ବୃଦ୍ଧାଙ୍କ ଗଳାରେ ହେଉଥିଲା ଯନ୍ତ୍ରଣା, କରୋନା ସନ୍ଦେହରେ କଲେ ଆତ୍ମହତ୍ୟା

Published By : Prameya-News7 Bureau | April 07, 2020 IST

କପୁରଥଲା ୭।୪: ବିଶ୍ବବ୍ୟାପୀ ଆତଙ୍କ ଖେଳାଇଛି କରୋନା । ସାରା ବିଶ୍ବରେ ପ୍ରାୟ ୭୫ ହଜାର ଲୋକଙ୍କର କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ଘଟିଛି । ଯାହାକୁ ନେଇ ଆତଙ୍କ ବଢିବାରେ ଲାଗିଛି । ଏହି କାରଣରୁ କରୋନା ହୋଇଥିବା ସନ୍ଦେହରେ ଲୋକମାନେ ଆତ୍ମହତ୍ୟା କରୁଥିବା ଘଟଣାମାନ ସାମ୍ନାକୁ ଆସିବାରେ ଲାଗିଛି । ଏଭଳି ଏକ ମାମଲା ପଞ୍ଜାବର କପୁରଥଲାରେ ଘଟିଛି ।

ସୂଚନାଯୋଗ୍ୟ ଯେ, ପଞ୍ଜାବର କପୁରଥଲାରେ ଜଣେ ୬୫ବର୍ଷ ବୟସ୍କା ମହିଳା କରୋନା ହୋଇଥିବା ସନ୍ଦେହ କରି ଆତ୍ମହତ୍ୟା କରିଛନ୍ତି । ମୃତକ ଖୁର୍ମପୁର ଗାଁର ସନ୍ତୋଷ କୌର ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ସନ୍ତୋଷ କୌରଙ୍କର ୪ଝିଅ ଅଛନ୍ତି, ସମସ୍ତେ ବିବାହିତ । ଗତ ବର୍ଷ ସନ୍ତୋଷଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଥିଲା । ଫଳରେ ସନ୍ତୋଷ ତାଙ୍କ ଘରେ ଏକୁଟିଆ ରହୁଥିଲେ ।

କିଛି ଦିନ ହେବ ତାଙ୍କ ଗଳା ଯନ୍ତ୍ରଣା ହେଉଥିଲା । ଯେଉଁଥିପାଇଁ ସେ ଔଷଧ ମଧ୍ୟ ଖାଉଥିଲେ । ଗଳାରେ ଯନ୍ତ୍ରଣା ହେତୁ ସନ୍ତୋଷ ସନ୍ଦେହ କରିଥିଲେ ଯେ ତାଙ୍କୁ କରୋନା ଭାଇରସ୍ ସଂକ୍ରମଣ ହୋଇଛି । ଏହି କାରଣରୁ ସେ ପଡୋଶୀ ମହିଳାମାନଙ୍କଠାରୁ ମଧ୍ୟ ଦୂରେଇ ରହୁଥିଲେ । ମୃତକଙ୍କ ବଡ ଝିଅ କହିଛନ୍ତି ଯେ ରାତି ପ୍ରାୟ ୧୦ଟା ବେଳେ ସେ ତାଙ୍କ ମା’ଙ୍କ ସହିତ ଫୋନରେ କଥା ହୋଇଥିଲେ । ଏହାପରେ ସେ ଆଉ ଫୋନ୍ ଉଠାଇ ନଥିଲେ ।

ଯେତେବେଳେ ପଡୋଶୀ ତାଙ୍କୁ ଡାକିବାକୁ ଆସିଥିଲେ ସେତେବେଳେ ସେ ଦେଖିଥିଲେ ସନ୍ତୋଷ ଆତ୍ମହତ୍ୟା କରିଦେଇଛନ୍ତି । ଅନ୍ୟପକ୍ଷରେ ସିଭିଲ ହସ୍ପିଟାଲର ଏସଏମଓ କମଲ କିଶୋର କହିଛନ୍ତି ଯେ, ମୃତକଙ୍କ ନିକଟରେ କରୋନା ଭାଇରସ୍ ନାହିଁ । କୌଷଣ ବିଷାକ୍ତ ଜିନିଷ ଖାଇବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ପୋଷ୍ଟମର୍ଟମ ପରେ ପରିବାର ଲୋକକୁ ଶବ ହସ୍ତାନ୍ତର କରାଯାଇଛି ।

ଏପର୍ଯ୍ୟନ୍ତ ପଞ୍ଜାବରେ ପ୍ରାୟ ୮୦ ଜଣ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇସାରିଲେଣି । ଏଥିଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ସାରା ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ହେଉଛି ୪୨୮୧, ଯେଉଁଥିରୁ ୧୧୧ ଲୋକ ପ୍ରାଣ ହରାଇଛନ୍ତି । ୩୦୦ ରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.