ଦରଦି ମଣିଷ ଅଜୀମ ପ୍ରେମଜୀ, ୧୫୦ ଏନ୍‌ଜିଓଙ୍କୁ ଯୋଗାଇଛନ୍ତି ଆର୍ଥିକ ସହାୟତା

Published By : Prameya-News7 Bureau | January 26, 2022 IST

ନୂଆଦିଲ୍ଲୀ ୨୬/୦୧; ଭାରତରେ ଅନେକ ଧନୀ ଉଦ୍ୟୋଗପତି ଅଛନ୍ତି। ଯେଉଁମାନେ ନିଜ ସଂସ୍ଥାକୁ ଶିଖର ଛୁଆଇଁଛନ୍ତି। ସେହିପରି ଦେଶରେ ଏମିତି କିଛି ଉଦ୍ୟୋଗପତି ରହିଛନ୍ତି ଯେଉଁମାନେ ଧନରେ ଯେମିତି ବଡ ହୃଦୟରୁ ବି ସେମିତି ବଡ। ଧନୀ ବି ଦାନୀ ବି। ସେମିତି ଜଣେ ବ୍ୟକ୍ତି ହେଲେ ଦେଶର ପ୍ରମୁଖ ଆଇଟି କମ୍ପାନୀ WIPROର ପ୍ରତିଷ୍ଠାତା ଅଜୀମ ପ୍ରେମଜୀ।

ଅଜୀମ ଦେଶ ନୁହେଁ ସାରା ବିଶ୍ବରେ ଜଣେ ବିଶିଷ୍ଟ ବଦାନ୍ୟ, ପରୋପକାର ଇରାଜୀରେ ଫିଲାନ୍ତ୍ରୋପିଷ୍ଟ। ଅଜିମ୍‌ ପ୍ରେମଜୀ ଏପର୍ଯ୍ୟନ୍ତ ପାଖାପାଖି ୧,୪୫,୦୦୦ କୋଟି ଟଙ୍କା ଦାନ କରିସାରିଲେଣି। ତାଙ୍କ ପ୍ରତିଷ୍ଠିତ ଅଜିମ୍‌ ପ୍ରେମଜୀ ଫାଉଣ୍ଡେସନ୍‌ ପକ୍ଷରୁ ଏହି ଦାନ କରାଯାଇଛି।

ଏହି ଫାଉଣ୍ଡେସନ୍‌ ଗତ ୫ବର୍ଷ ଭିତରେ ପାଖାପାଖି ୧୫୦ ଏନ୍‌ଜିଓଙ୍କୁ ଆର୍ଥିକ ସହାୟତା ଦେଇଛି। ଏବଂ କରୋନାରୁ ଲଢିବା ପାଇଁ ଅନେକ ସଂସ୍ଥାକୁ ଅର୍ଥିକ ସହାୟତା ଯୋଗାଇଛନ୍ତି ସେ।

ଅଜିମ ପ୍ରେମଜୀଙ୍କୁ ଅନୌପଚାରିକ ଭାବେ ଭାରତୀୟ ଆଇଟି ଉଦ୍ୟୋଗର ସମ୍ରାଟ କୁହାଯାଏ। ଏବଂ ପରୋପକାର ମାମଲାରେ ତାଙ୍କ ନାଁ ବିଶ୍ବପ୍ରସିଦ୍ଧ।

ଅଜୀମ ପ୍ରେମଜୀଙ୍କ ଜନ୍ମ ୧୯୪୫ ମସିହା ଜୁଲାଇ ୨୪ ତାରିଖରେ ମୁମ୍ବାଇରେ ହୋଇଥିଲା। ତାଙ୍କ ବାପା ହସମ ପ୍ରେମଜୀ ଜଣେ ଜଣାଶୁଣା ବିଜନେସ୍‌ମ୍ୟାନ୍‌ ଥିଲେ। ଭାରତ ବିଭାଜନ ସମୟରେ ଜିନ୍ନା ତାଙ୍କୁ ପାକିସ୍ତାନ ଯିବା ପାଇଁ କହିଥିଲେ ସେ କିନ୍ତୁ ଭାରତରେ ରହିବାକୁ ଇଚ୍ଛା କଲେ। କୁହାଯାଏ ସେତେବେଳେ ହସମଙ୍କୁ ପାକିସ୍ଥାନର ଅର୍ଥମନ୍ତ୍ରୀ ହେବାର ଅଫର ମଧ୍ୟ ମିଳିଥିଲା। ତଥାପି ସେ ଭାରତରେ ରହି ବ୍ୟବସାୟ କରିବାର ନିଷ୍ପତ୍ତି ନେଲେ।

ଅଜିମ ପ୍ରେମଜୀଙ୍କ ପାଖରେ କାର୍ଲିଫର୍ଣ୍ଣିଆ ୟୁନିଭରସିଟିର ଇଲୋକ୍ଟ୍ରନିକ୍ସ ଇଞ୍ଜିନିୟରିଂର ବ୍ୟଚଲର ଅଫ୍‌ ସାଇନ୍ସର ଡିଗ୍ରୀ ରହିଛି। ବିଦେଶରରେ ପଢୁଥିବା ସମୟରେ ୧୯୬୬ ମସିହାରେ ଅଜିମଙ୍କ ବାପାଙ୍କର ଦେହାନ୍ତ ହୋଇଗଲା। ସେତେବେଳେ ଅଜିମ ଙ୍କୁ  ୨୧ ବର୍ଷ । ସେହି କମ୍‌ ବୟସରେ କମ୍‌ ଅଭିଜ୍ଞତା ନେଇ ଭାରତ ଆସି ବାପାଙ୍କ ବ୍ୟବସାୟକୁ ସମ୍ଭାଳିଥିଲେ ଅଜୀମ ପ୍ରେମଜୀ।

ୱିପ୍ରୋ ପ୍ରଥମେ ସାବୁନ ଏବଂ ଖାଇବା ତେଲର ବ୍ୟବସାୟ କରୁଥିଲା। ୧୯୭୦ରେ ଅଜିମ ପ୍ରେମଜୀ ଆମେରିକୀୟ କମ୍ପାନୀ ସେଣ୍ଟିନଲ କମ୍ପ୍ୟୁଟର କର୍ପୋରେସନ୍ ସହ ମିଶି କାମ ଆରମ୍ଭ କଲେ। ୧୯୮୦ରେ ଏହା ଆଇଟି କମ୍ପାନୀ ଭାବେ କାମ ଆରମ୍ଭ କଲା। ଏହା ପର୍ସନାଲ୍‌ କମ୍ପ୍ୟୁଟର ସହ ସଫ୍ଟୱେର୍‌ ସର୍ଭିସ୍‌ ଦେଉଥିଲା। ଏହାପରେ କମ୍ପାନୀର ନାଁ ‘ୱିପ୍ରୋ’ ରଖାଗଲା।

୨୦୦୫ରେ ଅଜିମ୍‌ ପ୍ରେମଜୀଙ୍କୁ ଭାରତ ସରକାର ବ୍ୟାପାର ଏବଂ ବାଣିଜ୍ୟରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ପଦ୍ମଭୂଷଣରେ ସମ୍ମାନୀତ କରିଛନ୍ତି। ୨୦୧୧ରେ ସେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ୨୦୧୭ରେ ଇଣ୍ଡିଆ ଟୁ଼ଡେ ପତ୍ରିକା ପକ୍ଷରୁ ଚିହ୍ନଟ ୫୦ ଶକ୍ତିଶାଳୀ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ୯ମ ସ୍ଥାନରେ ରହିଥିଲେ ଅଜୀମ ପ୍ରେମଜୀ। ଅଜୀମ ପ୍ରେମଜୀ ଜଣେ ବଡ ଟେକ୍ନୋକ୍ରାଟ୍‌। ସଫଳ ବ୍ୟବସାୟୀ ଏବଂ ଦରଦି ମଣିଷ। ଏସବୁ ବିଶେଷତ୍ବ ଭିତରେ ସେ ଜଣେ ନିଆରା ସାଧାରଣ ମଣିଷ।

wp:embed {"url":"https://www.youtube.com/watch?v=cOB9bISqq3o","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=cOB9bISqq3o
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.