ଘର ସୀମା ବିବାଦକୁ ନେଇ ରାଜମିସ୍ତ୍ରୀଙ୍କ ମୁଣ୍ଡରେ ପଥର ଛେଚିଦେଲେ ମହିଳା, ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର

Published By : Prameya-News7 Bureau | June 12, 2021 IST

ଢେଙ୍କାନାଳ ୧୨।୬: ଭାଇ-ଭାଇ ଭିତରେ ଘର ସୀମାକୁ ନେଇ ଦେଖାଦେଇଥିଲା ବିବାଦ । ଆଉ ଏହି ବିବାଦରେ କାମ କରିବାକୁ ଆସିଥିବା ଜଣେ ରାଜମିସ୍ତ୍ରୀ ବଳି ପଡିଛନ୍ତି । ଏପରିକି କାମ କରୁଥିବା ବେଳେ ଜଣେ ମହିଳା ରାଜମିସ୍ତ୍ରୀଙ୍କ ମୁଣ୍ଡରେ ପଥର କଚି ଦେଇଛନ୍ତି । ଫଳରେ ଘର କାମ କରୁଥିବା ରାଜମିସ୍ତ୍ରୀ ଜଣଙ୍କ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସହରର ମଣ୍ଡପା ସାହିରେ । ଗୁରୁତର ରାଜମିସ୍ତ୍ରୀ ଜଣଙ୍କ କାମାକ୍ଷାନଗର ରାଇନରସିଂପୁର ଗ୍ରାମର କେଶବ ଭୁତିଆ ବୋଲି ଜଣାପଡିଛି । ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ଦେଖାଯାଇଛି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ସହରର ମଣ୍ଡପା ସାହିର ବିଦ୍ୟାଧର ସାହୁଙ୍କ ଘର କାମ କରୁଥିଲେ କେଶବ । ତେବେ ବିଦ୍ୟାଧର ଓ ତାଙ୍କ ଭାଇ ସୁଧାକର ସାହୁଙ୍କ ମଧ୍ୟରେ ଘର ଜାଗାକୁ ନେଇ ବିବାଦ ରହିଥିଲା । ଶନିବାର କାମ ଚାଲିଥିବାବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ସୁଧାକର ସାହୁଙ୍କ ପତ୍ନୀ କାମିନୀ ଏକ ବଡ ପଥର ଆଣି ରାଜମିସ୍ତ୍ରୀ କେଶବଙ୍କ ମୁଣ୍ଡରେ କଚି ଦେଇଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ କେଶବଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଟାଉନ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.