ସ୍ୱାମୀ ଅଷ୍ଟମ ପାସ୍‌କୁ ସ୍ତ୍ରୀ ଏମଏ: କଲେଜ୍‌ ଛାଡ଼ିବାକୁ ଯାଉନଥିବାରୁ ସ୍ୱାମୀଙ୍କୁ ଛାଡ଼ପତ୍ର, କୋର୍ଟ କହିଲେ...

Published By : Prameya-News7 Bureau | August 03, 2021 IST

ଭୋପାଲ ୦୩/୦୮ : ବିବାହର ୬ ବର୍ଷ ପରେ ଜଣେ ଦମ୍ପତିଙ୍କ ମଧ୍ୟ ମତଭେଦ ଏତେ ବଢିଗଲା ଯେ ମାମଲା ଛାଡପତ୍ର ଯାଏଁ ପହଞ୍ଚିଗଲା। ଦମ୍ପତିଙ୍କ ମଧ୍ୟରେ ଝଗଡାର ମୁଖ୍ୟ କାରଣ ପତ୍ନୀଙ୍କ ପାଠ ପଢା। ବିବାଦ ପରେ ପତ୍ନୀ ସ୍ୱାମୀଙ୍କ ଠାରୁ ଛାଡପତ୍ର ମାଗିଥିଲେ। ସ୍ୱାମୀ ଅଷ୍ଟମ ପାସ ଓ ପତ୍ନୀ ଏମଏ ପଢୁଛନ୍ତି।

ମାମଲାରେ ପତ୍ନୀ ଅଭିଯୋଗ କରିଛନ୍ତି ଯେ ସ୍ୱାମୀ ତାଙ୍କ ଶିକ୍ଷାକୁ ମହତ୍ତ୍ୱ ଦେଉନାହାନ୍ତି। ତାଙ୍କୁ କଲେଜ ଛାଡିବାକୁ ଯାଉନାହାନ୍ତି। ଘର କାମ ରେ ତାଙ୍କୁ ସାହାଯ୍ୟ ବି କରୁନାହାନ୍ତି। ଅପରପକ୍ଷରେ ସ୍ୱାମୀ କହିଛନ୍ତି, ସେ ପାଠ ପଢି ପାରିଲେନି କିନ୍ତୁ ଶିକ୍ଷାକୁ ମହତ୍ତ୍ୱ ଦିଅନ୍ତି। ସେଥିପାଇଁ ସେ ପତ୍ନୀଙ୍କୁ ଦ୍ୱାଦଶ ପରେ ପଢିବାକୁ ଅନୁମତି ଦେଇଛନ୍ତି। ବିଏ ପାସ ପରେ ଏମଏ ଆଡ଼ମିସନ କରାଇଲେ। ପତ୍ନୀଙ୍କ କଲେଜ ଫି ମଧ୍ୟ ଦିଅନ୍ତି। କେବଳ କଲେଜ ଛାଡିବାକୁ ଯାଇପାରେନାହିଁ ବୋଲି ସେ ତାଙ୍କ ସହ ଝଗଡା କରନ୍ତି। ପତ୍ନୀ ଘର କାମ କିଛି କରୁନାହାନ୍ତି ବୋଲି ସେ କହିଛନ୍ତି।

ମାମଲାରେ ୫ଥର କାଉନସିଲିଂ କରାଯାଇ ଉଭୟଙ୍କ ମଧ୍ୟରେ ବୁଝାମଣା କରାଯାଇଛି। ଶପଥ ପତ୍ର ମଧ୍ୟ ଦସ୍ତଖତ କରାଯାଇଛି। ପତ୍ନୀ ଶପଥ ପତ୍ରରେ ସ୍ୱୀକାର କରିଛନ୍ତି ଯେ ସେ ପାଠ ପଢା ସହ ଘର କାମରେ ପରିବାର ସଦସ୍ୟଙ୍କୁ ସାହାଯ୍ୟ କରିବେ। ଏହାସହ ସ୍ୱାମୀ ଓ ଶାଶୂଘର ଲୋକଙ୍କୁ ସମ୍ମାନ ଦେବେ। ସ୍ୱାମୀ ଶପଥ ପତ୍ରରେ ଲେଖିଥିଲେ ଯେ ସେ ସର୍ବଦା ପତ୍ନୀଙ୍କୁ ସହଯୋଗ କରିବେ ଏବଂ କେବେ ବି ତାଙ୍କ ସହ ଦୁର୍ବ୍ୟବହାର କରିବେ ନାହିଁ।

କାଉନସିଲିଂ ବେଳେ ପତ୍ନୀ କହିଥିଲେ ଯେ ଶାଶୂଘର ଲୋକ ସବୁବେଳେ ତାଙ୍କୁ ଖୁଣ୍ଟା ମାରୁଛନ୍ତି। କଲେଜ ଗଲାପରେ ତାଙ୍କ ଶାଶୁ ସ୍ୱାମୀଙ୍କୁ ତାଙ୍କ ବିରୋଧରେ ଏପଟ ସେପଟ କଥା କୁହନ୍ତି। ଶାଶୁ କୁହନ୍ତି ଯେ ବୋହୁ ପଢିବାକୁ ନୁହେଁ ବୁଲିବାକୁ ଯାଉଛି। ଏସବୁ ଶୁଣି ତାଙ୍କ ସ୍ୱାମୀ ତାଙ୍କ ସହ ଝଗଡା କରନ୍ତି।

ମାମଲାରେ ଦମ୍ପତିଙ୍କ ଦ୍ୱାରା ଶପଥ ପତ୍ରରେ ଦସ୍ତଖତ ନିଆଯାଇଛି। ଉଭୟଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଯେଉଁ ବିବାଦ ଥିଲା ତାକୁ ମଧ୍ୟ ଆପୋଷ ବୁଝାମଣା ଦ୍ୱାରା ସମାଧାନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.