର ଅଂଚଳରେ ୨୫ ବର୍ଷ ବୟସ୍କ ଦିଲୀପ ଲାଲ ନୀମକ ଜଣେ ଯୁବକ  ନିଜର ୫୦ ବର୍ଷ ବୟସ୍କା ମା ସୁମାରିଆ ବାଇଙ୍କୁ ହତ୍ୟା କରିଛି ।  ପୁଅ ମା କୁ ହତ୍ୟା କରିଥିବା ପଛରେ ରହିଛି ଚାଞ୍ଚଲ୍ୟ ଘଟଣା | ମା ନିଜ ସ୍ୱାମୀ ଏବଂ ଆଉ ସାନ ପୁଅକୁ ବଳି ଦେଇଥିବା ଦିଲୀପ ସ୍ବପ୍ନରେ ଦେଖିଥିଲେ | ସେଥିପାଇଁ ଗୁଣିଗାରେଡି କରିବା ପାଇଁ ମାକୁ ସେ ହତ୍ୟା କରିଥିଲେ |

ଦିଲୀପଙ୍କ ବାପା ରାମଲାଲ ଏବଂ ଛୋଟ ଭାଇ ସନ୍ଦୀପଙ୍କ କିଛି ବର୍ଷ ବ୍ୟବଧାନରେ ମୃତ୍ୟୁ ହୋଇଥିଲା | ବାପା ଭାଇଙ୍କ ମୃତ୍ୟୁ ପରେ ଦିଲୀପ ଭାଙ୍ଗି ପଡ଼ିଥିଲେ | ମୃତ୍ୟୁର କାରଣ ଖୋଜି ବାହାର କରିବା ଚକ୍କରରେ ସେ ତନ୍ତ୍ର ମନ୍ତ୍ର କରିବା ଆରମ୍ଭ କରିଦେଇଥିଲେ | ଏଥିପାଇଁ ସେ ନିଜ ଘରେ ଏକ ସାଧନାସ୍ଥଳି ତିଆରି କରିଥିଲେ | ସେଠାରେ ବସି ସେ ସାଧନା କରୁଥିଲେ |

୨୦୧୮ ଡିସେମ୍ବର ୩୧ ତାରିଖ ସକାଳ ପ୍ରାୟ ୧୦ଟା ବେଳେ ଦିଲୀପ ନିଜ ମା'ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ | ମାକୁ ହାଣିବା ପରେ ଭୂମିରେ ବୋହିଯାଇଥିବା ରକ୍ତ ପିଇଥିଲା | ଠିକ ଏତିକିବେଳେ ପଡୋଶୀରେ ରହୁଥିବା ଜଣେ ମହିଳା ଦିଲୀପଙ୍କ ଘରକୁ ଆସିଥିଲେ | ସେ ଦିଲୀପଙ୍କ ନରକୀୟ କାର୍ଯ୍ୟକଳାପ ଦେଖିଥିଲେ | ଏସବୁ ଦେଖି ସେ ଡରି ଯାଇଥିଲେ ଏବଂ ଚୁପଚାପ ନିଜ ଘରକୁ ଫେରିଯାଇଥିଲେ | ୩ ଦିନ ଭୟରେ ଚୁପ ରହିଲେ | ଚତୁର୍ଥ ଦିନ ଘଟଣା ସମ୍ପର୍କରେ ନିଜ ଘରଲୋକଙ୍କୁ କହିଥିଲେ | ମହିଳାଙ୍କ କଥା ଶୁଣି ମହିଳାଙ୍କ ପରିବାର ଲୋକେ ଗାଁ ଲୋକଙ୍କୁ ସବୁ ଘଟଣା ଜଣାଇଥିଲେ | ଏହାପରେ ମହିଳାଙ୍କ ପରିବାର ଏବଂ ଗ୍ରାମବାସୀ ରାତି ୮ଟା ବେଳେ ସ୍ଥାନୀୟ ଥାନାକୁ ଗଲେ | ଥାନାରେ ଘଟଣା ସମ୍ପର୍କରେ ଏତଲା ଦେଇଥିଲେ |

ଶୁକ୍ରବାର ସକାଳେ ପୋଲିସ ଦିଲୀପଙ୍କ ଘରେ ପହଞ୍ଚିଥିଲା | ଘର ଅଗଣାରେ ଥିବା ଏକ ଚୁଲିର ପାଉଁଶରୁ ସୁମାରିଆ ବାଇଙ୍କ ଅସ୍ଥି ମିଳିଥିଲା ପୋଲିସକୁ | ଏହାପରେ ପୋଲିସ ଘର ଭିତରକୁ ଯାଇଥିଲା | ସେଠାରେ ସେ ସାଧନା ସ୍ଥଳୀରେ ମାରା ମାଂସ ଟୁକୁଡା ରଖାଯାଇଥିବା ଦେଖିଥିଲା | ଏହାସହ ଘର କାନ୍ଥରେ ରକ୍ତ ଛିଟା ଲାଗିଥିଲା | ଘଟଣାସ୍ଥଳରୁ ପୋଲିସ ଟାଙ୍ଗିଆ ବି ଜବତ କରିଥିଲା ଯେଉଁଥିରେ ଦିଲୀପ ମାକୁ ହତ୍ୟା କରିଥିଲା | କିନ୍ତୁ ଦିଲୀପ ଘରେ ନଥିଲା | ସେ ଫେରାର ହୋଇଯାଇଥିଲା |

ଦିଲୀପ ଫେରାର ଥିବା ଦେଖି ପୋଲିସ ଗ୍ରାମବାସୀଙ୍କୁ ପଚରାଉଚୁରା କରିଥିଲା | ଗାଁଲୋକେ କହିଥିଲେ ଯେ, ଦିଲୀପ ତନ୍ତ୍ରମନ୍ତ୍ର କରିବା ପରଠୁ ଅଜବ ଅଜବ କାମ କରୁଥିଲା | ସେ ସ୍ବପ୍ନରେ କଣ କଣ ସବୁ ଦେଖୁଥିଲା ଏବଂ ସାଧନା ସିଦ୍ଧି ପାଇଁ ବଳି ଦେବା କଥା କହୁଥିଲା ବୋଲି ଗାଁଲୋକେ କହିଥିଲେ | ଦିଲୀପର ଏଭଳି କାରନାମା ଦେଖି ତାଙ୍କ ସ୍ତ୍ରୀ ଦୁଇ ବର୍ଷ ପୂର୍ବରୁ ତାଙ୍କୁ ଛାଡି ନିଜ ମା ଘରକୁ ଚାଲିଯାଇଥିଲା | ସ୍ତ୍ରୀ ଚାଲିଗଲା ପରେ ଦିଲୀପ ସ୍ତ୍ରୀକୁ ନେବା ପାଇଁ ମଧ୍ୟ ଯାଇନଥିଲା କି ସ୍ତ୍ରୀ ନିଜେ ମଧ୍ୟ ସ୍ୱାମୀ ପାଖକୁ ଫେରିନଥିଲା |

ଦିଲୀପରା ମା' ସୁମାରିଆ ବାଇ ବିଲରେ କାମ କରି ପରିବାର ଚଳାଉଥିଲେ | ତେବେ ଦିଲୀପ ସବୁବେଳେ ମାକୁ ଡାହାଣୀ ବୋଲି କହୁଥିଲା | ତେବେ ପୁଅ ତାଙ୍କୁ ଏଭଳି କାହିଁକି କହୁଛି ଭାବି ମା ନିଜେ ମଧ୍ୟ ଚିନ୍ତା କରୁଥିଲେ ବୋଲି ଜଣେ ପଡୋଶୀ ମହିଳା ପୋଲିସକୁ କହିଥିଲେ |

ପଡୋଶୀ ମହିଳା ପୋଲିସକୁ ବୟାନ ଦେଇଥିଲେ ଯେ, ୩୧ ତାରିଖ ଦିନ ସକାଳେ ସୁମାରିଆ ବାଇ ଘର ଅଗଣା ଭିତରେ ଏକ ଖଟରେ ବସିଥିଲେ | ସେତେବେଳେ ଦିଲୀପ ଏକ ଟାଙ୍ଗିଆରେ ମାକୁ ହାଣି ଦେଇଥିଲା | ମା ଦେହରୁ ବୋହିଯାଇଥିବା ରକ୍ତକୁ ହାତରେ ରାମ୍ପି ପିଇଦେଇଥିଲା ଦିଲୀପ | ପଡୋଶୀ ମହିଳା ଏହିସବୁ ଦେଖିଥିଲେ | ସେ ଭୟରେ ସେଠାରୁ ପଳେଇଆସି ନିଜର ଜଣେ ସାଙ୍ଗକୁ କହିଥିଲେ | ଜାନୁଆରୀ ୧ ତାରିଖ ଦିନ ସେହି ମହିଳାଙ୍କ ଜ୍ୱାଇଁ ତାଙ୍କ ଘରକୁ ଆସିଥିଲେ | ତାଙ୍କୁ ଦେଖିବା ପରେ ସେ ସାହସ ଯୁଟାଇ ନିଜ ପରିବାର ଲୋକଙ୍କୁ ଏବଂ ଗାଁଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ | ଏହାପରେ ଗାଁଲୋକେ ଦିଲୀପ ଘରକୁ ଯାଇ ଦେଖିଥିଲେ ଦିଲୀପର ମାଙ୍କ ମୃତଦେହର ଅବଶେଷ ଘର ଭିତରେ ପଡିଥିଲା କିନ୍ତୁ ସେ ନଥିଲା | ଏହାପରେ ଗାଁଲୋକେ ମିଶି ଥାନାରେ ଏତଲା ଦେଇଥିଲେ |

ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି | ଏହା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦିଲୀପକୁ ଖୋଜାଖୋଜି କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.