ଜେଲରଙ୍କ ବିରୋଧରେ ବନ୍ଦୀ ମା' ଝିଅଙ୍କୁ ଯୌନ ଉତ୍ପୀଡ଼ନ କରୁଥିବା ଅଭିଯୋଗ : ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଚିଠି ଲେଖିଲେ ମହିଳା

Published By : Prameya-News7 Bureau | April 14, 2019 IST

ମୁଜାଫରପୁର ୧୪/୪ : ମୁଜାଫରପୁର କେନ୍ଦ୍ରୀୟ କାରାଗାର ଅଧିକ୍ଷକ ରାଜୀବ କୁମାର ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ହୋଇଛି | ଜଣେ ମହିଳା ଅଧିକ୍ଷକଙ୍କ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି | ମହିଳା ସେହି କାରାଗାରରେ ବନ୍ଦୀ ଅଛନ୍ତି | ଜେଲ ଅଧିକ୍ଷକ ମହିଳା ଏବଂ ତାଙ୍କ ଝିଅକୁ ଯୌନ ଉତ୍ପୀଡ଼ନ ଦେଇଥିବା ଅଭିଯୋଗ କରିଛନ୍ତି | ମହିଳା ଜଣକ ଜେଲରେ ଥାଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ପାଖକୁ ଏନେଇ ଚିଠି ଲେଖିଛନ୍ତି | ମହିଳା ମାର୍ଚ୍ଚ ୨୮ ତାରିଖରେ ଚିଠିରେ ଦସ୍ତଖତ କରିଛନ୍ତି |ମହିଳାଙ୍କ ଚିଠିକୁ ଗମ୍ଭୀରତାର ସହ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ତଦନ୍ତ ନିର୍ଦେଶ ଆସିଛି | ଡ଼ିଏମ ଆଲୋକ ରଞ୍ଜନ ଘୋଷ ତଦନ୍ତ ପାଇଁ ୫ଜଣିଆ ସଦସ୍ୟ ବିଶିଷ୍ଟ ଏକ ଟିମ ଗଠନ କରିଛନ୍ତି | ଗୋଟିଏ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଟିମକୁ ନିର୍ଦେଶ ଦିଆଯାଇଛି |


ଚିଠିରେ ବନ୍ଦୀ ମହିଳା ଅନେକ ଖୁଲାସା କରିଛନ୍ତି | ମହିଳା ନିଜ ଝିଅ ସହ ଜେଲରେ ବନ୍ଦୀ ଅଛନ୍ତି ବୋଲି ଚିଠିରେ ଲେଖିଛନ୍ତି | ଜେଲର ମହିଳା ସିପାହୀ ତାଙ୍କ ଝିଅକୁ ଜେଲ ଅଧିକ୍ଷକଙ୍କ ପ୍ରକୋଷ୍ଠକୁ ଯିବା ପାଇଁ ବାଧ୍ୟ କରିଥାନ୍ତି | ସେ ଅସ୍ବୀକାର କଲେ ତାଙ୍କ ସହ ମାରପିଟ କରନ୍ତି | କଥା ନ ମାନିଲେ ମହିଳା ଏବଂ ତାଙ୍କ ଝିଅକୁ ଭଗଲପୁର କାରାଗାରକୁ ସ୍ଥାନାନ୍ତର କରାଯିବ ବୋଲି ଧମକ ମଧ୍ୟ ଦେଇଥାନ୍ତି | ଗତ ମୋର୍ଛ ୪ ତାରିଖରେ ଝିଅ ଜେଲ ଅଧିକ୍ଷକଙ୍କ ପ୍ରକୋଷ୍ଠକୁ ଯିବା ପାଇଁ ମନା କରିବାରୁ ମହିଳାଙ୍କୁ ଏତେ ମାଡ଼ ମରାଯାଇଥିଲା ଯେ, ସେ ବେହୋସ ହୋଇଯାଇଥିଲେ |


ମୁଜାଫରପୁର କେନ୍ଦ୍ରୀୟ କାରାଗାର ଅଧିକ୍ଷକ ଏସକେ ମୌର୍ଯ୍ୟ ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି | ସେ କହିଛନ୍ତି ଯେ, ଯେଉଁ ମହିଳା ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି ସେ ଜେଲରୁ ବାହାରି ସାରିଛନ୍ତି | ମହିଳାଙ୍କ ସ୍ୱାମୀ ଏବଂ ଝିଅ ମଧ୍ୟ ଜେଲରେ ବନ୍ଦୀ ଥିଲେ | ଦେହ ବ୍ୟବସାୟ କରୁଥିବା ଅଭିଯୋଗରେ ସମସ୍ତେ ଗିରଫ ହୋଇଥିଲେ | ଜେଲ ପରିସରରେ କ୍ୟାମେରା ଲାଗିଛି | ୨୪ ଘଣ୍ଟା ପରିସର ଉପରେ କ୍ୟାମେରାର ନଜର ରହିଛି | ଜେଲରେ ଏହିଭଳି କୌଣସି ଘଟଣା ଘଟିନାହିଁ | ମହିଳାଙ୍କ ଅଭିଯୋଗ ମିଛ ବୋଲି କହିଛନ୍ତି ଜେଲ୍ର ଏସକେ.ମୌର୍ଯ୍ୟ | ସେ ସବୁ ପ୍ରକାର ତଦନ୍ତ ପାଇଁ ରାଜି ଅଛନ୍ତି ବୋଲି କହିଥିଲେ |


ଜେଲ ରେକର୍ଡ ଅନୁଯାୟୀ, ଅଭିଯୁକ୍ତକାରୀ ମହିଳା (୪୦) ଏବଂ ତାଙ୍କ ଝିଅ (୨୫) ଦେହ ବ୍ୟବସାୟ ଅଭିଯୋଗରେ ଜେଲ ଯାଇଥିଲେ | ମହିଳାଙ୍କ ସ୍ୱାମୀକୁ ମଧ୍ୟ ଡିସେମ୍ବର ମାସରେ ସମାନ ଅଭିଯୋଗରେ ଗିରଫ କରାଯାଇଥିଲା | ମାର୍ଚ୍ଚ ମାସରେ ମହିଳା ଜେଲରୁ ବାହାରି ଯାଇଥିଲେ | ମହିଳାଙ୍କ ଝିଅ ଓ ସ୍ୱାମୀ ଏପ୍ରିଲ ମାସରେ ଜେଲରୁ ବାହାରି ଯାଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.