ପୁଅ-ବୋହୂଙ୍କୁ ଜ୍ୱର ଛାଡିଲାନି, ପଡୋଶୀର ହେଲା ଦୋଷ: ବୃଦ୍ଧଙ୍କୁ ମାଡ ମାରିଲେ, ତାଙ୍କ ଝିଅଙ୍କୁ ଗୋବର ପାଣି ପିଆଇଲେ

Published By : Prameya-News7 Bureau | June 15, 2020 IST

ନୀଳଗିରି, ୧୫|୦୬ : ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ଅଧିନ ୧୦ ନମ୍ବର ୱାର୍ଡ କାହାଳିଆ ପୋଖରିସାହି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଗୁଣି ଗାରେଡି ସନ୍ଦେହରେ ବାପ ଓ ଝିଅଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ସହ ଗୋବରପାଣି ପିଆଇବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାନୁସାରେ, ପୋଖରିସାହି ଗ୍ରାମର ପର୍ଶୁରାମ ବାରିକ ତାଙ୍କ ଘର ବାଡ଼ିରେ ଠାକୁରାଣୀ ପୂଜା କରନ୍ତି। ପାଖ ପଡୋଶୀ ଯୋଗେନ୍ଦ୍ର ବାରିକଙ୍କ ପରିବାର ସହ ପର୍ଶୁରାମଙ୍କ ଜମିଜମାକୁ ନେଇ ଅନେକ ଦିନ ଧରି ଶତ୍ରୁତା ଲାଗିରହିଛି। କିନ୍ତୁ କିଛି ଦିନଧରି  ଯୋଗେନ୍ଦ୍ରଙ୍କ ପୁଅ ବୋହୂ ଲଷ୍ମୀମଣି ବାରିକଙ୍କୁ ଜ୍ଵର ନଛାଡିବାରୁ ପର୍ଶୁରାମ ଗୁଣି କରୁଥିବା ସେ ସନ୍ଦେହ କରିଥିଲେ । ଫଳରେ ସେ  ପର୍ଶୁରାମ ଓ ତାଙ୍କ ବଡ଼ ଝିଅଙ୍କୁ ଏକ ଗଛରେ ବାନ୍ଧି ଦେଇ ମାଡ଼ ମାରିଥିଲେ। ସେମାନେ ଅନ୍ୟ ଏକ ଗୁଣିଆକୁ ଗୁଣି ବାବଦରେ ପ୍ରଶ୍ନ କରିଥିଲେ । ଗୁଣିଆ ମଧ୍ୟ କୁଆଡେ ପର୍ଶୁରାମ ଗୁଣି କରିଥିବା କହିଥିଲା । ,

ଗୁଣିଆ କଥା ଶୁଣି ବାପ ଝିଅଙ୍କୁ ଛାଡ଼ିବୁନି କହି ମାଡ଼ ମାରିଚାଲିଥିଲେ ଯୋଗେନ୍ଦ୍ର । ଏପରିକି ଯୁବତୀ ଜଣଙ୍କୁ ଗୋବର ପାଣି ପିଆଇଥିବା ଅଭିଯୋଗ ହୋଇଛି । ଏନେଇ ପର୍ଶୁରାମ ଯୋଗେନ୍ଦ୍ର ବାରିକ, ପୁଅ ଗୌରହରି ବାରିକ,ତ୍ରିଲୋଚନ ବାରିକ,ପୁଅର ବୋହୁ ଲାଷ୍ମୀମଣି,ସାନପୁଅ ଶ୍ରବଣ କୁମାର,ଭାଇ ନରେନ୍ଦ୍ର ବାରିକ,ଶଶିଧର ବାରିକ,ବିଶ୍ୱନାଥ ବାରିକଙ୍କ ନାମରେ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ସେପଟେ ଯୋଗେନ୍ଦ୍ରଙ୍କ ପରିବାର ପକ୍ଷରୁ ପାଲଟା ଅଭିଯୋଗ ହୋଇଛି। ସମ୍ପତ୍ତି ନେଇ ବାପ ଝିଅ ତାଙ୍କ ପରିବାର ନାଁରେ ମିଥ୍ୟା ଆରୋପ ଆଣିଥିବା କହିଛନ୍ତି।ତେବେ ନୀଳଗିରି ଆଇଆଇସି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରି ତିନିଜଣଙ୍କୁ ଅଟକ ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.