କ୍ୟାପଟେନଙ୍କୁ ନିମନ୍ତ୍ରଣ କଲେ, ପୁଣି ନିଜର ଶକ୍ତି ଦେଖାଇଲେ ସିଦ୍ଧୁ, ପଞ୍ଜାବରେ ଆହୁରି ବଢିବ କନ୍ଦଳ !

Published By : Prameya-News7 Bureau | July 21, 2021 IST

ଚଣ୍ଡିଗଡ ୨୧।୦୭: ପଞ୍ଜାବ କଂଗ୍ରେସର ସଭାପତି ନିଯୁକ୍ତ ହେବା ପରେ ପୂର୍ବତନ କ୍ରିକେଟ୍‌ର ନବଜୋତ ସିଂହ ସିଦ୍ଧୁ ଫ୍ରଣ୍ଟଫୁଟ୍‌ରେ ଖେଳିବା ଆରମ୍ଭ କରି ଦେଇଛନ୍ତି। ତାଙ୍କୁ ଭେଟି କ୍ଷମା ମାଗିବାକୁ ସର୍ତ୍ତ ରଖିଥିଲେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ। ହେଲେ ସିଦ୍ଧୁ କ୍ୟାପଟେନଙ୍କ ୬୫ ବିଧାୟକଙ୍କୁ ନିଜ ଆଡକୁ ଟାଣି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ସୂତ୍ର ଅନୁଯାୟୀ, ସିଦ୍ଧୁ ଅମରିନ୍ଦରଙ୍କୁ ନିଜର ପଦଗ୍ରହଣ ସମାରୋହ ପାଇଁ ନିୟମନ୍ତ୍ରଣ ଦେଇଛନ୍ତି। ଏଥିସହ ୬୫ ବିଧାୟକଙ୍କ ହସ୍ତାକ୍ଷର ମଧ୍ୟ ପଠାଇ ଦେଇଛନ୍ତି। ସିଦ୍ଧୁଙ୍କ ଏମିତି ପଦକ୍ଷେପରେ ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ଆହୁରି ବଢିପାରେ ବୋଲି କୁହାଯାଉଛି।

କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଆପତ୍ତି ସତ୍ତ୍ଵେ କଂଗ୍ରେସ ହାଇକମାଣ୍ଡ ସିଦ୍ଧୁଙ୍କୁ ପଞ୍ଜାବ ରାଜ୍ୟ ସଭାପତି ଭାବେ ନିଯୁକ୍ତ କରିଛନ୍ତି। ଏହାପରଠୁ ସିଦ୍ଧୁ ଲଗାତାର ନିଜର ଟିମ୍ ମଜବୁତ କରିବାରେ ଲାଗିଛନ୍ତି। ସେ କଂଗ୍ରେସର ଜଣେ ପରି ଜଣେ ବିଧାୟକ, ମନ୍ତ୍ରୀ ଓ ବରିଷ୍ଠ ନେତାଙ୍କକୁ ଭେଟୁଛନ୍ତି। ବୁଧବାର ଯେବେ ସେ ୬୫ ବିଧାୟକଙ୍କ ସହ ସ୍ଵର୍ଣ୍ଣ ମନ୍ଦିର ପହଞ୍ଚିଲେ, ସେଥିରୁ ସ୍ପଷ୍ଟ ସନ୍ଦେଶ ଥିଲା ଯେ, ସେ କ୍ୟାପଟେନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ସିଦ୍ଧୁଙ୍କ ମୁଣ୍ଡରେ ପାର୍ଟି ହାଇକମାଣ୍ଡଙ୍କ ହାତ ଦେଖି ବଡ ସଂଖ୍ୟାରେ ନେତା ତାଙ୍କ ସମର୍ଥନରେ ଆସିଛନ୍ତି।

ସିଦ୍ଧୁ ଜୁଲାଇ ୨୩ରେ ନୂତନ ସଭାପତି କାର୍ଯ୍ୟଭାର ଗ୍ରହଣ କରିବେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ପାଇଁ ସିଦ୍ଧୁ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ନିମନ୍ତ୍ରଣ କରିଛନ୍ତି। ହେଲେ ଆମନ୍ତ୍ରଣ ପତ୍ରରେ ସେ ୬୫ ବିଧାୟକଙ୍କ ହସ୍ତାକ୍ଷର ମଧ୍ୟ କରାଇଛନ୍ତି। ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ସିଦ୍ଧୁ ସଙ୍କେତ ଦେଇ ଦେଲେ ଯେ, ତାଙ୍କ ସମର୍ଥନରେ ଅଧିକାଂଶ ବିଧାୟକ ଆସି ସାରିଛନ୍ତି। ସିଦ୍ଧୁ ଏମିତି ପଦକ୍ଷେପ କ୍ୟାପଟେନ୍‌ଙ୍କୁ ଚିଡାଇବା ପାଇଁ ନେଇଥିବା କୁହାଯାଉଛି। ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ପାର୍ଟିରେ କନ୍ଦଳ କମିବା ପରିବର୍ତ୍ତେ ଆହୁରି ବଢିବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.