ଏହି ଘରୋଇ ଉପାୟ ଦ୍ବାରା କମିବ କରୋନା ଭାଇରସ୍ ସଂକ୍ରମଣର ଆଶଙ୍କା : ବ୍ରିଟେନ୍ ବୈଜ୍ଞାନିକ କଲେ ଦାବି

Published By : Prameya-News7 Bureau | June 02, 2020 IST

କରୋନା ଭାଇରସର ବଢ଼ୁଥିବା ସଂକ୍ରମଣ ମଧ୍ୟରେ ଏହାଠାରୁ ମୁକ୍ତି ଏବଂ ଚିକିତ୍ସାକୁ ନେଇ ବିଶ୍ବବ୍ୟାପି ବୈଜ୍ଞାନିକ ରିସର୍ଚ୍ଚ କରୁଛନ୍ତି। ଗୋଟିଏ ପଟେ ଏହାର ଟୀକାକୁ ନେଇ ସକରାତ୍ମକ ପରିଣାମ ମିଳିଥିବାବେଳେ ଅନ୍ୟପଟେ କେତେକ କମ୍ପାନୀ ଏହାର ଔଷଧ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ବର୍ତ୍ତମାନ ପୂର୍ବରୁ ଉପଲବ୍ଧ ଔଷଧ ଜରିଆରେ କରୋନା ଭାଇରସର ଲକ୍ଷଣର ଚିକିତ୍ସା କରାଯାଉଛି ଏବଂ ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରୁଛନ୍ତି। ଏଥିରୁ ବର୍ତ୍ତିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସମୟ ସମୟରେ ପରାମର୍ଶ ଜାରି କରୁଛି ଏବଂ ଆୟୁଷ ମନ୍ତ୍ରଣାଳୟ ମଧ୍ୟ ଆୟୁର୍ବେଦ ଏବଂ ଘରୋଇ ଉପାୟରେ କରୋନା ଭାଇରସରୁ ବର୍ତ୍ତିବାର ଉପାୟ କହିଛି। ଲୋକେ କରୋନାରୁ ବର୍ତ୍ତିବା ପାଇଁ ବିଭିନ୍ନ ପ୍ରକାରର ଘରୋଇ ଉପାୟ ଅବଲମ୍ବନ କରୁଛନ୍ତି। ଲୁଣ ପାଣିରେ ଗାର୍ଗିଲ କରିବା କିମ୍ବା କୁଳି କରିବା ଏଗୁଡ଼ିକ ମଧ୍ୟରୁ ଗୋଟିଏ।

ଗାର୍ଗିଲକୁ ନେଇ ବ୍ରିଟେନର ଏଡିନବର୍ଗ ୟୁନିଭର୍ସିଟିର ଗବେଷକ ରିସର୍ଚ୍ଚ ଅଧ୍ୟୟନ କରିଛନ୍ତି। ଗବେଷକଙ୍କ ଅନୁସାରେ ଲୁଣ ପାଣି​‌ରେ ଗାର୍ଗିଲ୍ କରିବା ଦ୍ବାରା କରୋନା ସଂକ୍ରମଣର ଲକ୍ଷଣକୁ ଅନେକାଂଶରେ କମ୍ କରାଯାଇପାରିବ। ଏହା ସହିତ ଏହି ଘରୋଇ ଉପାୟ ଦ୍ବାରା କୋଭିଡ ସଂକ୍ରମଣର ଅବଧିକୁ କମ୍ କରାଯାଇ ପାରିବ।

ବ୍ରିଟେନର ଗବେଷକ କରୋନା ଭାଇରସରେ ସଂକ୍ରମିତ ୬୬ରୋଗୀଙ୍କ ଉପରେ ଏହି ଅଧ୍ୟୟନ କରିଛନ୍ତି। ଗବେଷକ ୧୨ଦିନ ଯାଏଁ ଏହି ଅଧ୍ୟୟନ କରିଥିଲେ। ଏହି ୬୬ରୋଗୀଙ୍କ ଚିକିତ୍ସା ସହ ଲୁଣ ମିଶା ନଖ ଉଷୁମ ପାଣିରେ ଗାର୍ଗିଲ କରିବାକୁ କୁହାଯାଇଥିଲା। ୧୨ଦିନ ଯାଏଁ ଏହି ରୋଗୀଙ୍କ ନାକରୁ ଯେତେବେଳେ ସାମ୍ପଲ୍ ନିଆଯାଇଥିଲା ସେତେବେଳେ ସେଥିରେ ସଂକ୍ରମଣର ବହୁତ କମ୍ ଲକ୍ଷଣ ଦେଖାଯାଇଥିଲା।

ଜର୍ଣ୍ଣାଲ୍ ଅଫ ଗ୍ଲୋବାଲ୍ ହେଲଥରେ ପ୍ରକାଶିତ ଏହି ରିସର୍ଚ୍ଚ ଅନୁସାରେ,ଲୁଣ ଗାର୍ଗିଲ୍ କରୁଥିବା ରୋଗୀଙ୍କଠାରେ ଅଢ଼େଇ ଦିନ ମଧ୍ୟରେ ସଂକ୍ରମଣ କମିଯାଇଥିବା ଦେଖାଯାଇଥିଲା। ଗବେଷକଙ୍କ ଦାବି ରହିଛି ଯେ ଲୁଣ ପାଣିରେ ଗାର୍ଗିଲ କରିବା ଦ୍ବାରା କରୋନା ଭାଇରସର ସଂକ୍ରମଣର ପ୍ରଭାବ କମ୍ କରାଯାଇ ପାରିବ।

ନିକଟରେ ଆୟୁଷ ମନ୍ତ୍ରଣାଳୟ ମଧ୍ୟ ଲୋକଙ୍କୁ ଗରମ ପାଣି ପିଇବାକୁ ପରାମର୍ଶ ଦେଇଛି। ଆୟୁଷ ମନ୍ତ୍ରଣାଳୟର ଗାଇଡଲାଇନ୍ ଅନୁସାରେ, ସକାଳେ -ସନ୍ଧ୍ୟାରେ ଗରମ ପାଣିରେ କୁଳି କରିବା ଦ୍ବାରା ଗଳା ସଫା ରହିଥାଏ ଏବଂ ଏହା ସହ ଭାଇରାଲ୍ ସଂକ୍ରମଣ ହେବାର ସମ୍ଭାବନାଠୁ ବର୍ତ୍ତି ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.