ଢେଙ୍କାନାଳ ୩୦।୦୫: ହଜିଗଲା ମାନବିକତା, କୋଭିଡ ସଂକ୍ରମିତ ଆଶଙ୍କାରେ ମୃତଦେହକୁ ଛୁଇଁଲେନି ପରିବାର ଲୋକେ । ଫଳରେ ମୃତ୍ୟୁ ଘଟିଥିବା ମହିଳାଙ୍କ ମୃତଦେହ କୋଭିଡ ସଂକ୍ରମଣ ଯୋଗୁଁ ଦୀର୍ଘ ଘଣ୍ଟା ଧରି ପଡି ରହିଥିଲା । ପରେ ସ୍ଥାନୀୟ ତହସିଲଦାରଙ୍କ ହସ୍ତକ୍ଷେପରେ ଉଠିଲା ଶବ । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗନ୍ଦିଆଁ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଗ୍ରାମରେ। ଗ୍ରାମର ସାବିତ୍ରୀ ବେହେରା ନାମକ ଜଣେ ବୃଦ୍ଧାଙ୍କର ଚଳିତ ମାସ ୨୨ ତାରିଖରେ କରୋନା ପଜିଟିଭ ବୋଲି ଜଣା ପଡିଥିଲା।
ସେ ନିଜ ଘରେ ହୋମ କ୍ଵାରେଣ୍ଟାଇନ୍ ରହି ଚିକିତ୍ସିତ ହେଉଥିଲେ। କିନ୍ତୁ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଶବକୁ ଚାରି କାନ୍ଧ ଦେବା ପାଇଁ ପରିବାର ଲୋକେ କେହି ଆସିନଥିଲେ । ଖବର ପାଇ ଗନ୍ଦିଆଁ ତହସିଲଦାର ଆଶିଷ ରଞ୍ଜନ ସାହୁ, ପିଙ୍ଗୁଆ ଗ୍ରାମର ନନ୍ଦ କିଶୋର ନାୟକ, ଆନନ୍ଦ ନାୟକ, ଜ୍ଞାନରଞ୍ଜନ ସିଂ ଏବଂ ଅନ୍ୟ କିଛି ସମାଜସେବୀଙ୍କ ସହଯୋଗରେ ଶବକୁ ଘରୁ ଉଦ୍ଧାର କରି ଶବ ଦାହ କରାଯାଇଥିବା ଜଣାପଡିଛି।