୧ ଜାନୁୟାରୀରୁ ବଦଳିଯିବ ଏହି ସବୁ ନିୟମ, ଜାଣନ୍ତୁ କ’ଣ ?

Published By : Prameya-News7 Bureau | December 31, 2020 IST

ନୂଆଦିଲ୍ଲୀ ୩୧।୧୨: ବିଶ୍ୱରୁ ୨୦୨୦ର ବିଦାୟ ସହ ଦେଶରେ ଅନେକ ନିୟମ ପରିବର୍ତନ ହେବ। ସାଧାରଣ ଜନଜୀବନରେ ହେବାକୁ ଥିବା ଏହି ସବୁ ପରିବର୍ତ୍ତନରେ ଟେଲିଫୋନରେ କଲିଂରୁ ଆରମ୍ଭ କରି ବ୍ୟାଙ୍କ ଓ ବୀମା ପର୍ଯ୍ୟନ୍ତ ଅନେକ ନିୟମ ବଦଳିବ। ଯାହା ସହ ଆମକୁ ନୂଆକରି ଅଥବା ପୁରୁଣା ଅଭ୍ୟାସକୁ ପୁଣି ଥରେ ଧରି ନେବାକୁ ହେବ। ତେବେ ଆସନ୍ତୁ ଜାଣିବା ୧ ଜାନୁୟାରୀରୁ କଣ ସବୁ ବଦଳିବ।

‘ଜିରୋ’ ଡାୟଲ ଅଭ୍ୟାସ
ଜାନୁୟାରୀ ୧ ତାରିଖରୁ ଲ୍ୟାଣ୍ଡ ଲାଇନରୁ ମୋବାଇଲ ନମ୍ବର ଡାୟଲ କଲେ ପ୍ରଥମେ ଜିରୋ ଡାୟଲ କରିବାକୁ ପଡିବ। ଦେଶରେ ନୂଆ କରି ମୋବାଇଲ ସେବା ପ୍ରଚଳନ ବେଳେ ଟେଲିକମ୍‌ ଡିପାର୍ଟମେଣ୍ଟ ଏହା ଦ୍ୱାରା ଟେଲିଫୋନ ଓ ମୋବାଇଲ ନମ୍ବର ପୃଥକ କରିଥିଲେ। ହେଲେ ପରେ ବୈଷୟିକ ବିସ୍ତାର ପରେ ଏପରି ପ୍ରଚଳନ ବନ୍ଦ ହୋଇଯାଇଥିଲା। ଏବେ ଡିଓଟି ପୁଣି ଥରେ ପୁରୁଣା ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ଯାହା ସାରା ଦେଶରେ ୧ ଜାନୁୟାରୀରୁ ଲାଗୁ ହେବାକୁ ଯାଉଛି।

ଚାରି ଓ ୨ ଚକିଆ ବାହନ ହେବ ମହଙ୍ଗା
ଜାନୁୟାରୀ ୧ ତାରିଖରୁ ବାହନ ନିର୍ମାତାମାନେ ସେମାନଙ୍କ ବାହନ ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି। ଯାହାର ସିଧା ପ୍ରଭାବ ଗ୍ରାହକଙ୍କ ପକେଟ ଉପରେ ପଡିବ। ଅଟୋମୋବାଇଲ କମ୍ପାନୀମାନେ ପ୍ରାୟ ୫ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି। ଜାନୁୟାରୀ ୧ ତାରିଖରୁ ନୂଆ ମୂଲ୍ୟ ଲାଗୁ ହେବାକୁ ଯାଉଥିବା ବେଳେ କାର ହେଉ ବା ମୋଟରସାଇକେଲ ଅଥବା ସ୍କୁଟର ଏଥିଲାଗି ଗ୍ରାହକଙ୍କୁ ଅଧିକ ବ୍ୟୟ କରିବାକୁ ପଡିବ।

ବଦଳିବ ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟ
ପ୍ରତ୍ୟେକ ମାସର ୧ ତାରିଖରେ ତୈଳ କମ୍ପାନୀମାନେ ଦେଶରେ ଏଲପିଜି ସିଲିଣ୍ଡରର ନୂଆ ମୂଲ୍ୟ ନିର୍ଦ୍ଧାରଣ କରନ୍ତି। ତେବେ ୨୦୨୦ ବର୍ଷର ପ୍ରଥମ କିଛିମାସକୁ ବାଦ ଦେଲେ ପରେ କମ୍ପାନୀମାନେ ନୂଆ ଦର ଧାର୍ଯ୍ୟ କରିବା ବନ୍ଦ କରିଦେଇଥିଲେ। ବର୍ଷର ଶେଷ କିଛିମାସ ପୁଣି ନୂଆ ଦର ଧାର୍ଯ୍ୟ ହୋଇଥିବା ବେଳେ ଆଗାମୀ ବର୍ଷରେ ମଧ୍ୟ ଏହା ଜାରି ରହିବ। ଜାନୁୟାରୀ ପହିଲାରେ ତୈଳ କମ୍ପାନୀମାନେ ଦେଶରେ ଏଲପିଜି ଲାଗି ନୂଆ ଦର ଘୋଷଣା କରିପାରନ୍ତି।

ଚେକ୍‌ରେ ପୈଠ ନିୟମ ବଦଳିବ
୧ ଜାନୁୟାରୀ  ୨୦୨୧ରୁ ଚେକ୍‌ ମାଧ୍ୟମରେ ପୈଠ କରିବାର ନିୟମ ବଦଳିଯିବ। ଏହି ନିୟମରେ ୫୦ ହଜାରରୁ ଅଧିକ ମୁଦ୍ରା ପୈଠ ଲାଗି ପଜିଟିଭ ପେ ସିଷ୍ଟମ ଲାଗୁ ହେବ। ଏଣୁ ୫୦ ହଜାରରୁ ଅଧିକ ମୂଲ୍ୟର ଚେକ୍‌ ଲାଗି ଜରୁରି ସୂଚନା ଦ୍ୱିତୀୟବାର ପୁଷ୍ଟି ହେବା ପରେ ହିଁ ପୈଠ ହେବ। ଚେକ୍‌ ପେମେଣ୍ଟକୁ ଅଧିକ ସୁରକ୍ଷିତ ଓ ବ୍ୟାଙ୍କ ଠକେଇ ରୋକିବାରେ ସହାୟକ ହେବ।

କଣ୍ଟାକ୍ଟଲେସ୍‌ ପୈଠ ସୀମା ବଢିବ
ଦେଶରେ ଡିଜିଟାଲ ପେମେଣ୍ଟ ବୃଦ୍ଧି ଲାଗି କେନ୍ଦ୍ରୀୟ ବ୍ୟାଙ୍କ ଜାନୁୟାରୀ ୧ ତାରିଖରୁ କଣ୍ଟାକ୍ଟଲେସ୍‌ ପେମେଣ୍ଟ ସୀମା ୫ହଜାରକୁ ବୃଦ୍ଧି ହେବ। ଏହା ପୂର୍ବରୁ ଏହି ଦେୟ ସୀମା ସର୍ବାଧିକ ୨ହଜାର ଥିଲା।

ବଦଳିଯିବ ବ୍ୟବସାୟୀଙ୍କ ଜିଏସଟି ରିଟର୍ଣ୍ଣ ପୁରଣ ନିୟମ
ଏପର୍ଯ୍ୟନ୍ତ ବ୍ୟବସାୟୀ ବାର୍ଷିକ ୧୨ଟି ଜିଏସଟି ରିଟର୍ଣ୍ଣ ଫର୍ମ ପୁରଣ କରୁଥିଲେ। ହେଲେ ଜାନୁୟାରୀ ମାସରୁ ଏହି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଏଥିରେ ବ୍ୟବସାୟୀ ବାର୍ଷିକ ୧୨ ଥର ବଦଳେ ୪ ଥର ଜିଏସଟିଆର-୩ବି ରିଟର୍ଣ୍ଣ ଫାଇଲ କରିବେ। ପ୍ରକ୍ରିୟାକୁ ଅଧିକ ସୁଗମ କରିବା ଲାଗି ଏବେ କ୍ୱାର୍ଟର୍ଲି ଫାଇଲିଂ ସହ ମନ୍ଥଲି ପେମେଣ୍ଟ ଯୋଜନା ମଧ୍ୟ କାର୍ଯ୍ୟକାରୀ କରିଛନ୍ତି। ବାର୍ଷିକ ୫ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ବ୍ୟବସାୟୀ ଏହି ଯୋଜନାର ଲାଭ ପାଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.