ଚତୁର ଚୋରଣୀ, ତିନି ଦିନ ବ୍ୟାଙ୍କ ଭିତରେ ରହିଲା, ସିସିଟିଭି ଭାଙ୍ଗିଲା, ହେଲେ ତାପରେ...

Published By : Prameya-News7 Bureau | June 30, 2021 IST

ଶିଲଙ୍ଗ, ୩୦/୦୬: ଆପଣ ବେଳେ ବେଳେ ଶୁଣିଥିବେ ଯେ ବ୍ୟଙ୍କରୁ କିପରି ଅଧୁନିକ, କୌଶଳପୂର୍ଣ୍ଣ ଏବଂ ବେଶ୍‌ ଚତୁରତାର ସହିତ ଟଙ୍କା ଚୋରି ହୋଇଥାଏ । ହେଲେ କେବେ ଶୁଣିଛନ୍ତି ଚୋରଟିଏ ଚୋରି କରିବା ପାଇଁ ସାଥିରେ ଖାଦ୍ୟ ସାମଗ୍ରୀ ନେଇ ଯିବାର ଏବଂ ତିନିଦିନ ସେଇ ବ୍ୟାଙ୍କ ଭିତରେ ରହିବାର । ତେବେ ଏପରି ଏକ ଘଟଣା ମେଘାଳୟରେ ଦେଖିବାକୁ ମିଳିଛି ।

ଘଟଣା ଅନୁସାରେ, ଜଣେ ୪୦ ବର୍ଷୀୟ ମହିଳାଙ୍କୁ ସ୍ଥାନୀୟ ପୋଲିସ୍‌ ଗିରଫ କରିଛି । ଏହି ମହିଳା ଜଣକ ଶିଲଙ୍ଗ ଅଞ୍ଚଳରେ ଥିବା ଏକ ବ୍ୟାଙ୍କରୁ ଚୋରି କରିବାକୁ ଉଦ୍ୟମ କରିଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଛି । ଗତ ଶୁକ୍ରବାରଦିନ ଏହି ମହିଳା କାର୍ଯ୍ୟ ସମୟ ୨ଟା ପୂର୍ବରୁ ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ ଉକ୍ତ ବ୍ରାଞ୍ଚକୁ ଆସିଥିଲେ । ଟଙ୍କା ଆକାଉଣ୍ଟ୍‌ରେ ଜମା କରିସାରିବା ପରେ ସେ ବ୍ରାଞ୍ଚର ଏକ ସ୍ଥାନରେ ସେ ଲୁଚି ଯାଇଥିଲେ । ଯାହାକି କାହାକୁ ଜଣାପଡ଼ିନଥିଲା ।

ଅତିରିକ୍ତ ପୋଲସ୍‌ ଅଧିକ୍ଷକ ବିବେକ ସାଏମଙ୍କ ସୂଚନା ମୁତାବକ, ପ୍ରଶାସନ ଶନିବାର ବ୍ୟାଙ୍କ ବନ୍ଦ ରହିବା ନେଇ ଘୋଷଣା କରିଥିଲା । ତା ପର ଦିନ ରବିବାର ଛୁଟି ଥିଲା । କିନ୍ତୁ ସୋମବାର ବ୍ୟାଙ୍କ ମ୍ୟାନେଜର ଆସି ବ୍ରାଞ୍ଚ ଖୋଲିବା ପରେ ଉକ୍ତ ମହିଳାଙ୍କୁ ଭିତରେ ଥିବା ଦେଖିଥିଲେ । ଏନେଇ ସେ ପୋଲିସ୍‌କୁ ଖବର ଦେଇଥିଲେ । ଏହି ତିନିଦିନ ମଧ୍ୟରେ ମହିଳା ବାହାରକୁ ଆସିବା ପାଇଁ କାହାକୁ କହିନଥିବା ନେଇ ପୋଲିସ୍‌ର ସନ୍ଦେହ ହୋଇଥିଲା । ପରେ ବ୍ୟାଙ୍କର ସିସିଟିଭି ସହିତ କମ୍ପ୍ୟୁଟର ଭାଙ୍ଗିଥିବା ଦେଖିବାକୁ ମିଳିଥିବା ବେଳେ ମହିଳାଙ୍କ ପାଖରୁ ଶୁଖିଲା ଖାଦ୍ୟ ଏବଂ ଓଆର୍‌ଏସ୍‌ ଜବତ କରିଥିଲା ପୋଲିସ୍‌ । ଏଥି ସହିତ ଷ୍ଟ୍ରଙ୍ଗ୍‌ ରୁମ୍‌ ଭାଙ୍ଗିବାକୁ ଚେଷ୍ଟା କରିଥିବା ମଧ୍ୟ ଜଣାପଡ଼ିଥିଲା । ତେବେ ଏସବୁ ମିଳିବା ପରେ ମହିଳାଙ୍କୁ ପୋଲିସ୍‌ ଗିରଫ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.