ଛୁଆଙ୍କ ଜିଦ୍ ପାଇଁ ଧ୍ବଂସ ହୋଇଗଲା ପୂରା ପରିବାର : ସ୍ବାମୀଙ୍କ ଆଖି ସାମନାରେ ଜୀଅନ୍ତା ଜଳିଗଲେ ସ୍ତ୍ରୀ ଏବଂ ଦୁଇ ଝିଅ
11/03/2019 at 4:21 PM

ନୂଆଦିଲ୍ଲୀ ୧୧/୩: ରାଜଧାନୀ ଦିଲ୍ଲୀର ଅକ୍ଷରଧାମ ମନ୍ଦିର ନିକଟରେ ଗତକାଲି ସଂଧ୍ୟା ପାଖାପାଖି ୬:୩୦ବେଳେ ଚଳନ୍ତା କାରରେ ହଠାତ୍ ନିଆଁ ଲାଗିଯିବାରୁ ମହିଳା ଏବଂ ତାଙ୍କ ଦୁଇ ଝିଅଙ୍କ ମୃତ୍ୟୁ ହୋଇଯାଇଛି। କାର୍ ଚଲାଉଥିବା ସ୍ବାମୀ ସବୁଠୁ ସାନ ଝିଅକୁ କୈାଣସିମତେ ବାହାରକୁ ନେଇ ଆସିଥିଲେ। ସେମାନେ ଆଂଶିକ ପୋଡ଼ିଯାଇଛନ୍ତି।
ପୋଲିସଙ୍କ କହିବା ଅନୁସାରେ ଉପେନ୍ଦ୍ର ମିଶ୍ରା ପରିବାର ସହ ଲୋନୀ,ରାମ ପାର୍କରେ ରହନ୍ତି। ସେ କାର-୨୪ ନାମକ କମ୍ପାନୀରେ କର୍ଯ୍ୟରତ ଥିଲେ। ଗତକାଲି ଦ୍ବିପ୍ରରରେ ଉପେନ୍ଦ୍ର ପତ୍ନୀ ରଞ୍ଜନା, ଝିଅ ରିଦ୍ଧି(୬),ସିଦ୍ଧି(ଦେଢ଼ ବର୍ଷ) ଏବଂ ନିକି(୩)ଙ୍କ ସହ କାରରେ କାଲକାଜୀ ମନ୍ଦିର ଯାଇଥିଲେ।
ଫେରୁଥିବାବେଳେ ପତ୍ନୀ ଏବଂ ପିଲାମାନେ ଅକ୍ଷରଧାମ ମନ୍ଦିର ଯିବେ ବୋଲି କହିବାରୁ ଉପେନ୍ଦ୍ର କାରକୁ ଶକରପୁର ଚୁଙ୍ଗୀରୁ ପୁଣି ଅକ୍ଷରଧାମ ମନ୍ଦିର ନେଇଯାଇଥିଲେ। ରେଲଓ୍ବେ ଓଭର ବ୍ରିଜ ନିକଟରେ ପହଞ୍ଚିବା ପରେ କାରରେ ହଠାତ୍ ନିଆଁ ଲାଗିଯାଇଥିଲା। ଉପେନ୍ଦ୍ର ପଛ ସିଟରେ ବସିଥିବା ସିଦ୍ଧିକୁ ନେଇ କୈାଣସିମତେ ବାହାରକୁ ପଳାଇ ଆସିଥିଲେ। କିନ୍ତୁ ପତ୍ନୀ ଏବଂ ଦୁଇ ଝିଅଙ୍କୁ ବଞ୍ଚାଇ ପାରିନଥିଲେ।
ଏହି କାର୍ ଦୁର୍ଘଟଣା ଉପେନ୍ଦ୍ରଙ୍କ ପରିବାରକୁ ସମ୍ପୂର୍ଣ୍ଣ ଭାବେ ଦୋହଲାଇ ଦେଇଥିଲା। କାନ୍ଦି କାନ୍ଦି ଚିତ୍କାର କରୁଥିବା ଉପେନ୍ଦ୍ର ପତ୍ନୀ ଏବଂ ଦୁଇ ଝିଅଙ୍କୁ ବଞ୍ଚାଇବା ପାଇଁ ଲୋକଙ୍କ ନିକଟରେ ଗୁହାରି କରିଥିଲା। ତାଙ୍କ ସାନ ଝିଅକୁ ଜଣା ନଥିଲା ତା ମାଆ ଏବଂ ଦୁଇ ବଡ଼ ଭଉଣୀ ସବୁଦିନ ପାଇଁ ତାଙ୍କୁ ଛାଡ଼ି ଚାଲିଯାଇଛନ୍ତି। ସେ ବାପାଙ୍କୁ କାନ୍ଦୁଥିବା ଦେଖି କାନ୍ଦୁଥିଲା। ଏହି ଭୟଙ୍କର ଦୃଶ୍ୟକୁ ଦେଖି ଲୋକଙ୍କ ଛାତି ଥରିଥିଲା।
ଦୁର୍ଘଟଣାର ସୂଚନା ମିଳିବା ପରେ ଉପେନ୍ଦ୍ରଙ୍କ ଜଣେ ନିକଟ ସମ୍ପର୍କୀୟ କହିଥିଲେ ଯେ ଉପେନ୍ଦ୍ର କାର୍ ବିକା କିଣା କରୁଥିବା କମ୍ପାନୀରେ କାମ କରୁଥିଲେ। ପିଲାଙ୍କୁ ବୁଲାଇବା ପାଇଁ ସେ ମାସେ ପାଇଁ ଏହି କାର୍ ଭଡ଼ାରେ ଆଣିଥିଲେ।
ରବିବାର ଛୁଟି ନ ମିଳୁଥିବା ସତ୍ତ୍ବେ ପତ୍ନୀ କହିବାରୁ ସେ ଛୁଟିନେଇ ପରିବାରକୁ କାଲକାଜୀ ମନ୍ଦିର ଦର୍ଶନ କରାଇବାକୁ ନେଇ ଯାଇଥିଲେ। ସନ୍ଧ୍ୟା ପାଖାପାଖି ୬ଟାବେଳେ ଫେରୁଥିବାବେଳେ ପତ୍ନୀ ଏବଂ ପିଲାମାନେ ଅକ୍ଷରଧାମ ମନ୍ଦିର ଯିବାକୁ ଜିଦ୍ କରିଥିଲେ।
ଉପେନ୍ଦ୍ର ଏଥିରେ ରାଜି ହୋଇଯାଇଥିଲେ ଏବଂ ୟୁଟର୍ଣ୍ଣ ନେଇ ଅକ୍ଷରଧାମ ମନ୍ଦିର ଆଡ଼କୁ ମୁହାଁଇଥିଲେ। ଏହି ସମୟରେ ହଠାତ୍ କାରଟି ଜଳିଯାଇଥିଲା। ଉପେନ୍ଦ୍ରଙ୍କ ଛୁଟି ଏବଂ ପିଲାଙ୍କ ଜିଦ୍ ତାଙ୍କ ପାଇଁ କାଳ ହୋଇଥିଲା।